ଆଜି ଠାରୁ ସହିଦ ସପ୍ତାହ; ସୀମା ସିଲ କଲା ପୁଲିସ, କଡା କଡି ଯାଞ୍ଚ

Advertisment

ଗାଁ ଗାଁରେ ରାଲି ଓ ସହିଦସ୍ତମ୍ଭ ନିର୍ମାଣ ଆରମ୍ଭ

ଗାଁ ଗାଁରେ ରାଲି ଓ ସହିଦସ୍ତମ୍ଭ ନିର୍ମାଣ ଆରମ୍ଭ

ଆଜି ଠାରୁ ସହିଦ ସପ୍ତାହ; ସୀମା ସିଲ କଲା ପୁଲିସ, କଡା କଡି ଯାଞ୍ଚ

ମାଲକାନଗିରି: ଆଜି ଠାରୁ ନକ୍ସଲଙ୍କ ସହିଦ ସପ୍ତାହ ଆରମ୍ଭ ହେଉଛି। ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ନକ୍ସଲ ଗ୍ରାମ ଗ୍ରାମରେ ଏହି ସପ୍ତାହକୁ ପାଳନ କରିବେ। ସହିଦ ସପ୍ତାହକୁ ଆଖି ଆଗରେ ରଖି ପୁଲିସ ତରଫରୁ ସୀମାକୁ ସିଲ କରିଦେବା ସହ କଡା କଡି ଯାଞ୍ଚ କରାଯାଉଛି। ଅଜଣା ବ୍ୟକ୍ତିଙ୍କୁ ଦେଖିଲେ ତାଂକର ପରିଚୟ ପଚରାଯିବା ସହ ତାଂକ ସଂପର୍କରେ ସବିଶେଷ ବିବରଣୀ ପୁଲିସ ନେଉଛି। ଆନ୍ଧ୍ର, ତେଲେଙ୍ଗାନା ଏବଂ ଛତିଶଗଡକୁ ସୀମାକୁ ସିଲ କରିବା ସହ ନକ୍ସଲ ଗତିବିଧି ଉପରେ ନଜର ରଖିଛି ପୁଲିସ। ତେବେ ଗୁଇନ୍ଦା ବିଭାଗକୁ ସଜାଗ ରବିବାକୁ ନିର୍ଦେଶ ଦିଆଯାଇଛି। ସହିଦ ସପ୍ତାହ ପୂର୍ବରୁ ନକ୍ସଲଙ୍କୁ ଲାଗିଛି ବଡ ଝଟକା। ଗତ ଦୁଇ ଦିନ ତଳେ ନକ୍ସଲ ଏବଂ ପୁଲିସ ଗୁଳିବିନିମୟରେ ଜଣେ ହାର୍ଡକୋର ନକ୍ସଲର ମୃତ୍ୟୁ ହୋଇଥିବା ବେଳେ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି। ବିଏସଏଫ ଯବାନ ମଧ୍ୟ ଦିନ ରାତି ପଇଁତରା ମାରୁଛନ୍ତି।ଜିଲ୍ଲାସାରୀ ବିଏସଏଫ ଛାଉଣି ହୋଇଥିବାରୁ ନକ୍ସଲ ହିଂସାକାଣ୍ଡ ଘଟାଇବା ସହଜ ନୁହେଁ ବୋଲି କୁହାଯାଇଛି। ସେହିପରି ଡିଭିଏଫ,ଏସଓଜି ଯବାନ ମଧ୍ୟ ଜଂଗଲରେ କମ୍ବିଂକୁ ଜୋରଦାର କରିଥିବା ଜଣାପଡିଛି।

ଗାଁ ଗାଁରେ ନକ୍ସଲ ସହିଦ ସପ୍ତାହ ପାଳନ ନେଇ ଆହ୍ବାନ ଦେଇଛନ୍ତି ନକ୍ସଲ। ଆନ୍ଧ୍ର ଓ଼ଡିଶା ବଡର ଡିଭିଜନର ମାଓ ନେତା ଗଣେ ଗତ କିଛି ଦିନ ତଳେ ପ୍ରେସ ବିଜ୍ଞପ୍ତି ଏବଂ ଏକ ଓଡିଅ ଟେପରେ ସହିଦ ସପ୍ତାହ ପାଳନ କରିବାକୁ ଆହ୍ବାନ କରିଛନ୍ତି। ଗ୍ରାମରେ ଲୋକେ ଏକତ୍ରୀତ ହୋଇ ଏହି ଦିବସକୁ ପାଳନ କରିବାକୁ ସେ କହିଛନ୍ତି। ଗତ ଜୁଲାଇ ୨୦୨୧ ଠାରୁ ଜୁଲାଇ ୨୦୨୨୨ ପର୍ଯ୍ୟନ୍ତ ପ୍ରାୟ ୧୩୦ରୁ  ଊର୍ଦ୍ଧ୍ବ ନକ୍ସଲଙ୍କର ଜୀବନ ଯାଇଥିବା ସଂଗଠନ ସ୍ବୀକାର କରିଛି। ଏହି ସହିଦମାନଙ୍କ ଉଦେଶ୍ୟରେ ଦୁର୍ଗମ ଗ୍ରାମଗୁଡିକରେ ନାଚଗୀତ ମାଧ୍ୟମରେ ସହିଦ ସପ୍ତାହ ପାଳନ କରାଯିବ। ଗାଁ ଗାଁରେ ସହିଦସ୍ତମ୍ଭ ନିର୍ମାଣ କରି ସହିଦଙ୍କ ସ୍ମୃତିଚାରଣ କରାଯିବ।

publive-image

ତେବେ ମାଲକାନଗିରି ଏବଂ ଛତିଶଗଡ ସୀମାରେ ନକ୍ସଲଙ୍କ ପତିଆରା ରହିଥିବା ଯୋଗୁଁ ସୀମାନ୍ତ ଗ୍ରାମଗୁଡିକରେ ନକ୍ସଲ ପହଞ୍ଚି ଲୋକଙ୍କୁ ଏକତ୍ରୀତ କରିବେ ବୋଲି ଜଣାପଡିଛି। ତେବେ ଓଡିଅ ଟେପରେ ସରକାରଙ୍କର ସମାଧାନ ଯୋଜନାକୁ ବିରୋଧ କରିବା ସହ ଗ୍ରୀନହଣ୍ଟ ଜରିଆରେ ବହୁ ନକ୍ସଲଙ୍କୁ ହତ୍ୟା କରାଯାଇଥିବା କୁହାଯାଇଛି। ଗାଁ ଗାଁରେ ଲୋକେ ଜଳ,ଜମି ଓ ଜଂଗଲକୁ ବଂଚାଇବା ପାଇଁ ଆନ୍ଦୋଳନ କରନ୍ତୁ ବୋଲି ବେଣୁ କହିଛି। ଲୋକଙ୍କ ପାଇଁ ଆନ୍ଦୋଳନ ଜାରି ରହିବ ବୋଲି ମାଓ ନେତା ଗଣେଶ କହିଛି। ଅନ୍ୟଦିଗରେ ସୁରକ୍ଷାବାହିନୀ ମାଓବାଦୀ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ ଅପରେସନ ଜାରି ରଖିଛି। ଗାଁ ଗାଁରେ ଲୋକେ କୌଣସି ଭୟ ନକରି ସାଧାରଣ ଜୀବନଯାପନ କରନ୍ତୁ ବୋଲି ପୁଲିସ କହିଛି। ପୂର୍ବରୁ ସହିଦ ସପ୍ତାହ ବେଳେ ନକ୍ସଲ ବହୁ ହିଂସା ଘଟାଇଥିବା ଯୋଗୁଁ ପୁଲିସ ମଧ୍ୟ ହାତେ ମାପି ଚାଖଣ୍ଡେ ଚାଲୁଛି। ସହିଦ ସପ୍ତାହରେ କୌଣସି ଅଧିକାରୀଙ୍କୁ ଆଭ୍ୟନ୍ତରୀଣ ଅଂଚଳକୁ ନଯିବାକୁ କୁହାଯାଇଥିବା ଜଣାପଡିଛି।କୌଣସି ମୁହର୍ତ୍ତିରେ ନକ୍ସଲଙ୍କ କବଜାରେ ପଡିଲେ କିଛି ବି ଘଟିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ତେବେ ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଂଚଳରେ ନକ୍ସଲଙ୍କର ଅଣ୍ଟା ଭାଙ୍ଗିଯାଇଥିବା ବେଳେ ସହିଦ ସପ୍ତାହ କିପରି ପାଳନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା। ପୁଲିସର କଡା ଯାଞ୍ଚ ଚାଲିଚି। ସୀମାରେ ମଧ୍ୟ କଡାକଡି ଯାଞ୍ଚ ଚାଲିଥିବା ଦେଖିବାକୁ ମିଳିଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe