ଆର୍‌ଜିଏଚ୍‌ରେ ନବଜାତ ଶିଶୁ ବିକ୍ରି ଘଟଣା:  ନବଜାତ ଶିଶୁକୁ ଧରି ଘରୁ ଦମ୍ପତି ଫେରାର

ଆର୍‌ଜିଏଚ୍‌ରେ ନବଜାତ ଶିଶୁ ବିକ୍ରି ଘଟଣା:  ନବଜାତ ଶିଶୁକୁ ଧରି ଘରୁ ଦମ୍ପତି ଫେରାର

ରାଉରକେଲା : ଆର୍‌ଜିଏଚ୍‌ରେ ନବଜାତ ଶିଶୁ ବିକ୍ରି ଅଭିଯୋଗ ସମ୍ପର୍କିତ ଖବର ଦୈନିକ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ବୁଧବାର ଦିନ ଚାଇଲ୍‌ଡ ଲାଇନ୍‌ ଟିମ୍‌ ଓ ଉଦିତନଗର ପୁଲିସ ଉଦିତନଗର ଆର୍‌ଏମ୍‌ସି ସମ୍ମୁଖ ବସ୍ତିରେ ଚଢ଼ଉ କରିଥିଲେ। ଗିରଫ ଭୟରେ ଦମ୍ପତି ନବଜାତ ଶିଶୁକୁ ଧରି ଘରୁ ଫେରାର ହୋଇଯାଇଛନ୍ତି। ଘରେ ତାଲା ଝୁଲୁଥିବାରୁ ଉଭୟ ପୁଲିସ ଓ ଚାଇଲ୍‌ଡ ଲାଇନ ଟିମ୍‌ ଫେରି ଆସିଛନ୍ତି। ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା ଘଟଣା ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜକାନ୍ତି ମିଶ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀବନ୍ତ ଜେନାଙ୍କୁ ଚିଠି ଲେଖି ଅବଗତ କରିଛନ୍ତି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ‌ଏହି ବେଆଇନ କାରବାରରେ ସମ୍ପୃକ୍ତ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠିରେ ସୁପାରିସ କରିଛନ୍ତି।

ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା କହିଛନ୍ତି, ବୁଧବାର ଦିନ ଉଦିତନଗର ଆର୍‌ଏମ୍‌ସି ସମ୍ମୁଖ ବସ୍ତିରେ ନବଜାତ ଶିଶୁକୁ ଠାବ କରାଯାଇଛି। ଆର୍‌ଜିଏଚ୍‌ରୁ ନବଜାତ ଶିଶୁକୁ ଆଣିଥିବା ମହିଳା ଜଣଙ୍କ ସ୍ବୀକାର କରିଛନ୍ତି ବୋଲି ଚାଇଲ୍‌ଡ ଲାଇନ୍‌ ଟିମ୍‌ର ଗଜଲା ପରବିନ୍‌ କହିଛନ୍ତି। ସେ କହିଛନ୍ତି, ତାଙ୍କ ନେତୃତ୍ବରେ ଦୁଇ ଜଣିଆ ଚାଇଲ୍‌ଡ ଲାଇନ୍‌ ଟିମ୍‌ ମହିଳାଙ୍କ ଘରେ ପହଞ୍ଚିଥିଲେ। ମହିଳାଙ୍କ କୋଳରେ ନବଜାତ ଶିଶୁଟିକୁ ଦେଖିବାକୁ ପାଇଥିଲେ। ପଚରାଉଚୁରା ସମୟରେ ମହିଳା ଜଣକ ନବଜାତ ଶିଶୁକୁ ଆର୍‌ଜିଏଚ୍‌ରୁ ଆଣିଥିବା ଅଭିଯୋଗକୁ ସ୍ବୀକାର କରିଛନ୍ତି। ପରେ ମହିଳା ଜଣକ ପଡୋଶୀ ଘରୁ ଆସୁଛି ବୋଲି ବାହାନା କରି ଘରେ ତାଲା ମାରି ଚାଲିଯାଇଥିଲେ। ଆଉ ଘରକୁ ଫେରି ନଥିଲେ। ଏ ସଂକ୍ରାନ୍ତରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀବନ୍ତ ଜେନାଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ୍‌ ଉଠାଇ ନଥିଲେ।

ଆର୍‌ଜିଏଚ୍‌ରୁ ଶିଶୁ ଆଣିଥିବା ମହିଳା ଜଣକ ଚାଇଲ୍‌ଡ ଲାଇନ୍‌ ଟିମ୍‌ ଆଗରେ ସ୍ବୀକାର କରିବା ପରେ ମାତୃ ଓ ଶିଶୁ ହସ୍ପିଟାଲରେ ଏହି ବେଆଇନ ରାକେଟ୍‌ ଚାଲିଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଆଗାମୀ ଦିନରେ ନବଜାତ ଶିଶୁକୁ ଉଦ୍ଧାର କରିବାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଉଦିତନଗର ପୁଲିସ୍‌ ସଫଳ ହେଉଛି କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି। ଜନ୍ମକଲା ମା’ ମାତ୍ର ୨୫ ହଜାର ଟଙ୍କାରେ ନିଜ ନବଜାତକକୁ ବିକ୍ରି କରି ଦେଇଥିଲେ। ତା’ପୁଣି ଡାକ୍ତରଖାନାର ସମାନ ୱାର୍ଡରେ ମୃତ୍ୟୁବରଣ କରିଥିବା ଅନ୍ୟ ଏକ ନବଜାତ ପୁଅର ମା’କୁ। ନବଜାତ ଶିଶୁପୁତ୍ରକୁ ୨୫ ହଜାର ଟଙ୍କା ବଦଳରେ ପୁତ୍ରହରା ଦମ୍ପତିଙ୍କ ହାତରେ ଟେକି ଦେବାପରେ କାହାକୁ କିଛି ନ କହି ଉକ୍ତ ଆଦିବାସୀ ମହିଳା ସ୍ବାମୀଙ୍କ ସହ ଝାଡ଼ଖଣ୍ଡର ନିଜ ଗାଁକୁ ଚାଲି ଯାଇଛନ୍ତି। ଏମିତି ଅଭାବନୀୟ ଘଟଣା ଗତ ୨ ତାରିଖରେ ଆର୍‌ଜିଏଚ୍‌ରେ ଘଟିଥିଲେ ମଧ୍ୟ କେହି ଏହାର ସୁରାକ୍‌ ପାଇ ନଥିଲେ। ତେବେ ପୁଅକୁ ହରାଇଥିବା ଜଣେ ମହିଳାଙ୍କ କୋଳରେ ଶିଶୁପୁତ୍ରଟିଏ ଦେଖିବାପରେ ଚିହ୍ନାଜଣା ଲୋକେ ଆଲୋଚନା କରିବାପରେ ମାମଲାଟି ସାମ୍‌ନାକୁ ଆସିଥିଲା।

ଉଲ୍ଲେଖଯୋଗ୍ୟ, ଉଦିତନଗର ବସ୍ତିର ଜଣେ ଗର୍ଭବତୀ ମହିଳା ଗତ ୧ ତାରିଖରେ ଆର୍‌ଜିଏଚ୍‌ରେ ଭର୍ତ୍ତି ହୋଇଥିଲେ। ଅପରାହ୍ନ ପ୍ରାୟ ସାଢ଼େ ୧୨ଟାରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ତେବେ ନବଜାତର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତା’କୁ ଏସ୍‌ଏନ୍‌ସିୟୁରେ ଭର୍ତ୍ତି କରାଯାଇଥିଲା। ରାତି ପ୍ରାୟ ସାଢ଼େ ୭ଟାରେ ନବଜାତ ଶିଶୁପୁତ୍ରର ମୃତ୍ୟୁ ହୋଇଯାଇଥିଲା। ପରିବାର ଲୋକ ମୃତ ଶିଶୁକୁ ନେଇ ନିଜ ବସ୍ତି ଇଲାକାରେ ପୋତି ଦେଇଥିଲେ। ଆର୍‌ଜିଏଚ୍‌କୁ ପଡ଼ୋଶୀ ଝାଡ଼ଖଣ୍ଡର ସୀମାବର୍ତ୍ତୀ ଅନେକ ଗାଁରୁ ବହୁ ରୋଗୀ ଆସନ୍ତି। ସେହି କ୍ରମରେ ସେହି ସମାନ ୱାର୍ଡରେ ଝାଡ଼ଖଣ୍ଡ ମନୋହରପୁର ଆନନ୍ଦପୁର ଅଞ୍ଚଳର ଜଣେ ଗର୍ଭବତୀ ମହିଳା ନଭେମ୍ବର ୨୯ରେ ଭର୍ତ୍ତି ହୋଇଥିଲେ। ସେହିଦିନ ହିଁ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ତାଙ୍କୁ ୩୦ ତାରିଖରେ ଡିସ୍‌ଚାର୍ଜ କରାଯାଇଥିଲା। କିନ୍ତୁ କୌଣସି କାରଣବଶତଃ ସେହିଦିନ ସେ ଡାକ୍ତରଖାନାରୁ ଯାଇ ପାରି ନଥିଲେ। ପରଦିନ ସନ୍ଧ୍ୟାରେ ସେହି ୱାର୍ଡରେ ମୃତ୍ୟୁବରଣ କରିଥିବା ନବଜାତ ପୁତ୍ର ସନ୍ତାନର ମା’ ଓ ତାଙ୍କ ସ୍ବାମୀ ଝାଡ଼ଖଣ୍ଡର ଉକ୍ତ ମହିଳାଙ୍କୁ ନବଜାତ ପୁତ୍ର ସନ୍ତାନକୁ ବିକ୍ରି କରିବାକୁ ଟଙ୍କାର ଲୋଭ ଦେଖାଇଥିଲେ। ମହିଳା ଜଣକ ୫୦ ହଜାର ଟଙ୍କା ଦାବି କରିଥିଲେ। ତେବେ ଶିଶୁକୁ ନେବାକୁ ଇଚ୍ଛୁକ ମହିଳା ଓ ତାଙ୍କ ସ୍ବାମୀ ମାତ୍ର ୨୫ ହଜାର ଟଙ୍କା ଦେଇହେବ ବୋଲି କହିଥିଲେ। ଏମିତି ମୂଲଚାଲ ପରେ ଝାଡ଼ଖଣ୍ଡର ମହିଳା ସେଥିରେ ରାଜି ହୋଇଥିଲେ। ତା’ପରେ ଅନ୍ୟ ମହିଳାଙ୍କ ସ୍ବାମୀ ଘରେ ଥିବା ସୁନାଗହଣାକୁ ବନ୍ଧକ ରଖି ୨୫ ହଜାର ଟଙ୍କା ଆଣିଥିଲେ। ଝାଡ଼ଖଣ୍ଡର ଦମ୍ପତି ସେହି ୨୫ ହଜାର ଟଙ୍କା ନେଇ ନିଜ ନବଜାତ ପୁଅକୁ ଏମାନଙ୍କୁ ଦେଇ ନିଜ ଘରକୁ ବାହୁଡ଼ି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe