‘ସମ୍ବାଦ’ ମାଟ୍ରିକ୍‌ ଚାମ୍ପ୍‌-୨୦୨୨ ସମ୍ବର୍ଦ୍ଧନା ଉତ୍ସବ: ଗଞ୍ଜାମ, ଗଜପତି, କନ୍ଧମାଳର ୧୨୪ ବିଦ୍ୟାର୍ଥୀ ସମ୍ବର୍ଦ୍ଧିତ

Advertisment

ସଫଳତା ପାଇଁ ନିଜ କାମକୁ ଉପଭୋଗ କରନ୍ତୁ: ଅରବିନ୍ଦ

ସଫଳତା ପାଇଁ ନିଜ କାମକୁ ଉପଭୋଗ କରନ୍ତୁ: ଅରବିନ୍ଦ

‘ସମ୍ବାଦ’ ମାଟ୍ରିକ୍‌ ଚାମ୍ପ୍‌-୨୦୨୨ ସମ୍ବର୍ଦ୍ଧନା ଉତ୍ସବ: ଗଞ୍ଜାମ, ଗଜପତି, କନ୍ଧମାଳର ୧୨୪ ବିଦ୍ୟାର୍ଥୀ ସମ୍ବର୍ଦ୍ଧିତ

ବ୍ରହ୍ମପୁର: ଛାତ୍ର ଜୀବନ ହେଉଛି ସବୁଠୁ ମୂଲ୍ୟବାନ ଓ ଗୁରୁତ୍ବପୂର୍ଣ୍ଣ। ଏହି ସମୟରେ ସମସ୍ତେ ନିଜର ଲକ୍ଷ୍ୟ ସ୍ଥିର କରି ଆଗକୁ ଅଗ୍ରସର ହୋଇଥାନ୍ତି। ଏ କ୍ଷେତ୍ରରେ ଶିକ୍ଷକଶିକ୍ଷୟିତ୍ରୀଙ୍କ ବେଶ୍‌ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥାଏ। କାରଣ ଶିକ୍ଷକଶିକ୍ଷୟିତ୍ରୀ ପିଲାମାନଙ୍କୁ ଯେଭଳି ଢଙ୍ଗରେ ଗଠନ କରିଥାନ୍ତି ପିଲାମାନେ ଭବିଷ୍ୟତରେ ସେଭଳି ପ୍ରଦର୍ଶନ ଦେଖାଇଥାନ୍ତି। ଶିକ୍ଷିତ ସମାଜ ଗଠନ ପାଇଁ ଗୁଣାତ୍ମକ ଶିକ୍ଷାଦାନ ନିହାତି ଆବଶ୍ୟକ। ଛାତ୍ର ଜୀବନରେ ଶିକ୍ଷିତ ସମାଜ ଗଠନର ମୂଳଦୁଆ ପଡ଼ିଥାଏ ବୋଲି ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ କୁମାର ମହାପାତ୍ର ମତବ୍ୟକ୍ତ କରିଛନ୍ତି। ମୂଳଦୁଆ ସୁଦୃଢ଼ ଥିଲେ ପିଲାମାନେ ଯେ କୌଣସି ପରିସ୍ଥିତିର ମୁକାବିଲା କରି ପାରିବେ। ମୁଳଦୁଆ ଦୁର୍ବଳ ଥିଲେ ପିଲାମାନେ ଖୁବ୍‌ କମ୍‌ ସମୟରେ ହାର ମାନିଯିବେ ବୋଲି ପ୍ରଫେସର ମହାପାତ୍ର କହିଛନ୍ତି।

‘ସମ୍ବାଦ’ ବ୍ରହ୍ମପୁର ସଂସ୍କରଣ ତରଫରୁ ହିଲପାଟଣା ବିଜୁ ପଟ୍ଟନାୟକ ସଂସ୍କୃତି ଭବନରେ ଆୟୋଜିତ ମାଟ୍ରିକ୍‌ ଚାମ୍ପ୍‌-୨୦୨୨ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଫେସର ମହାପାତ୍ର କହିଛନ୍ତି ଯେ, ଆଜିର କାର୍ଯ୍ୟକ୍ରମରେ ଯେଉଁ ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ ହେବେ ସେମାନେ ତାଙ୍କର ଦକ୍ଷତାର ପରିଚୟ ଦେଇ ଏଠାକୁ ଆସିଛନ୍ତି। ଏହାପଛରେ ଛାତ୍ରଛାତ୍ରୀଙ୍କ ଅକ୍ଳାନ୍ତ ପରିଶ୍ରମ ସହିତ ଶିକ୍ଷକଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କ ପ୍ରେରଣା ଓ ଉତ୍ସାହ ରହିଛି। ପାଠପଢ଼ି ଚାକିରି ଖଣ୍ଡିଏ କରିବା ଲକ୍ଷ୍ୟ ନରଖି ମା’, ମାଟି ଓ ମାତୃଭାଷାକୁ ସମ୍ମାନ ଦେବା ଶିଖନ୍ତୁ। ଯଦି ଆମେ ଗୁଣାତ୍ମକ ଶିକ୍ଷାଦାନ କରି ମେଧାବୀ ଛାତ୍ରଛାତ୍ରୀ ସୃଷ୍ଟି କରିବା ତେବେ ଆମ ମାଟି, ରାଜ୍ୟ ଓ ଦେଶ ଆଗକୁ ଯିବ। ଏଣୁ ମେଧାବୀ ଛାତ୍ରଛାତ୍ରୀ ଆଗେଇ ଆସି ଶିକ୍ଷକତା କିମ୍ବା ଅଧ୍ୟାପନା କରି ଯୋଗ୍ୟ ମଣିଷ ତିଆରି କରନ୍ତୁ ବୋଲି ପ୍ରଫେସର ମହାପାତ୍ର ଆହ୍ବାନ ଦେଇଥିଲେ। ଏ କ୍ଷେତ୍ରରେ ମାତା-ପିତା ମଧ୍ୟ ପିଲାମାନଙ୍କୁ ସହଯୋଗ କରନ୍ତୁ। ତାଙ୍କର ସ୍ବପ୍ନକୁ ପିଲାଙ୍କ ଉପରେ ଲଦି ଦିଅନ୍ତୁ ନାହିଁ। ପିଲାଙ୍କ ଇଚ୍ଛା ଓ ରୁଚିକୁ ଧ୍ୟାନ ଦେଇ ତା’ର ଭବିଷ୍ୟତ ଗଠନ କରନ୍ତୁ ବୋଲି ପ୍ରଫେସର ମହାପାତ୍ର କହିଥିଲେ।

‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ(ବାର୍ତ୍ତା) ଅରବିନ୍ଦ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ସହରର ଜଣାଶୁଣା ବରିଷ୍ଠ ‌ଏଣ୍ଡୋକ୍ରିନୋଲୋଜିଷ୍ଟ୍‌ ଡା. ସୁନୀଲ କୁମାର କୋଟା, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟର ଉପସଚିବ ଡ. କୁଳମଣି ଓଝା, ନୀଳକଣ୍ଠନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଅଧ୍ୟକ୍ଷ ଏସ୍‌. ମୋହନ ରାଓ ଯୋଗ ଦେଇଥିଲେ। ଶ୍ରୀ ରାଓ ତାଙ୍କ ବକ୍ତବ୍ୟରେ କହିଲେ ପ୍ରତିଭାକୁ ଚିହ୍ନଟ କରି ତାକୁ ସମ୍ମାନିତ କରିଥାଏ ‘ସମ୍ବାଦ’। ଏହାଦ୍ବାରା ପ୍ରତିଭାଧାରୀ ବ୍ୟକ୍ତି କିମ୍ବା ବିଦ୍ୟାର୍ଥୀ ଆଗକୁ ଯିବାର ପ୍ରେରଣା ପାଇଥାଏ। ଏଭଳି କାର୍ଯ୍ୟକ୍ରମ ଜରିଆରେ ପ୍ରତିବର୍ଷ ରାଜ୍ୟରେ ବହୁ ପ୍ରତିଭାବନ ବିଦ୍ୟାର୍ଥୀ ସମ୍ବର୍ଦ୍ଧିତ ହୋଇ ଆସୁଛନ୍ତି। ଏଭଳି କାର୍ଯ୍ୟକ୍ରମକୁ ସେ ବେଶ୍‌ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଡା‌. କୋଟା କହିଲେ ଯେ, ନିଆଁରେ ଘିଅ ଢାଳିଲେ ତାହା ଅଧିକ ଜଳିଥାଏ। ସେହିପରି ପ୍ରତିଭାଙ୍କୁ ସମ୍ମାନିତ କଲେ ତାଙ୍କର ପ୍ରତିଭା ବିକଶିତ ହୋଇଥାଏ। ସାରା ଜୀବନ ଆମେ କିଛି ନା କିଛି ଶିଖିବା। ମାଟ୍ରିକ୍‌ ପାସ୍‌ କରିଥିବା ଛାତ୍ରଛାତ୍ରୀ ନିଜର ଭବିଷ୍ୟତ ଲକ୍ଷ୍ୟ ସ୍ଥିର କରିସାରିଥିବେ। ସେହି ଲକ୍ଷ୍ୟ ପାଇବା ପାଇଁ ଆମକୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଆମେ ସଫଳତା ପଛରେ ଧାଇଁଲେ ହେବ ନାହିଁ, ଆମେ ଏଭଳି ପରିଶ୍ରମ କରିବା ଯେ ସଫଳତା ଆମ ପାଖକୁ ଆସିବ। ଜଟିଳ ସମୟ ମନୁଷ୍ୟକୁ ଦକ୍ଷ ମଣିଷ ଭାବେ ତିଆରି କରିଥାଏ। କିନ୍ତୁ ସହଜ ସମୟ ମଣିଷକୁ ଅଳସୁଆ କରିଦିଏ। ବର୍ତ୍ତମାନର ପ୍ରତିଯୋଗିତାମୂଳକ ସମୟରେ ପ୍ରତ୍ୟେକ ଚାଲେଞ୍ଜକୁ ସମ୍ମୁଖୀନ କରି ପାରିବା ଭଳି ଢାଞ୍ଚାରେ ନିଜରକୁ ଗଠନ କରିବାକୁ ପଡ଼ିବ। ଏ କ୍ଷେତ୍ରରେ ନିଜର ସ୍ବାର୍ଥପ୍ରତି ମଧ୍ୟ ଯଥେଷ୍ଟ ଯତ୍ନବାନ ରହିବାକୁ ଡା. କୋଟା ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

publive-image

ସମ୍ମାନିତ ଅତିଥି ଡ. ଓଝା ତାଙ୍କ ବକ୍ତବ୍ୟରେ କହିଲେ, ସମୟ ବଡ଼ ମୂଲ୍ୟବାନ। ବିତି ଯାଇଥିବା ସମୟ ଆଉ ଫେରିବ ନାହିଁ। ଏଣୁ ସମୟର ସଦ୍‌ଉପଯୋଗ କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ଆହ୍ବାନ କରିଥିଲେ। ଏହା ସହିତ କେବଳ ପାଠପଢ଼ି ନିଜର ଲକ୍ଷ୍ୟ ହାସଲ କରିବାରେ ସୀମିତ ନରହି ପ୍ରଥମେ ଭଲ ମଣିଷଟିଏ ହେବା। ପାଠପଢ଼ି ସମସ୍ତେ ଚାକିରି କରୁଛନ୍ତି। କିନ୍ତୁ ଭଲ ମଣିଷ ହେବା ସମସ୍ତଙ୍କ ପକ୍ଷେ ସମ୍ଭବ ହେଉ ନାହିଁ। ମନରେ କ୍ଷମା, ଦୟାଭାବ ସୃଷ୍ଟି କରି ନମ୍ର ଓ ଉଦାର ହୋଇ ଭଲ ମଣିଷଟିଏ ହୋଇ ପାରିଲେ ମନୁଷ୍ୟ ଜୀବନ ସାର୍ଥକ ହେଲା ବୋଲି କହି ପାରିବା। ତତ୍‌ସହିତ ବର୍ତ୍ତମାନର ବହୁଭାଷୀ ଯୁଗରେ ଅନ୍ତତଃ ୩ଟି ଭାଷାରେ ନିହାତି ନିଜର ଦଖଲ ରହିବା ଆବଶ୍ୟକ ବୋଲି ଡ. ଓଝା କହିଥିଲେ। ପ୍ରଥମଟି ନିଜର ମାତୃଭାଷା ଓଡ଼ିଆ, ଦ୍ବିତୀୟରେ ରାଷ୍ଟ୍ରଭାଷା ହିନ୍ଦୀ ଓ ତୃତୀୟରେ ଆନ୍ତର୍ଜାତିକ ଭାଷା ଇଂରାଜିରେ ଲେଖି, ପଢ଼ି ଓ କହି ପାରିବା ଦରକାର। ଏହା ହେଲେ ଆମ ପାଇଁ କୌଣସି କାମ ଆଉ ଅସାଧ୍ୟ ହୋଇ ରହିବ ନାହିଁ ବୋଲି କହିଥିଲେ।

‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ(ବାର୍ତ୍ତା) ଶ୍ରୀ ଅରବିନ୍ଦ ଦାସ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଏହା ସହିତ ଛାତ୍ରଛାତ୍ରୀଙ୍କୁ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ବାର୍ତ୍ତା ପ୍ରଦାନ କରିଥିଲେ। ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ କହିଲେ ଯେ, ସଫଳ ହେବା ପାଇଁ ନିଜର କାମକୁ ଉପଭୋଗ କରିବାକୁ ପଡ଼ିବ। ଆମ ଯେ କୌଣସି କାମ କରନ୍ତୁ ନା କାହିଁକି ତାକୁ ଉପଭୋଗ ନକଲେ, ସେଥିରେ ଜଡ଼ିତ ନରହିଲେ ସଫଳ ହୋଇ ପାରିବା ନାହିଁ ବୋଲି ଶ୍ରୀ ଦାସ କହିଥିଲେ। ଭାରତୀୟ କ୍ରିକେଟ ଜଗତର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଉଦାହରଣ ଦେଇ ସେ ଛାତ୍ରଛାତ୍ରୀଙ୍କୁ ନିଜର ଜୀବନ ଓ କର୍ମକୁ ଉପଭୋଗ କରିବାକୁ ଆହ୍ବାନ କରିଥିଲେ। ମାଟ୍ରିକ୍‌ ପରେ ଯୁକ୍ତଦୁଇରେ ଅଧିକ ନମ୍ବର ରଖିବାକୁ ପଡ଼ିବ। ପାଠ୍ୟକ୍ରମ ଆହୁରି କଠିନ ହେବ। ସେଥିରେ ଭାଙ୍ଗି ପଡ଼ିଲେ ହେବ ନାହିଁ, ଶିଖିବା ପର୍ଯ୍ୟନ୍ତ ବାରମ୍ବାର ସେହି ପାଠକୁ ପଢ଼ି ଉପଭୋଗ କରନ୍ତୁ। ତା’ ହେଲେ ଯାଇ ସଫଳ ହୋଇ ପାରିବା ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲା ୧୨୪ଜଣ ମେଧାବୀ ଛାତ୍ରଛାତ୍ରୀ ଓ ସେମାନଙ୍କ ପ୍ରଧାନଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

‘ସମ୍ବାଦ’ ବ୍ରହ୍ମପୁର ସଂସ୍କରଣର ମହାନଗର ସଂଯୋଜକ ପ୍ରମୋଦ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଂସ୍କରଣ ଶାଖା ପରିଚାଳକ ସୁଶୀଲ କୁମାର ପ୍ରଧାନ, ମୁଖ୍ୟ ସହସମ୍ପାଦକ ପ୍ରଶାନ୍ତ ପଣ୍ଡା, ଆମ ଓଡ଼ିଶା ସଂଯୋଜକ ବସନ୍ତ ପଣ୍ଡା, ପ୍ରସାର ବିଭାଗ ଅଧିକାରୀ ପ୍ରମୋଦ ନାୟକ, ବିଜ୍ଞାପନ ବିଭାଗର ସୋମନାଥ ମିଶ୍ରଙ୍କ ସମେତ ସମସ୍ତ ସହକର୍ମୀ ପରିଚାଳନାରେ ସହଯୋଗ କରିଥିଲେ। ଗଞ୍ଜାମ ଜିଲ୍ଲା ପ୍ରତିନିଧି ସୁଦୀପ୍ତ ଷଡ଼ଙ୍ଗୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe