‘ସମ୍ବାଦ ଗ୍ରୁପ୍’ର ଡିଜିଟାଲ୍ ନ୍ୟୁଜରୁମ୍ ଉଦଘାଟିତ

Advertisment

ପରିବର୍ତ୍ତନ ସହ ପାଦ ମିଳାଇ ପାଠକଙ୍କ ବିଶ୍ୱାସ ଜିତ

ପରିବର୍ତ୍ତନ ସହ ପାଦ ମିଳାଇ ପାଠକଙ୍କ ବିଶ୍ୱାସ ଜିତ

‘ସମ୍ବାଦ ଗ୍ରୁପ୍’ର ଡିଜିଟାଲ୍ ନ୍ୟୁଜରୁମ୍ ଉଦଘାଟିତ

ଭୁବନେଶ୍ବର : ହାତ ପାପୁଲିରେ ପ୍ରତି ମୁହୂର୍ତ୍ତରେ, ପ୍ରତ୍ୟେକ ଘଟଣାର ଟିକିନିଖି ଖବର ଚୁଟ୍‌କିରେ ପହଞ୍ଚାଉଛି ‘ସମ୍ବାଦ ଗ୍ରୁପ’ର ଡିଜିଟାଲ ପ୍ଲାଟଫର୍ମ। ତାଜା ଖବର ଦେବାକୁ ପୂରା ଟିମ୍ ସଜାଗ ରହିଛନ୍ତି। ଲେଖା ମାଧ୍ୟମରେ ଭିନ୍ନଭିନ୍ନ ତଥ୍ୟ ପହଞ୍ଚାଇବା, ଖବର ପଛର ବିଶ୍ଳେଷଣ ଭିଡିଓ ମାଧ୍ୟମରେ ଦେବା ଏବଂ ସୋସିଆଲ ମିଡିଆରେ ଯୋଗାଯୋଗ ରଖିବାରେ ସବୁବେଳେ ସବୁଠୁ ଆଗରେ ରହି ଆସିଥିବା ‘ସମ୍ବାଦ’ର ଡିଜିଟାଲ ପ୍ଲାଟଫର୍ମକୁ ଆହୁରି ସକ୍ରିୟ କରିବାକୁ ଆଜି ‘ସମ୍ବାଦ ଗ୍ରୁପ’ର ଡିଜିଟାଲ ନ୍ୟୁଜରୁମ୍ ଉଦ୍‌ଘାଟିତ ହୋଇଛି।

ସଂପ୍ରତି ଲୋକେ ମୋବାଇଲ୍‌ରେ ଅଧିକ ସମୟ ଦେଉଛନ୍ତି। ମୋବାଇଲରେ ସୋସିଆଲ ମିଡିଆ ଓ ଡିଜିଟାଲ ମିଡିଆ ମଧ୍ୟ ପ୍ରଭାବ ବିସ୍ତାର କଲାଣି। ତେଣୁ ଲୋକଙ୍କ ରୁଚି ଅନୁସାରେ ସବୁଠୁ ଆଗୁଆ ଖବର ପରିବେଷଣ ଲକ୍ଷ୍ୟ ନେଇ ‘ସମ୍ବାଦ ଗ୍ରୁପ୍’ର ଡିଜିଟାଲ ପ୍ଲାଟଫର୍ମକୁ ଗୋଟିଏ ସ୍ଥାନକୁ ଅଣାଯାଇଛି।

ସମ୍ବାଦ ଡଟ୍ ଇନ୍, କନକ ନ୍ୟୁଜ୍ ଡଟ୍ କମ୍, ଓଡ଼ିଶା ସନଟାଇମ୍ସ ଡଟ୍ କମ୍, କନକ ଲାଇଫଷ୍ଟାଇଲ ଜରିଆରେ ଓଡ଼ିିଶା ଡିଜିଟାଲ ମିଡିଆରେ ଏକ ସ୍ୱତନ୍ତ୍ର ଛାପ ଛାଡିବାରେ ସମର୍ଥ ହୋଇଛି ଏହି ଡିଜିଟାଲ୍‌ ଶାଖା। ପବିତ୍ର ଗଣେଶ ଚତୁର୍ଥୀରେ ‘ସମ୍ବାଦ’ର ସମ୍ପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଏହି ଡିଜିଟାଲ ନ୍ୟୁଜରୁମ୍‌କୁ ଉଦ୍‌ଘାଟନ କରି କହିଲେ, ୩୫ ବର୍ଷ ତଳେ ‘ସମ୍ବାଦ’ ମୁଦ୍ରଣଶିଳ୍ପ ଓ ସମ୍ବାଦପତ୍ର ପ୍ରକାଶନ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲା ଏବଂ ନୂତନ ପ୍ରଯୁକ୍ତି ଓ ଜ୍ଞାନକୌଶଳ ସହ ପାଠକଙ୍କୁ ପରିଚିତ କରାଇଥିଲା। ଆଜି ବି ‘ସମ୍ବାଦ’ ସେହି ଧାରା ଜାରି ରଖିଛି। ଡିଜିଟାଲ୍ ମିଡିଆ କ୍ଷେତ୍ରରେ ପ୍ରବେଶ କରି ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଏହାକୁ ଆହୁରି ସକ୍ରିୟ କରିବା ପାଇଁ ସେ ଟିମ୍‌ ସଦସ୍ୟମାନଙ୍କୁ ଆହ୍ବାନ କରିଛନ୍ତି।

ଏହି ଅବସରରେ ‘ସମ୍ବାଦ ଗ୍ରୁପ୍’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକଙ୍କ ସମେତ ଡିଜିଟାଲ୍‌ ଶାଖାର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଏହି ନୂଆ ଡିଜିଟାଲ ନ୍ୟୁଜରୁମରୁ ସ୍ୱାସ୍ଥ୍ୟ, ଶିକ୍ଷା, ବିଜ୍ଞାନଠାରୁ ବାଣିଜ୍ୟ, ମନୋରଂଜନ, ରାଜନୀତି ପର୍ଯ୍ୟନ୍ତ ଭିନ୍ନ ସ୍ୱାଦର ଖବର ଆଖି ପିଛୁଳାକେ ଆପଣଙ୍କ ହାତ ମୁଠାରେ ପାଇ ପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe