ଏନ୍‌ଆରସିରେ ‘ସାମ୍’ ପିଲାଙ୍କ ଖାଦ୍ୟ ଖର୍ଚ୍ଚ ବଢ଼ିଲା

୫୦ ଟଙ୍କା ଥିଲା ୮୦ ହେଲା, ଡାକ୍ତରଙ୍କ ପରାମର୍ଶ ଦିନ ୩ ବଦଳରେ ୪କୁ ବଢ଼ିଲା

ଏନ୍‌ଆରସିରେ ‘ସାମ୍’ ପିଲାଙ୍କ ଖାଦ୍ୟ ଖର୍ଚ୍ଚ ବଢ଼ିଲା

bjdodisha.org.in

ଭୁବନେଶ୍ବର : କୁପୋଷଣର ଶିକାର ହୋଇ ପୁଷ୍ଟି ସାଧନ କେନ୍ଦ୍ର ବା ଏନ୍‌ଆରସିରେ ଚିକିତ୍ସିତ ହେଉଥିବା ପିଲାଙ୍କ ଖାଦ୍ୟ ଖର୍ଚ ବୃଦ୍ଧି କରାଯାଇଛି। ପୂର୍ବରୁ ଶିଶୁଙ୍କ ଦୈନିକ ଖାଦ୍ୟ ଖର୍ଚ ୫୦ ଟଙ୍କା ଥିବା ବେଳେ ଏବେ ତାହା ୮୦ ଟଙ୍କାକୁ ବୃଦ୍ଧି ପାଇଛି। ଦରଦାମ୍ ବୃଦ୍ଧି ଯୋଗୁଁ ଖାଦ୍ୟ ଖର୍ଚକୁ ବୃଦ୍ଧି କରାଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

କୁପୋଷଣକୁ କମାଇବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ମାତ୍ର ସ୍ଥିତି‌ରେ ବିଶେଷ ସୁଧାର ଆସୁନାହିଁ। କିଛିବର୍ଷ ପୂର୍ବରୁ ଯାଜପୁର ଜିଲ୍ଲା ନଗଡ଼ାରେ ମାତ୍ରାଧିକ କୁପୋଷଣ ବା ‘ସାମ୍’ ଶିଶୁ ଦେଶବ୍ୟାପୀ ଚହଳ ସୃଷ୍ଟି କରିଥିଲା। ସରକାରୀ ହସ୍ପିଟାଲର ଶିଶୁରୋଗ ୱାର୍ଡରୁ ସେମାନଙ୍କୁ ଚିହ୍ନଟ କରାଯାଇ ଏନ୍‌ଆରସିରେ ଚିକିତ୍ସା କରାଯାଉଛି। ବର୍ତମାନ ସୁଦ୍ଧା ରାଜ୍ୟରେ ୬୭ଟି ଏନ୍‌ଆରସି କାର୍ଯ୍ୟକ୍ଷମ ରହିଛି। ଏନ୍‌ଆରସି ପାଇଁ ସ୍ବତନ୍ତ୍ର ଖାଦ୍ୟ ବ୍ୟବସ୍ଥା ରହିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ଗାଇଡଲାଇନ୍ ମଧ୍ୟ ଜାରି କରାଯାଇଛି। ପୂର୍ବରୁ ଏନ୍‌ଆରସିରେ ଥିବା ପ୍ରତ୍ୟେକ ପିଲାଙ୍କ ଦୈନିକ ଖାଦ୍ୟ ଖର୍ଚ ୫୦ ଟଙ୍କା ରହିଥିଲା। ମାତ୍ର ବର୍ତମାନର ପରିସ୍ଥିତିକୁ ନଜରରେ ରଖି ଖର୍ଚକୁ ୮୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାସହ ଏନ୍‌ଆରସିରୁ ବାହାରିବା ପରେ ପୂର୍ବରୁ ସଂପୃକ୍ତ ଶିଶୁକୁ ୩ଥର ଡାକ୍ତରଙ୍କ ପରାମର୍ଶ ନେବା ବାଧ୍ୟତାମୂଳକ ରହିଥିଲା। ମାତ୍ର ଏବେ ତାହାକୁ ୪ଥରକୁ ବୃଦ୍ଧି ପାଇଛି।

publive-image

ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ମତରେ ‘ସାମ୍’ ଶିଶୁଙ୍କ ଦୈନିକ ଖାଦ୍ୟ ଖର୍ଚ ୮୦ ଟଙ୍କାକୁ ବୃଦ୍ଧି ନିଷ୍ପତ୍ତି ନିଆଯାଇଛି। ଯାହାଫଳରେ ଏନ୍‌ଆରସିରେ ଶିଶୁମାନଙ୍କୁ ପୂର୍ବଭଳି ଆବଶ୍ୟକ ଖାଦ୍ୟ ମିଳିପାରିବ। ଏହାସହ ଏନ୍‌ଆରସିରୁ ଚିକିତ୍ସିତ ହୋଇଥିବା ଶିଶୁଙ୍କୁ ଚତୁର୍ଥ ଥର ଲାଗି ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। ପ୍ରଥମ ଓ ଚତୁର୍ଥ ଥର ଏନ୍‌ଆରସି, ଦ୍ବିତୀୟ ଓ ତୃତୀୟ ଥର ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ ପରାମର୍ଶ ନେବାକୁ ହେବ। ଯାହାଫଳରେ ସଂପୃକ୍ତ ଶିଶୁଙ୍କ କ୍ଷେତ୍ରରେ କ’ଣ ପରିବର୍ତନ ହୋଇଛି ତାହା ସ୍ପଷ୍ଟ ହୋଇପାରିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe