Image Courtesy of Times Now
କଟକ: ୮୦ ହଜାର ଟଙ୍କାରେ ଶିଶୁ ପୁତ୍ରକୁ ବିକ୍ରି କରିଥିବା ଏକ ଅଃନ୍ତରାଜ୍ୟ ଶିଶୁ ଚାଲାଣ ରାକେଟର ପର୍ଦ୍ଦାଫାସ କରିଛି ଆରପିଏଫ୍ ଥାନା ପୁଲିସ। ଏହି କାରବାରରେ ସଂପୃକ୍ତ ୫ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ମାଲଗୋଦାମ ଥାନା ଅନ୍ତର୍ଗତ ଯୋବ୍ରା ଅଞ୍ଚଳରେ ରହୁଥିବା ପଶ୍ଚିମବଙ୍ଗ ମେଦିନପୁରର ଅମିତ ସନାତନ ପାଲ(୩୬), ପୁରୀର ରାଧା ସାହୁ(୩୮), ଟିକି ଓରଫ ସୁନିଲ ମିଶ୍ର(୧୮), ପୁରୀ ଚାରିଛକ ଥାନା ଅଞ୍ଚଳର ନୁସରତ ଜାହାନ(୩୭) ଓ ସୋହାନା ବେଗମ(୩୭)। ଅଭିଯୁକ୍ତଙ୍କ ନିକଟରୁ ୯ ମାସର ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି। ନୁସରତ ଅଙ୍ଗନବାଡ଼ି ଦିଦି ଭାବେ କାର୍ଯ୍ୟ କରୁଥିବା ଆରପିଏଫ୍ ପୁଲିସ ସୂଚନା ଦେଇଛି।
ସୂଚନା ଅନୁଯାୟୀ, ଗଲା ବୁଧବାର ଦିନ ଝାଡଖଣ୍ଡ ରାଞ୍ଚି ଜିଲ୍ଲାର ଚୁଟିଆ ପୁଲିସ କଟକ ଆରପିଏଫ ଥାନାରେ ଝାଡଖଣ୍ଡ ଲାତେହାର ଜିଲ୍ଲା ଧାଗରତୋଲା ଅଞ୍ଚଳର ପ୍ରଦୀପ ଲୋହରାଙ୍କ ୯ ମାସର ଶିଶୁ ଚୋରି ସମ୍ପର୍କରେ ସୂଚନା ଦେଇଥିଲା। ଗଲା ୧୨ ତାରିଖରେ ପ୍ରଦୀପ ତାଙ୍କ ପତ୍ନୀ ଓ ୯ ମାସର ଶିଶୁ ସହିତ ଅଗରତାଲାରୁ ଟ୍ରେନ ଯୋଗେ ରାଞ୍ଚି ଆସିଥିଲେ। ସେଠାରୁ ତାଙ୍କ ପୈତୃକ ଘର ଲାତେହାର ଯିବା ସମ୍ଭବ ନ ହେବାରୁ ଶିଶୁପୁତ୍ର ସହିତ ଦମ୍ପତି ଷ୍ଟେସନ ଟିକଟ କାଉଣ୍ଟର ପାଖରେ ରାତି କଟାଇଥିଲେ। ପ୍ରଦୀପ କିଛି ଖାଦ୍ୟ ସାମଗ୍ରୀ କିଣିବା ପାଇଁ ନିକଟକୁ ଯାଇଥିଲେ। ଏହି ସମୟରେ ଦୁଇ ଜଣ ପୁରୁଷ ଓ ଜଣେ ମହିଳା ପ୍ରଦୀପଙ୍କ ପତ୍ନୀଙ୍କ ସହିତ କଥାବାର୍ତ୍ତା କରି କୌଶଳକ୍ରମେ ତାଙ୍କୁ ଖାଦ୍ୟରେ ନିଶା ଦେଇଥିଲେ। ପତ୍ନୀ ଏହାକୁ ଖାଇ ଅଚେତ ହୋଇପଡ଼ିଥିଲେ। ପରେ ତାଙ୍କ କୋଳରେ ଥିବା ଶିଶୁକୁ ଧରି ସେମାନେ ଫେରାର ହୋଇଯାଇଥିଲେ। କିଛି ସମୟ ପରେ ପ୍ରଦୀପ ପହଞ୍ଚିଲା ବେଳକୁ ପତ୍ନୀ ଅଚେତ ଅବସ୍ଥାରେ ପଡ଼ିଥିଲେ। ତୁରନ୍ତ ଚିକତ୍ସା ପାଇଁ ତାଙ୍କୁ ଡାକ୍ତରଖାନା ନେଇଥିଲେ। ପତ୍ନୀଙ୍କ ଚେତା ଫେରିବା ପରେ ଘଟଣା ସମ୍ପର୍କରେ କହିଥିଲେ। ପ୍ରଦୀପ ସେଠାରେ ଥିବା ଚୁଟିଆ ଥାନାରେ ଅଭିଯୋଗ କରିଥିଲେ।
ଚୁଟିଆ ପୁଲିସ ଷ୍ଟେସନରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ତିନି ସନ୍ଦିଗ୍ଧଙ୍କୁ ଠାବ କରିଥିଲା। ଅଭିଯୁକ୍ତଙ୍କ ମୋବାଇଲ ନମ୍ବର ପୁଲିସ ପାଇବା ପରେ ଏହାକୁ ଟ୍ରାକିଂ କରିଥିଲା। ଏହି ଦୁର୍ବୃତ୍ତମାନେ କଟକ ଆସିଥିବା ଜଣାପଡ଼ିଥିଲା। ଏହାପରେ ଚୁଟିଆ ପୁଲିସ କଟକ ଆରପିଏଫ୍ ଥାନାକୁ ଘଟଣା ସମ୍ପର୍କରେ ଅବଗତ କରିଥିଲା। ଆରପିଏଫ୍ ଟିମ୍ ଯାଞ୍ଚ ପରେ ଯୋବ୍ରା ଅଞ୍ଚଳରେ ଏହି ଗ୍ୟାଙ୍ଗ୍ ରହୁଥିବା ଜଣାପଡ଼ିଥିଲା। ଏହାପରେ ଆରପିଏଫ୍ ସେଠାରେ ଚଢ଼ଉ କରିଥିଲା। କିନ୍ତୁ ସେଠାରେ କେହି ନଥିଲେ। ଘର ମାଲିକଙ୍କୁ ପଚରାଉଚରା ପରେ ଅଭିଯୁକ୍ତମାନେ କଟକରୁ ଟ୍ରେନରେ ଖୋର୍ଦ୍ଧା ଅଞ୍ଚଳକୁ ଯାଇଥିବା ଜଣାପଡ଼ିଥିଲା। ଆରପିଏଫ ଟିମ ଖୋର୍ଦ୍ଧା କର୍ମଚାରୀଙ୍କ ସହିତ ଯୋଗାଯୋଗ କରି ମୋବାଇଲ ଲୋକେସନ ଆଧାରରେ ପ୍ରଥମେ ୩ ଅଭିଯୁକ୍ତ ଅମିତ, ରାଧା ଓ ସୁନିଲକୁ ଗିରଫ କରିଥିଲା। ତାଙ୍କୁ ପଚରାଉଚରା ପରେ ଆରପିଏଫ ମଧ୍ୟସ୍ଥି ନୁସରତ ଜାହାନର ଠିକଣା ପାଇଥିଲା। ସେ ଚୋରି କରିଥିବା ଶିଶୁକୁ ୮୦ ହଜାର ଟଙ୍କାରେ ପୁରୀ ଚାରିଛକ ଅଞ୍ଚଳର ସୋହାନା ବେଗମକୁ ବିକ୍ରି କରିଥିବା ଜଣାପଡ଼ିଥିଲା। ୫୮ ହଜାର ୫୦୦ ଟଙ୍କା ଫୋନ୍ ପେ ଓ ଅବଶିଷ୍ଟ ଟଙ୍କା ନଗଦ ଆକାରରେ କାରବାର ହୋଇଥିଲା। ଆର୍ପିଏଫ ନୁସରତକୁ ଠାବ କରିବା ପରେ ସୋହାନର ଠିକଣା ପାଇ ତାକୁ ବି ଗିରଫ କରିଥିଲା। ସୋହାନ ନିକଟରେ ଥିବା ଉକ୍ତ ଶିଶୁକୁ ଉଦ୍ଧାର କରାଯାଇଛି।
ନୁସରତ ଏହି ଶିଶୁ କାରବାର ବାବଦରେ ୨୦ ହଜାର ଟଙ୍କା କମିସନ ପାଇଛି। ଅନ୍ୟପଟେ ଅମିତ ଓ ରାଧା ଯୋବ୍ରାରେ ସ୍ବାମୀ ସ୍ତ୍ରୀ ଭାବେ ରହୁଥିଲେ। ରାଧା ତାର ପ୍ରଥମ ସ୍ବାମୀଙ୍କ ପୁଅ ଟିକିକୁ ଧରି ଯୋବ୍ରାରେ ଅମିତ ସହିତ ରହୁଥିଲା। ପୁରା ଗ୍ୟାଙ୍ଗ ପୂର୍ବରୁ ଏଭଳି ଶିଶୁ ବିକ୍ରି କାରବାର କରିଥିବାରୁ ସେହି ସୂତ୍ରରେ ପରସ୍ପର ସହିତ ପରିଚିତ ବୋଲି କଟକ ଆରପିଏଫ୍ ଆଇଆଇସି ଅନିଲ ସିଂହ ସୂଚନା ଦେଇଛନ୍ତି।
Follow Us