ସମ୍ବାଦ ସିଇଓ କନ୍‌କ୍ଲେଭ୍ ତୃତୀୟ ସଂସ୍କରଣ; ବିକାଶ ସହ ସବୁଜ ବଳୟ ସୁନିଶ୍ଚିତ କରାଯିବ: କନକ ବର୍ଦ୍ଧନ

Advertisment

‘ନୂଆ ଓଡ଼ିଶା’ ପାଇଁ ବିଶୁ ମହାରଣା ସାଜିବ ବିଜେପି ସରକାର: ସୁରେଶ ପୂଜାରୀ

‘ନୂଆ ଓଡ଼ିଶା’ ପାଇଁ ବିଶୁ ମହାରଣା ସାଜିବ ବିଜେପି ସରକାର: ସୁରେଶ ପୂଜାରୀ

ସିଇଓ କନ୍‌କ୍ଲେଭ୍‌ ୨୦୨୪: ପୁନଶ୍ଚ ପୃଥିବୀ-ଆର୍ଥଡେ.ଓଆର୍‌ଜି ସହଯୋଗିତା

ଭୁବନେଶ୍ବର: କୌଣସି ବିକାଶ କାର୍ଯ୍ୟ ହେଲେ ଗଛ କାଟିବାକୁ ପଡ଼ିଥାଏ। ଶିଳ୍ପ ସଂସ୍ଥା ଯେତୋଟି ଗଛ କାଟିବେ ସମ ପରିମାଣର ଗଛ ଲଗାଇବାକୁ ହେବ। ଏହାକୁ ରାଜ୍ୟ ସରକାର ସୁନିଶ୍ଚିତ କରିବେ। ବିକାଶ ସହ ସବୁଜ ବଳୟର ମଧ୍ୟ ଆବଶ୍ୟକତା ରହିଛି। ଶିଳ୍ପ ସଂସ୍ଥାମାନେ ସେମାନଙ୍କ କର୍ପୋରେଟ୍‌ ସାମାଜିକ ଦାୟିତ୍ବ(ସିଏସ୍‌ଆର) ଜରିଆରେ ଏହାକୁ ଗୁରୁତ୍ବ ଦେବା ଆବଶ୍ୟକ ବୋଲି ‘ସମ୍ବାଦ’ ସିଇଓ କନ୍‌କ୍ଲେଭ୍‌ର ତୃତୀୟ ସଂସ୍କରଣରେ ମୁଖ୍ୟ ଅତିଥି ଭାବେ ଯୋଗ‌ଦେଇ କହିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ହୋଟେଲ ମେ ‌ଫେୟାରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଚଳିତବର୍ଷର ବିଷୟବସ୍ତୁ ରହିଥିଲା ‘ଶିଳ୍ପରେ ସ୍ଥାୟିତ୍ବର ଅଭ୍ୟାସ’। ଏହି ଅବସରରେ ଶ୍ରୀ ସିଂହଦେଓ କହିଥିଲେ, ପରିବେଶ, ସାମାଜିକ ଓ ଶାସନ(ଇଏସ୍‌ଜି) ପ୍ରଥମେ ୨୦୦୪ ମସିହାରେ ଆତ୍ମପ୍ରକାଶ କରିଥିଲା। ହେଲେ ୨୦୧୦ ପର୍ଯ୍ୟନ୍ତ ଏହାକୁ ନେଇ ସେତେଟା ଆଗ୍ରହ ଦେଖିବାକୁ ମିଳି ନ ଥିଲା। ୨୦୧୦ ଓ ୨୦୨୦ ମସିହା ବେଳକୁ ଶିଳ୍ପ ସଂସ୍ଥାମାନେ ଇଏସ୍‌ଜିକୁ ଗୁରୁତ୍ବ ଦେବା ଆରମ୍ଭ କରିଥିଲେ। ଇଏସ୍‌ଜି କେବଳ
ଶିଳ୍ପ ସଂସ୍ଥାମାନଙ୍କ ବିପଦପୂର୍ଣ୍ଣ ପରିଚାଳନା ନୁହେଁ ବରଂ ପରିବେଶ, ଅର୍ଥନୈତିକ ଓ ସାମାଜିକ ଆହ୍ବାନର ମୁକାବିଲାରେ ସହାୟକ ହୋଇପାରିଛି।ରାଜ୍ୟ ସରକାର ଇଏସ୍‌ଜି ଗୋଲ୍‌କୁ ନେଇ ପ୍ରତିଶ୍ରୁତିବଦ୍ଧ ଥିବା ବେଳେ ଶିଳ୍ପ ସଂସ୍ଥାମାନେ ମଧ୍ୟ ଏହାକୁ ପାଳନ କରିବା ଦିଗରେ ସୁନିଶ୍ଚିତ କରିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

ଉପମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ମାନବ ସମ୍ବଳ, ଶ୍ରମ ବିବାଦ ଓ ମଜୁରି ଇତ୍ୟାଦିର ଉପଯୁକ୍ତ ସମାଧାନ କରାଯିବା ଉପରେ ଗୁରୁତ୍ବ ଦିଆଯିବା ଉଚିତ୍। ଲୋକମାନଙ୍କ ଜୀବନଧାରାରେ ପରିବର୍ତ୍ତନ ଆଣିବା ପାଇଁ ସବୁ ଅଂଶୀଦାରମାନେ ବିଶେଷକରି ଶିଳ୍ପ ସଂସ୍ଥାମାନେ ଇଏସ୍‌ଜି ସହ ସନ୍ତୁଳନ ରକ୍ଷା କରି ଆଗକୁ ବଢ଼ନ୍ତୁ। ଓଡ଼ିଶା ଏକ ଜଙ୍ଗଲରେ ପରିପୂର୍ଣ୍ଣ ରାଜ୍ୟ ଥିଲା।‌ ହେଲେ ୧୯୯୯ ମହାବାତ୍ୟାରେ ରାଜ୍ୟକୁ ବହୁ କ୍ଷତି ସହିବାକୁ ପଡ଼ିଛି। ଏହାକୁ ଧୀରେ ଧୀରେ ଭରଣା କରିବା ଲାଗି ଉଦ୍ୟମ ଚାଲିଛି। ପୂର୍ବ ସରକାର ଜଳ ଜଙ୍ଗଲ ଓ ଜମିର ନାରା ଦେଇ କ୍ଷମତାକୁ ଆସିଥିଲେ। ଏହି ନାରାକୁ ଯଦି ଠିକ୍ ଢଙ୍ଗରେ ପାଳନ କରାଯାଇଥାନ୍ତା, ତାହାଲେ ଆମକୁ ଆଜି ଏ ବିଷୟରେ ଆଲୋଚନା କରିବାକୁ ପଡ଼ି ନ ଥା’ନ୍ତା। ପୂର୍ବ ସରକାର ଶିଳ୍ପ ପ୍ରତିଷ୍ଠା ପାଇଁ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍‌ସର ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ବାସ୍ତବରେ ସିଙ୍ଗିଲ ୱିଣ୍ଡୋ ନୁହେଁ ବରଂ ମଲ୍‌ଟିପୁଲ ୱିଣ୍ଡୋ ଦେଇ ସେମାନଙ୍କୁ ଦୌଡ଼ିବାକୁ ପଡ଼ୁଛି। ଦୁଇ ଦିନ ଶାସନ ଭିତରେ ଅନେକ ଶିଳ୍ପାନୁଷ୍ଠାନମାନେ ଓଡ଼ିଶାକୁ ଆସିବା ଲାଗି ଆଗ୍ର‌ହ ଦେଖାଇଛନ୍ତି।

ଶିଳ୍ପାନୁଷ୍ଠାନମାନଙ୍କୁ ପୂର୍ବଭଳି ଆଉ ଦୌଡ଼ିବାକୁ ପଡ଼ିବ ନାହିଁ ବୋଲି ପ୍ରତିଶ୍ରୁତି ଦେଉଛୁ ବୋଲି ଶ୍ରୀ ସିଂହଦେଓ କହିଥିଲେ। ମୁଖ୍ୟବକ୍ତା ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ, ସାଢ଼େ ୪କୋଟି ଓଡ଼ିଆଙ୍କର ଏକ ସ୍ବପ୍ନ ରହିଛି। ଏହି ‌ସ୍ବପ୍ନ ହେଉଛି ଏକ ନୂଆ ବିକଶିତ ଓଡ଼ିଶା। ଯେଉଁଠାରେ କେହି ଅନାହାରରେ ମରିବେ ନାହିଁ କି ଗରିବ ହୋଇ ରହିବେ ନାହିଁ। ଏକ ନୂଆ ଓଡ଼ିଶା ଗଠନ ଦିଗରେ ବିଜେପି ସରକାର ବିଶୁ ମହାରଣା ‌ଭଳି କାମ କରି‌ବ। ୧୦ବର୍ଷ ପୂର୍ବରୁ ଭାରତ ବିଶ୍ବର ବଡ଼ ଅର୍ଥନୀତି ଭିତରେ ୧୦ ନମ୍ବର ସ୍ଥାନରେ ରହିଥିଲା। ଏବେ ଦେଶ ୫ ନମ୍ବର ସ୍ଥାନକୁ ଉଠିଆସିଛି। ଆଗକୁ ୩ ନମ୍ବର ସ୍ଥାନକୁ ନେବା ପାଇଁ ଉଦ୍ୟମ ଚାଲିଛି। ଏକ ବିକଶିତ ଭାରତର ଲାବୋରେଟାରି ହେବ ଓଡ଼ିଶା।

‌ସେ ଆହୁରି ମଧ୍ୟ କହିଥିଲେ ଯେ ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ସ୍ବତନ୍ତ୍ର ସ୍ଥାନ ରହିଥିଲା। ୧୮୫୭ ବିଦ୍ରୋହ ପୂର୍ବରୁ ଓଡ଼ିଶାରେ ଇଂରେଜମାନଙ୍କ ବିରୋଧରେ ବୀର ସୁରେନ୍ଦ୍ର ସାଏ ଲଢ଼େଇ କରିଥିଲେ। ତେଣୁ ଓଡ଼ିଆମାନଙ୍କ ଏକ ସ୍ବତନ୍ତ୍ର ପରିଚୟ ରହିଛି। ଓଡ଼ିଶାରେ ବିଜେପି ସରକାର ଗଠନର ମାତ୍ର ୨ଦିନ ହୋଇଛି। ସରକାର ଗଠନର ୨ଦିନ ଭିତରେ ରାଜ୍ୟ ସରକାର ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ନିର୍ବାଚନ ସମୟରେ ବିଜେପି ରାଜ୍ୟବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିବା ତାହା ମଧ୍ୟରୁ ତୁରନ୍ତ କିଛି ପ୍ରତିଶ୍ରୁତି ଉପରେ ମୋହର ଲାଗିଛି। ଶ୍ରୀମନ୍ଦିର ୪ ଦ୍ବାର ଖୋଲିବା ସହ ଚାଷୀମାନଙ୍କୁ ଧାନ କ୍ବିଣ୍ଟାଲ ୩୧ଶହ ଟଙ୍କା, ୧୦୦ ଦିନ ଭିତରେ ରାଜ୍ୟର ମହିଳାମାନଙ୍କୁ ‘ସୁଭଦ୍ରା’ ଯୋଜନାରେ ୫୦ହଜାର ଟଙ୍କାର ଭାଉଚର ଓ ଶ୍ରୀମନ୍ଦିର ପାଇଁ ୫ଶହ କୋଟି ଟଙ୍କାର କର୍ପସ ପାଣ୍ଠିର ବ୍ୟବସ୍ଥା କରାଯାଇଛି। ନିର୍ବାଚନୀ ଇସ୍ତାହାରରେ ଯେଉଁ ଘୋଷଣା କରାଯାଇଛି ସେସବୁ ପାଳନ କରିବାରେ କୌଣସି ପ୍ରକାର ଅବହେଳା କରାଯିବ ନାହିଁ ବୋଲି ଶ୍ରୀ ପୂଜାରୀ କହିଥିଲେ। ଏଏଫ୍‌ଏଏର ଅଧ୍ୟକ୍ଷ ଶ୍ରୀନିବାସନ କେ ସ୍ବାମୀ କହିଥିଲେ, ସ୍ଥାୟିତ୍ବକୁ ପାଳନ କରିବାକୁ ହେଲେ ଅନେକ ଛୋଟ ଛୋଟ ଜିନିଷ ଉପରେ ଧ୍ୟାନ ଦେବାକୁ ହେବ। ଘରେ ଏଲ୍‌ଇଡି ଲାଇଟ୍‌ର ବ୍ୟବହାର, ବିଦ୍ୟୁତ୍‌ ବ୍ୟବହାରକୁ କମାଇବା ଲାଗି ସ୍ମାର୍ଟ ଥର୍ମୋଷ୍ଟାଟ୍‌ ଲଗାଇବା, ଜଳ ସଂରକ୍ଷଣ, ପରିବେଶ ଅନୁକଳ ଉତ୍ପାଦର ବ୍ୟବହାର ଉପରେ ଗୁରୁତ୍ବ ଦେବାକୁ ହେବ। ମାଂସ କଟାଯିବା ସମୟରେ ଲିଟର ଲିଟର ପାଣିର ବ୍ୟବହାର ହୋଇଥାଏ। ତେଣୁ ଏହାକୁ ନେଇ ମଧ୍ୟ ସତର୍କ ରହିବା ଉଚିତ୍। ବିଦ୍ୟାଳୟ ସ୍ତରରେ ସ୍ଥାୟୀତ୍ବକୁ ନେଇ ପାଠପଢ଼ା ସାଙ୍ଗକୁ ଗୋଷ୍ଠୀ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ସ୍ବାମୀ ମତ ଦେଇଥିଲେ।

ମାଡିସନ ୱାଲ୍‌ର୍ଡର ଅଧ୍ୟକ୍ଷ ସାମ୍‌ ବାଲସରା କହିଥିଲେ, ଏବେ ବ୍ୟବସାୟରେ ବ୍ୟାପକ ପରିବର୍ତ୍ତନ ହୋଇଛି। ନୂଆ କରି ବ୍ୟବସାୟ ଦୁନିଆରେ ପାଦ ଥାପୁଥିବା ଯୁବକମାନେ ବର୍ଷ ବର୍ଷ ଧରି ଚାଲିଥିବା ବ୍ୟବସାୟ ପ୍ରତି ବିପଦ ସାଜୁଛନ୍ତି। ଯୁବପିଢ଼ି ସଞ୍ଚୟ ଅପେକ୍ଷା ଅଧିକ ଖର୍ଚ୍ଚ କରିବାକୁ ପସନ୍ଦ କରୁଛନ୍ତି। ବିଗତ କିଛିବର୍ଷ ଭିତରେ ଭଲ ରାସ୍ତା, ହାଇୱେ, ବିମାନ ବନ୍ଦର, ହୋଟେଲ ଆଦି ନିର୍ମାଣ ହୋଇଛି। ଯାହାକି ବ୍ୟବସାୟ ପାଇଁ ବେଶ୍‌ ସହାୟକ ହୋଇଛି। ଡିଜିଟାଲ ଭିତ୍ତିଭୂମି ଦେଶରେ ବିରାଟ ପରିବର୍ତ୍ତନ ଆଣିଛି। ଇ-କମର୍ସ ଓ ଡି୨ସି ପାଇଁ ବିତରଣ ଆଉ ସମସ୍ୟା ହୋଇ ରହିନାହିଁ। ବିକାଶର ପ୍ରଥମ ପାହାଚ ହେଉଛି ଆକାଂକ୍ଷା। ଏବେ ସମସ୍ତଙ୍କର ନଜର ଭାରତ ଉପରେ ରହିଛି। ସବୁ ବଡ଼ ବ୍ରାଣ୍ଡ୍‌ ଭାରତରେ ବ୍ୟବସାୟ କରିବାକୁ ଚାହୁଁଛନ୍ତି। ଏହା ଆସନ୍ତା ୪-୫ବର୍ଷ ଭିତରେ ବ୍ୟବସାୟ ପାଇଁ ଏକ ବଡ଼ ଆହ୍ବାନ ସୃଷ୍ଟି କରିବ ବୋଲି ସେ କହିଥିଲେ। ଏବିପି ନେଟୱାର୍କର ସିଇଓ ଅବିନାଶ ପାଣ୍ଡେ କହିଥିଲେ, ଜଳବାୟୁ ପରିବର୍ତ୍ତନ ଏକ ଦୂର ଆଶଙ୍କା ହୋଇ ରହିନାହିଁ ବରଂ ବାସ୍ତବତାରେ ପରିଣତ ହୋଇଛି। ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ବିଶ୍ବରେ ଭାରତ ଏକ ଅଗ୍ରଣୀ ଭୂମିକାରେ ଅବତୀର୍ଣ୍ଣ ହୋଇଛି। ଏକ ବିକଶିତ ‌ଦେଶ ହେବା ସତ୍ତ୍ବେ ନିରନ୍ତର ବିକାଶ ଲକ୍ଷ୍ୟ(ଏସ୍‌ଡିଜି)ର ଅନୁପାଳନ ଦିଗରେ ଭାରତ ଆଗରେ ରହିଛି। ସ୍ଥାୟିତ୍ବ ଆମ ଡିଏନ୍‌ଏରେ ରହିଛି। ତେଣୁ ୫-ପି ବା ପିପୁଲ, ପ୍ଲାନେଟ୍‌, ପ୍ରସ୍ପରିଟି, ପିସ୍ ଓ ପାର୍ଟନରସିପ୍‌ ଉପରେ ଗୁରୁତ୍ବ ଦେବାର ସମୟ ଆସଛି। ନବସୃଜନକୁ ଆପଣାଇବା ସହ ରଣନୀତିକ ସହଭାଗିତା ଦ୍ବାରା ଆମ ସମ୍ମୁଖରେ ଥିବା ବଡ଼ ଆହ୍ବାନର ମୁକାବିଲା କରିପାରିବା ବୋଲି ଶ୍ରୀ ପାଣ୍ଡେ କହିଥିଲେ।

‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସଂପାଦକ ତନୟା ପଟ୍ଟନାୟକ କହିଥିଲେ, ସର୍ବାଙ୍ଗୀନ ବିକାଶ ପାଇଁ ସବୁ ଅଂଶୀଦାରମାନଙ୍କ ସମ୍ମତି ଆବଶ୍ୟକ। ୨୦୪୭ ମସିହା ବେଳକୁ ବିକଶିତ ଭାରତ ଓ ୨୦୩୬ ମସିହାରେ ବିକଶିତ ଓଡ଼ିଶା ପାଇଁ ସମସ୍ତଙ୍କୁ ଏକାଠି ହୋଇ କାମ କରିବାକୁ ପଡ଼ିବ। ନିରନ୍ତର ବିକାଶରେ ସରକାରଙ୍କ ଏକ ସିଂହ ଭାଗ ଭୂମିକା ନ ରହିଲେ ଏହି ଲକ୍ଷ୍ୟ ହାସଲ କରିବା ସମ୍ଭବ ନୁହେଁ। ଗତ ମାର୍ଚ୍ଚ ମାସରେ ପରିବେଶପ୍ରେମୀଙ୍କୁ ନେଇ ଗଠିତ ଥିଙ୍କ୍‌ ଟ୍ୟାଙ୍କ୍‌ ପକ୍ଷରୁ ଜଳବାୟୁ ପରିବର୍ତ୍ତନକୁ ନେଇ ବିଭିନ୍ନ ରାଜନୈତିକ ଦଳମାନଙ୍କୁ ଏକ ପ୍ରସ୍ତାବ ଦିଆଯାଇଥିଲା। ରାଜ୍ୟ ବିଜେପି ଏହି ପ୍ରସ୍ତାବକୁ ଗ୍ରହଣ କରିବା ସହ ନିଜର ନିର୍ବାଚନୀ ଇସ୍ତାହାରରେ ଏହାକୁ ସ୍ଥାନ ଦେଇଥିଲା। ସରକାର ଗଠନ ହେବା ପରେ ‌‌ଘୋଷଣାପତ୍ରରେ ଯେଉଁ ବିଷୟକୁ ସ୍ଥାନ ଦେଇଥିଲେ ତାହାର ପାଳନ ପାଇଁ ଯେଉଁ ପ୍ରତିବଦ୍ଧତା ଦେଖାଇଛନ୍ତି, ପରିବେଶ କ୍ଷେତ୍ରରେ ସମାନ କାର୍ଯ୍ୟ ଆପଣାଇବେ ବୋଲି ଆଶା। ପରିବେଶକୁ ବାଦ୍ ଦେଇ ସର୍ବାଙ୍ଗୀନ ବିକାଶ ସମ୍ଭବ ହୋଇପାରିବ ନାହିଁ ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ। ‘ସମ୍ବାଦ ଗ୍ରୁପ୍‌’ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ କହିଥିଲେ, ୩ ଡଜନ୍ ଭାରତୀୟ ବଂଶୋଦ୍ଭବ ସିଇଓମାନେ ବିଶ୍ବର ୧ ଟ୍ରିଲିଅନ୍ ଡଲାର ବ୍ୟବସାୟକୁ ପରିଚାଳନା କରୁଛନ୍ତି। ତେଣୁ ଜଣେ ବିଶ୍ବସ୍ତରୀୟ ସିଇଓ ହେବା ଲାଗି ଭାରତୀୟଙ୍କ ପାଖରେ ସବୁ ପ୍ରକାର ଗୁଣ ରହିଛି ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ। ଉଦାହରଣ ଭାବେ ପାଟାଗୋନିଆ କମ୍ପାନିକୁ ନିଆଯାଉ। ସ୍ଥାୟିତ୍ବରେ ପ୍ରତ୍ୟେକଟି କ୍ଷେତ୍ରକୁ ଏହି କମ୍ପାନି ଛୁଇଁ ପାରିଛି। ଯାହା କମ୍ପାନିର ବ୍ରାଣ୍ଡ୍‌ ଭ୍ୟାଲୁ ବଢ଼ାଇବା ସହ ଏକ ବିଶ୍ବସ୍ତ ଗ୍ରାହକ ସୃଷ୍ଟି କରିବାରେ ସଫଳ ହୋଇପାରିଛି।
ଏହି ଅବସରରେ ୫ ଶ୍ରେଷ୍ଠ ବିଜ୍ଞାପନଦାତା ଓ ୧୧ ଶ୍ରେଷ୍ଠ ବିଜ୍ଞାପନ ଏଜେନ୍ସିକୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe