ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର-୨୦୨୪ ଘୋଷିତ: ଓଡ଼ିଆ ଭାଷା ପାଇଁ ପୁରସ୍କାର ପାଇବେ ସୁଭାଷ ଶତପଥୀ

କେନ୍ଦ୍ର ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର ପାଇବେ ବିଶିଷ୍ଟ ଲେଖକ ଓ ଅନୁବାଦକ ସୁଭାଷ ଶତପଥୀ। ୨୦୨୪ ବର୍ଷ ପାଇଁ ସେ ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ଇଂରାଜୀ ଭାଷାରେ ରଚିତ ପ୍ରଖ୍ୟାତ ଲେଖକ ରସ୍କିନ ବଣ୍ଡ୍‌ଙ୍କ ଆତ୍ମଜୀବନୀ...

ssdzxsd

ଭୁବନେଶ୍ବର: କେନ୍ଦ୍ର ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର ପାଇବେ ବିଶିଷ୍ଟ ଲେଖକ ଓ ଅନୁବାଦକ ସୁଭାଷ ଶତପଥୀ। ୨୦୨୪ ବର୍ଷ ପାଇଁ ସେ ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ଇଂରାଜୀ ଭାଷାରେ ରଚିତ ପ୍ରଖ୍ୟାତ ଲେଖକ ରସ୍କିନ ବଣ୍ଡ୍‌ଙ୍କ ଆତ୍ମଜୀବନୀ ‘ଲୋନ୍ ଫକ୍ସ ଡ୍ୟାନ୍ସିଂ’ର ଓଡ଼ିଆ ଅନୁବାଦ ‘କୋକିଶିଆଳିର ଏକକ ନୃତ୍ୟ’ ପାଇଁ ତାଙ୍କୁ ଏହି ପୁରସ୍କାର ଲାଗି ମନୋନୀତ କରାଯାଇଛି। ୧୯୬୩ ମସିହା ଏପ୍ରିଲ ୧୮ରେ ଜନ୍ମିତ ଶ୍ରୀ ଶତପଥୀ ଇଂରାଜୀ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଛନ୍ତି। ଏବେ ଦୈନିକ ‘ପ୍ରମେୟ’ ଖବରକାଗଜରେ ଫିଚର ସମ୍ପାଦକ ଭାବେ କାର୍ଯ୍ୟକରୁଛନ୍ତି। ପୂର୍ବରୁ ଶ୍ରୀ ଶତପଥୀ ‘ସମ୍ବାଦ’, ‘ସମୟ’, ‘ଓରିଏଣ୍ଟ୍ ଲଙ୍ଗମ୍ୟାନ୍’ ପ୍ରଭୃତିରେ ସମ୍ପାଦନା ବିଭାଗରେ ସଫଳତାର ସହିତ କାର୍ଯ୍ୟ କରିଛନ୍ତି। ଅନେକ ଉପାଦେୟ ପୁସ୍ତକକୁ ସେ ଓଡ଼ିଆରେ ଅନୁବାଦ କରିଛନ୍ତି। ଏଥିମଧ୍ୟରେ ରହିଛି ସଂସାର, ପୂର୍ଣ୍ଣିମା ରାତ୍ରିର ଅଭିସାର ଓ ଅନ୍ୟାନ୍ୟ ଗଳ୍ପ, ସମୁଦ୍ର କୂଳର ଗାଁ, ଖୁଶୱନ୍ତ ସିଂହଙ୍କ ଗଳ୍ପ, ଏମ.ଟି. ବାସୁଦେବ ନାୟାରଙ୍କ ଗଳ୍ପ, ବିଭାଜନ ଇତ୍ୟାଦି। ଶ୍ରୀ ଶତପଥୀଙ୍କ ଏହି ଅନୁବାଦ ପୁସ୍ତକଟି ଭୁବନେଶ୍ବର ଆର୍ଯ୍ୟବେଦାନ୍ତ ପବ୍ଲିକେସନ ଦ୍ୱାରା ୨୦୨୨ରେ ପ୍ରକାଶ ପାଇଥିଲା। ୨୦୧୪ ମସିହାରେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି। ଏଥର ଓଡ଼ିଆ ଭାଷାର ଅନୁବାଦ ପୁରସ୍କାର ପାଇଁ ବିଚାରକ ମଣ୍ଡଳୀରେ ଥିଲେ ଅମରେଶ ପଟ୍ଟନାୟକ, ପ୍ରବାସିନୀ ମହାକୁଡ଼ ଓ ମୋନାଲିସା ଜେନା।

ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ସାହିତ୍ୟ ଅକାଦେମିର କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ୨୦୨୪ ବର୍ଷ ପାଇଁ ଅନୁବାଦ ପୁରସ୍କାର ଘୋଷଣା କରାଯାଇଛି। ଅକାଦେମିର ସଭାପତି ମାଧବ କୌଶିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଆ ସମେତ ୨୧ଟି ଭାଷାର ଅନୁବାଦ ପୁସ୍ତକ ପୁରସ୍କାର ପାଇଁ ନାଁ ଘୋଷଣା ହୋଇଛି। ଏହି ପୁରସ୍କାର ପାଇଁ ମନୋନୀତ ଅନ୍ୟ ଭାଷାର ଲେଖକମାନେ ହେଉଛନ୍ତି ଅଞ୍ଜନ ଶର୍ମା (ଅହମିଆ), ବାସୁଦେବ ଦାସ (ବଙ୍ଗଳା), ଉତ୍ତରା ବସୁମାତାରୀ (ବୋଡୋ), ଅର୍ଚ୍ଚନା କେସର (ଡୋଗ୍ରୀ), ଅନିସୁର ରହମାନ (ଇଂରାଜୀ), ରମଣିକ ଅଗ୍ରୱତ (ଗୁଜରାଟୀ), ମଦନ ସୋନି (ହିନ୍ଦୀ), ସିଦ୍ଧଲିଙ୍ଗ ପତ୍ତନସେଟ୍ଟୀ (କନ୍ନଡ), ଗୁଲାମ ନବୀ ଆତଶ (କଶ୍ମିରୀ), ମିଲିନ୍ଦ ମହମଲ (କୋଙ୍କଣୀ), କେଶକର ଠାକୁର (ମୈଥିଳି), କେ. ଭି. କୁମାରନ (ମାଲୟାଲମ), ଏସ ଇନ୍ଦ୍ରକୁମାର (ମଣିପୁରୀ), ସୁଦର୍ଶନ ଅଠାୱଲେ (ମରାଠୀ), ଚନ୍ଦନ ନେଗୀ (ପଞ୍ଜାବୀ),  ସୋହନ୍ଦନ ଚରଣ (ରାଜସ୍ଥାନୀ), ନାଜିର ହେମ୍ବ୍ରମ (ସାନ୍ତାଳି), ଶୋଭା ଲାଲଚନ୍ଦାନୀ (ସିନ୍ଧୀ), ପି. ବିମଳା (ତାମିଲ) ଏବଂ ଟି. ରାଜେଶ୍ବରୀ (ତେଲୁଗୁ)। ନେପାଳୀ ଏବଂ ସଂସ୍କୃତ ଭାଷାର ପୁରସ୍କାର ପରେ ଘୋଷଣା ହେବାକୁ ଥିବା ବେଳେ ଏଥର ଉର୍ଦ୍ଦୁ ଭାଷାରେ ପୁରସ୍କାର ଦିଆଯିବ ନାହିଁ ବୋଲି ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଅକାଦେମିର ସଚିବ ଡକ୍ଟର କେ. ଶ୍ରୀନିବାସରାଓ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe