ସହରରେ ବିକ୍ରି ହେଉଛି ଅବଧି ଶେଷ ହୋଇଥିବା ଖାଦ୍ୟ ସାମଗ୍ରୀ, ମାଜିଷ୍ଟ୍ରେଟ ଅସୁସ୍ଥ ହେବା ପରେ ଚଢ଼ଉ

Advertisment
ସହରରେ ବିକ୍ରି ହେଉଛି ଅବଧି ଶେଷ ହୋଇଥିବା ଖାଦ୍ୟ ସାମଗ୍ରୀ, ମାଜିଷ୍ଟ୍ରେଟ ଅସୁସ୍ଥ ହେବା ପରେ ଚଢ଼ଉ

Justdial

ଫୁଲବାଣୀ : ଫୁଲବାଣୀ ସହରର ବିଭିନ୍ନ ସ୍ନାକ୍ସ୍‌ ଦୋକାନରେ ଏକ୍ସପାଏରି ସାମଗ୍ରୀ ବିକ୍ରି ହେଉଥିବାର ଜଣାପଡ଼ିଛି। ବର୍ଷବର୍ଷ ଧରି ବ୍ୟବସାୟୀମାନେ ଅବଧି ଶେଷ ହୋଇଥିବା ଖାଦ୍ୟ  ସାମଗ୍ରୀ, କ୍ଷୀର, ଦହି ଆଦି ବିକ୍ରି କରୁଥିବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଖାଦ୍ୟ ନିରୀକ୍ଷକ ଏଥିପ୍ରତି ଧ୍ୟାନ ଦେଉ ନଥିଲେ। ତେବେ ଜନୈକ ମାଜିଷ୍ଟ୍ରେଟ୍‌ ଏକ ଦୋକାନରୁ ସ୍ନାକ୍ସ କିଣି ଅସୁସ୍ଥ ହେବା ପରେ ଦୋକାନୀମାନେ ବିକୁଥିବା ଏକ୍ସପାଏରି ଖାଦ୍ୟ ସାମଗ୍ରୀର ଗୁମର ଫିଟିଥିଲା। ଅପରପକ୍ଷେ, ଖାଦ୍ୟ ନିରୀକ୍ଷକଙ୍କ କାର୍ଯ୍ୟଦକ୍ଷତା ନେଇ ଫୁଲବାଣୀ ସହରବାସୀଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସହରରେ ଖାଦ୍ୟ ନିରୀକ୍ଷକଙ୍କ କାର୍ଯ୍ୟାଳୟ କାମ କରୁଛି ବୋଲି ଜାଣନ୍ତି ନାହିଁ। ଫୁଲବାଣୀ ସହରର ଏକ ସ୍ନାକ୍ସ୍‌ ପାର୍ଲର ଉପରେ ଖାଦ୍ୟ ନିରୀକ୍ଷକ ଓ ଯୋଗାଣ ବିଭାଗ ପକ୍ଷରୁ ମିଳିତ ଚଢ଼ଉ କରାଯାଇ ଏକ୍ସପାଏରି ହୋଇଥିବା ଅନେକ ଖାଦ୍ୟ ସାମଗ୍ରୀ ଜବତ କରାଯିବା ସହ କିଛି ସାମଗ୍ରୀର ନମୁନା ସଂଗ୍ରହ କରାଯାଇଛି। ସମ୍ପୃକ୍ତ ଦୋକାନୀଙ୍କର ୨ ବର୍ଷ ହେଲା ଫୁଡ୍‌ ଲାଇସେନ୍ସ ନବୀକରଣ ହୋଇ ନଥିବା ଚଢ଼ଉ ବେଳେ ଜଣାପଡ଼ିଛି।

ସୂଚନାଯୋଗ୍ୟ, ଫୁଲବାଣୀ ସହରର ଜଣେ ମାଜିଷ୍ଟ୍ରେଟ୍‌ ଏହି ଦୋକାନରୁ କିଛି ସ୍ନାକ୍ସ ସାମଗ୍ରୀ ଆଣିଥିଲେ। ଏହାକୁ ଖାଇବା ପରେ ସେ ଭୀଷଣ ଅସୁସ୍ଥ ହୋଇ ପଡ଼ିଥିଲେ। ପରେ ଏହି ସ୍ନାକ୍ସ  ପ୍ୟାକେଟ୍‌ର ଖୋଳକୁ ଦେଖିବା ପରେ ଏହା ଏକ୍ସପାଏରି ହୋଇଯାଇଥିବା ଜଣାପଡ଼ିଥିଲା। ଏନେଇ ମାଜିଷ୍ଟ୍ରେଟ୍‌ ଜଣକ ଅତିରିକ୍ତ ଜିଲ୍ଲାପାଳଙ୍କୁ ଜଣାଇବା ପରେ ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଖାଦ୍ୟ ନିରୀକ୍ଷକ ଏବଂ ଯୋଗାଣ ଅଧିକାରୀଙ୍କ ପକ୍ଷରୁ ସମ୍ପୃକ୍ତ ଦୋକାନ ଉପରେ ଚଢ଼ଉ କରାଯାଇଥିଲା। ଅପରପକ୍ଷେ, ଫୁଲବାଣୀ ସହରରେ କେଉଁଠି ଖାଦ୍ୟ ନିରୀକ୍ଷକଙ୍କ କାର୍ଯ୍ୟାଳୟ କାମ କରୁଛି, ସେନେଇ ସହରବାସୀ ଜାଣନ୍ତି ନାହିଁ। ଫୁଲବାଣୀ ସହରରେ ଫୁଡ୍‌ ଇନ୍‌ସପେକ୍ଟର ପଦବିଟିଏ ରହିଛି ବୋଲି ଅଧିକାଂଶ ଜାଣନ୍ତି ନାହିଁ। ଫୁଡ୍‌ ଇନ୍‌ସପେକ୍ଟରଙ୍କ ଫୋନକୁ ଯେତେବେଳେ ବି ଫୋନ୍‌ କଲ୍‌ କଲେ ସବୁବେଳେ ସୁଇଚ୍‌ ଅଫ୍‌ ଥାଏ। ଫୁଲବାଣୀ ସହରରେ ବିଭିନ୍ନ ଦୋକାନ ମାନଙ୍କରେ ନିୟମିତ ଚଢ଼ଉ କରାଯାଇ ଖାଦ୍ୟର ମାନ ଯାଞ୍ଚ କରିବାକୁ ଦାବି ହୋଇଛି। ଅପରପକ୍ଷେ, ରାସ୍ତା ପାର୍ଶ୍ବରେ ଖୋଲିଥିବା ବିଭିନ୍ନ ଜଳଖିଆ ଦୋକାନ ଏବଂ ହୋଟେଲ୍‌ ମାନଙ୍କରେ ଖାଦ୍ୟର ମାନ ଯାଞ୍ଚ ନେଇ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe