‘ସମ୍ବାଦ’ର ଗ୍ରାଉଣ୍ଡ୍‌ ରିପୋର୍ଟ: ‘ଖାଦ୍ୟାଭାବ ସମୟରେ ଆମ୍ବଟାକୁଆ ଖାଉ’

Advertisment

ଆମ୍ବଟାକୁଆ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ନୁହେଁ କି ରୁଚିରେ ଖାଉନାହାନ୍ତି। ଅନେକ ସମୟରେ ଠିକ୍‌ ସମୟରେ ଚାଉଳ ଦୁର୍ଗମ ଅଞ୍ଚଳରେ ପହଞ୍ଚି ପାରେନି। ବର୍ଷାଦିନ, ରାସ୍ତା ଖରାପ, ପରିବହନ ସମସ୍ୟା ଆଦି ପାଇଁ ମାସ ମାସ ଚାଉଳ ନ ଆସିଲେ, ଅଭାବ ବେଳେ ଖାଦ୍ୟାଭାବ ସମସ୍ୟାରୁ ମୁକୁଳିବାକୁ...

ଆମ୍ବଟାକୁଆ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ନୁହେଁ କି ରୁଚିରେ ଖାଉନାହାନ୍ତି। ଅନେକ ସମୟରେ ଠିକ୍‌ ସମୟରେ ଚାଉଳ ଦୁର୍ଗମ ଅଞ୍ଚଳରେ ପହଞ୍ଚି ପାରେନି। ବର୍ଷାଦିନ, ରାସ୍ତା ଖରାପ, ପରିବହନ ସମସ୍ୟା ଆଦି ପାଇଁ ମାସ ମାସ ଚାଉଳ ନ ଆସିଲେ, ଅଭାବ ବେଳେ ଖାଦ୍ୟାଭାବ ସମସ୍ୟାରୁ ମୁକୁଳିବାକୁ...

ffhfshfsfhshfs

ଦାରିଙ୍ଗବାଡ଼ି: ‘ଆମ୍ବଟାକୁଆ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ନୁହେଁ କି ରୁଚିରେ ଖାଉନାହାନ୍ତି। ଅନେକ ସମୟରେ ଠିକ୍‌ ସମୟରେ ଚାଉଳ ଦୁର୍ଗମ ଅଞ୍ଚଳରେ ପହଞ୍ଚି ପାରେନି। ବର୍ଷାଦିନ, ରାସ୍ତା ଖରାପ, ପରିବହନ ସମସ୍ୟା ଆଦି ପାଇଁ ମାସ ମାସ ଚାଉଳ ନ ଆସିଲେ, ଅଭାବ ବେଳେ ଖାଦ୍ୟାଭାବ ସମସ୍ୟାରୁ ମୁକୁଳିବାକୁ ଆମ୍ବଟାକୁଆ ଏମାନେ ଆହାର କରିଥାନ୍ତି। ଆଦିବାସୀମାନେ ଏଥି ପାଇଁ ଆମ୍ବଟାକୁଆକୁ ଶୁଖାଇ, ଚୂନା କରି ସଂରକ୍ଷିତ କରି ରଖନ୍ତି।’ ଏହା କହିଛନ୍ତି ଦାରିଙ୍ଗବାଡ଼ି ବ୍ଲକ୍‌ ସ୍ୟାଙ୍ଗବାଲି ପଞ୍ଚାୟତ ବ୍ରାହାସାଲକା ଗ୍ରାମର ସନ୍ତୋଷ ପ୍ରଧାନ। କେବେହେଲେ ଏହା ସେମାନଙ୍କ ରୁଚିର ଖାଦ୍ୟ ନଥିଲା ବୋଲି ସେ କହିଛନ୍ତି। 

ମାଣ୍ଡିପଙ୍କାରେ ଆମ୍ବଟାକୁଆ ଖାଇ ଦୁଇ ଜଣଙ୍କ ମୃତ୍ୟୁ ଘଟିବା ପରେ ରାସନ ଚାଉଳ ବଣ୍ଟନକୁ ନେଇ ଅଭିଯୋଗ ଉଠିଥିଲା। ପ୍ରଶାସନ ଓ ସରକାର ଉଭୟ ମୃତକ ଓ ଆକ୍ରାନ୍ତଙ୍କ ପରିବାରକୁ ଚାଉଳ ପ୍ରଦାନ କରାଯାଇଥିବା ଗଣମାଧ୍ୟମ ଆଗରେ ଯୁକ୍ତି ରଖିଥିଲେ। ହେଲେ ବାସ୍ତବରେ ଏଥିରେ ଟିକେ ବି ସତ୍ୟତା ନାହିଁ। ଘଟଣା ଉପରୁ ନଜର ହଟଇବା ପାଇଁ ପ୍ରଶାସନ ସରକାରଙ୍କୁ ଦେଇଥିବା ରିପୋର୍ଟରେ ମିଛ ତଥ୍ୟ ରଖିଥିବା ନେଇ ଆଜି ଆମ ପ୍ରତିନିଧିଙ୍କ ଆଗରେ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ପହଞ୍ଚି ତଥ୍ୟ ସଂଗ୍ରହ ବେଳେ ବହୁ ପଞ୍ଚାୟତର ଅନେକ ଗ୍ରାମରେ ଏବେ ବି ଚାଉଳ ଦିଆଯାଇ ନଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କୁ ପଚରାଉଚରା ବେଳେ ସ୍ୟାଙ୍ଗବାଲି ପଞ୍ଚାୟତର ମାଲେବାଡ଼ି, କୁସିପଙ୍କା, ବ୍ରାହାସାଲକା ଗ୍ରାମରେ ରାସନକାର୍ଡ ହିତାଧିକାରୀଙ୍କୁ ଆଜି ବି ଚାଉଳ ମିଳିନାହିଁ। 

ସେହିପରି ଗ୍ରିନବାଡ଼ି ପଞ୍ଚାୟତର ଦାସିକେତ, ପାଟେରୀ ଓ ସାରେଏଜୁ ଗ୍ରାମରେ ମଧ୍ୟ କୌଣସି ପରିବାର ଚାଉଳ ପାଇ ନଥିବା ନେଇ ଅଭିଯୋଗ କରିଛନ୍ତି। ଏପରକି ମାଲେବାଡ଼ି ଗ୍ରାମର ପ୍ରଦୀପ ପରିଛା ନିଜର ରାସନ କାର୍ଡ଼ ଦେଖାଇ କହିଛନ୍ତି, ପ୍ରଶାସନ ଚାଉଳ ଦେଇଥିବା ନେଇ ମିଛ କହୁଛି। ସେ ଜୁଲାଇ ମାସରେ ତିନି ମାସର ଚାଉଳ ପାଇଥିଲେ। ବର୍ତ୍ତମାନ ନଭେମ୍ବର ହେଲାଣି ଆଉ ଚାଉଳ ମିଳିନି। ଚାଉଳ ଦିଆଯିବ ବୋଲି ଧେଣ୍ଡରା (ଘୋଷଣା) ଶୁଣିଛୁ ବୋଲି କହିଛନ୍ତି। ସେହିପରି ଦାସିକେତା ଗ୍ରାମର ରଚନା ପ୍ରଧାନ ମଧ୍ୟ ଜୁଲାଇ ମାସ ପରେ ଚାଉଳ ପାଇନଥିବା କହି ଖାଦ୍ୟ ସମସ୍ୟା ଦୂର କରିବାକୁ କୋହଭରା କଣ୍ଠରେ କହିଛନ୍ତି। 

ଗ୍ରାମବାସୀଙ୍କ ଅଭିଯୋଗ ହେଲା, ପ୍ରତି ତିନି ମାସରେ ଥରେ ତିନି ମାସର ଚାଉଳ ପ୍ରଦାନ କରିବା ନିୟମ କରିଛି। ତଦନୁଯାୟୀ, ଦାରିଙ୍ଗବାଡ଼ି ବ୍ଲକ୍‌ର ୨୫ଟି ପଞ୍ଚାୟତରେ ଗତ ଜୁଲାଇ ମାସରେ ରାସନ କାର୍ଡ଼ରେ ତିନି ମାସ(ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର)ର ଚାଉଳ ପ୍ରଦାନ କରାଯାଇଥିଲା। ଅକ୍ଟୋବର ମାସରେ ରାସନକାର୍ଡରେ ତିନିମାସର ଚାଉଳ (ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର) ମାସର ଚାଉଳ ପ୍ରଦାନ କରିବା କଥା। ବିଭିନ୍ନ କାରଣ ଦେଖାଇ ପ୍ରଶାସନ ଅକ୍ଟୋବର ମାସରେ ଚାଉଳ ପ୍ରଦାନ କରିନାହିଁ। ଯେତେବେଳେ ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ଖାଇ ଦୁଇଜଣଙ୍କ ମୃତ୍ୟୁ ଘଟଣା ପଦାକୁ ଆସିଲା ଓ ଏହାକୁ ନେଇ ସାରା ରାଜ୍ୟରେ ତମ୍ବି ତୋଫାନ ହେଲା, ସେତେବେ‌ଳେ ପ୍ରଶାସନ ଓ ଯୋଗାଣ ବିଭାଗ ନିଜ ଦୁର୍ବଳତାକୁ ଘୋଡ଼ାଇବାକୁ ତରବରିଆ ଭାବେ ଚାଉଳ ବଣ୍ଟନ ଆରମ୍ଭ କରିଛି। ହେଲେ ପ୍ରଶାସନ ନିଜ ଦୋଷ ସ୍ବୀକାର ନକରି ଗଣମାଧ୍ୟମରେ ମିଥ୍ୟା ମନ୍ତବ୍ୟ ଦେଇ ଏହାକୁ ହାଲ୍‌କା ଭାବେ ନେବା ଆଦିବାସୀଙ୍କୁ ଦୁଃଖ ଦେଇଛି ବୋଲି ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି।

‘ସମ୍ବାଦ’ର ଗ୍ରାଉଣ୍ଡ୍‌ ରିପୋର୍ଟ
ମୃତ୍ୟୁ ପରେ ତରବରିଆ ଚାଲିଛି ଚାଉଳ ବଣ୍ଟନ
ଏବେ ବି ଅନେକ ଅପହଞ୍ଚ ଗାଁରେ ଚାଉଳ ମିଳିନି
ବହୁ ଆଦିବାସୀଙ୍କ ଘରେ ଟାକୁଆ ଗୁଣ୍ଡ

ଆର୍‌ଡିସିସ୍ତରୀୟ ତଦନ୍ତ ହେବ

ଭୁବନେଶ୍ବର: କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ୍‌ର ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ଜାଉ ଖାଇ ମୃତାହତ ଘଟଣାକୁ ନେଇ ରାଜ୍ୟରେ ଏବେ ଆଲୋଡ଼ନ ସୃଷ୍ଟି ହୋଇଛି। ଏହି ଘଟଣାର ଆର୍‌ଡିସିସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନି‌ର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି। ଖୁବ୍‌ଶୀଘ୍ର ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ଓ ଏସ୍‌ଓପି ଜାରି ହେବ।

ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ଜାଉ ଖାଇ ଦୁଇ ମହିଳାଙ୍କ ମୃତ୍ୟୁ ହେବା ସହ ଛଅ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥଙ୍କ ମଧ୍ୟରୁ ଦୁଇ ଜଣ ମହିଳାଙ୍କର ଅବସ୍ଥା ଗୁରୁତର ହୋଇପଡ଼ିବାରୁ ଏସ୍‌ସିବିରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣାକୁ ନେଇ ରାଜନୀତି ବି ଜୋର୍‌ ଧରିଛି। ବିରୋଧୀ ଦଳଗୁଡ଼ିକ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରି କଡ଼ା ସମାଲୋଚନା ଜାରି ରଖିଛନ୍ତି। ଗତ ୩୦ ତାରିଖରୁ ଏହି ଘଟଣା ଘଟିଥିଲେ ବି କୌଣସି ମନ୍ତ୍ରୀ ଏ ଯାଏ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିନାହାନ୍ତି କି ଲୋକଙ୍କ ସହ ସିଧାସଳଖ ଆଲୋଚନା କରିନାହାନ୍ତି। କିନ୍ତୁ ଜଣଙ୍କ ପରେ ଜଣେ ମନ୍ତ୍ରୀ ଓ ବିଧାୟକଙ୍କ ବେପରୁଆ ମନ୍ତବ୍ୟ ସରକାରଙ୍କୁ ଆହୁରି ଅଡ଼ୁଆରେ ପକାଇ ଦେଉଛି। ଘଟଣାର ଚାରି ଦିନ ପରେ ଗତକାଲି କନ୍ଧମାଳ ଜିଲ୍ଲାପାଳ ମାଣ୍ଡିପଙ୍କା ଗାଁକୁ ଯାଇ ଲୋକଙ୍କ ସହ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe