ଭଲ ଛାତ୍ରମାନେ ରାଜନୀତିକୁ ଆସନ୍ତୁ: ମନ୍ତ୍ରୀ

‘ସମ୍ବାଦ’ ମାଟ୍ରିକ ଚାମ୍ପିଅନ୍‌ସ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ଭଲ ଛାତ୍ରମାନେ ରାଜନୀତିକୁ ଆସନ୍ତୁ: ମନ୍ତ୍ରୀ

କଟକ : ଛାତ୍ରଛାତ୍ରୀମାନେ ନିଜ ପସନ୍ଦର ବୃତ୍ତି ବାଛନ୍ତୁ। ନିଜର ପ୍ରବୃତ୍ତି ଆଉ ବୃତ୍ତି ଚୟନରେ ଠିକ୍‌ ମେଳ ରହିଲେ ଯାଇ ଜଣେ ସଫଳ ‌ମଣିଷ ହୋଇପାରିବ। ଅଭିଭାବକମାନେ ନିଜ ପିଲାଙ୍କ ଉପରେ ନିଷ୍ପତ୍ତି ଲଦି ନ ଦେଇ ସେମାନଙ୍କୁ ନିଜ କ୍ୟାରିଅର୍ ବାଛିବାର ସୁଯୋଗ ଦିଅନ୍ତୁ ବୋଲି ମଙ୍ଗଳବାର ଦିନ କଟକରେ ଆୟୋଜିତ ମାଟ୍ରିକ ଚାମ୍ପିଅନ୍‌ସ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇ ବିଶିଷ୍ଟ ଅତିଥିମାନେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ପରାମର୍ଶ ଦେଇଛନ୍ତି।

‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଂଜନ ଦାଶ କହିଥିଲେ ଯେ ଏବେ ରାଜନୀତି ଓ ରାଜନେତାଙ୍କୁ ଭିନ୍ନ ଦୃଷ୍ଟିରେ ଦେଖାଯାଉଛି। ରାଜନୀତିର ନକରାତ୍ମକ ଦିଗକୁ ଅଧିକ ଚର୍ଚ୍ଚା କରାଯାଉଛି। କିନ୍ତୁ ରାଜନୀତିକୁ ବାଦ୍ ଦେଲେ ବ୍ୟବସ୍ଥା ଚାଲିବ ନାହିଁ। ତେଣୁ ଏ ଧାରଣା ବଦଳିବା ଦରକାର। ଭଲ ଛାତ୍ରଛାତ୍ରୀମାନେ ରାଜନୀତିକୁ ବି ଆସନ୍ତୁ ବୋଲି ଶ୍ରୀ ଦାଶ କହିବା ସହିତ ଛାତ୍ରଛାତ୍ରୀମାନେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଆହ୍ବାନ ଦେଇଥିଲେ। ବୃତ୍ତି ଚୟନ ଏକ ଗୁରୁତ୍ବପୁର୍ଣ୍ଣ ପ୍ରସଙ୍ଗ। ଛାତ୍ରଛାତ୍ରୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଅଭିଭାବକମାନେ ସେମାନଙ୍କୁ ବୃତ୍ତି ଚୟନ କରିବାର ସୁଯୋଗ ଦେବାକୁ ମନ୍ତ୍ରୀ ଅଭିଭାବକ ମାନଙ୍କୁ ପରାମର୍ଶ ଦେଇଥିଲେ। ଚଳିତ ବର୍ଷର ପରୀକ୍ଷାଫଳରେ ଛାତ୍ରଛାତ୍ରୀମାନେ ମାତ୍ରାଧିକ ନମ୍ବର ରଖିଛନ୍ତି ବୋଲି ଉଲ୍ଲେଖ କରି ଯେଉଁ କଟାକ୍ଷ କରାଯାଉଛି, ସେଥିରେ ବିଚଳିତ ନ ହେବାକୁ ଛାତ୍ରଛାତ୍ରୀ, ଶିକ୍ଷକ ତଥା ଅଭିଭାବକ ମାନଙ୍କୁ ମନ୍ତ୍ରୀ ପରାମର୍ଶ ଦେବାସହିତ ଏହି ସଫଳତାର ଧାରା ଆଗକୁ ବଜାୟ ରଖିବା ପାଇଁ କଠିନ ପରିଶ୍ରମ କରିବାକୁ ମନ୍ତ୍ରୀ ଶ୍ରୀ ଦାଶ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ଏସ୍‌ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ ମେଡିସିନ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଜୟନ୍ତ କୁମାର ପଣ୍ଡା ମାଟ୍ରିକ୍‌ ପରୀକ୍ଷାକୁ ଯୋଗ୍ୟତାର ପ୍ରଥମ ମାପକାଠି ବୋଲି କହିଥିଲେ। ଏହା ଭବିଷ୍ୟତର ମୂଳଦୁଆ ପକାଇଥାଏ। ଅନ୍ୟତମ ସମ୍ମାନିତ ଅତିଥି କଟକ କମିସନରେଟ୍ ପୁଲିସର ଡିସିପି, ପିନାକ ମିଶ୍ର କହିଥିଲେ ଯେ ଅନୁଶାସନ ନ ଥିଲେ ଜଣେ କୌଣସି କ୍ଷେତ୍ରରେ ସଫଳ ହୋଇପାରିବ ନାହିଁ। ପ୍ରତ୍ୟେକ ବ୍ୟକ୍ତି ମନରେ ଦୟା ଭାବ, ଅନ୍ୟମାନଙ୍କ ପ୍ରତି ସହନଶୀଳ, ସମ୍ମାନ ରଖିବା ସହ ସର୍ବୋପରି ସାମାଜିକ ଦାୟିତ୍ବ‌‌ବୋଧ ପ୍ରତି ସଚେତନ ରହିବା ଆବଶ୍ୟକ ବୋଲି ଶ୍ରୀ ମିଶ୍ର କହିଥିଲେ।

‘ସମ୍ବାଦ’ ସମ୍ପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ବୃତ୍ତି ଓ ପ୍ରବୃତ୍ତିର ମିଳନ ହେଲେ ଯାଇ ଜଣେ ସଫଳ ମଣିଷ ହୋଇପାରିବ ବୋଲି କହିଥିଲେ। ସେ କହିଥିଲେ ଯେ ପ୍ରବୃତ୍ତି ଅନୁସା‌ରେ ଠିକ୍ ବୃତ୍ତି ଚୟନ ହେଉଛି ସବୁଠୁ ଗୁରୁତ୍ବପୂର୍ଣ୍ଣ। ଏଥିପାଇଁ ଅଭିଭାବକମା‌ନେ ସଚେତନ ହେବା ଦରକାର। ଅଭିଭାବକମାନେ ନିଜ ପିଲାଙ୍କୁ ନିଜର ସମ୍ପତ୍ତି ନ ଭାବି ବୃତ୍ତି ଚୟନରେ ସ୍ବାଧୀନତା ଦେବା ଆବଶ୍ୟକ। ବିବିଧ ଫୁଲକୁ ନେଇ ‌ଯେମିତି ସୁନ୍ଦର ଫୁଲ ବଚିଚାଟିଏ ହୁଏ, ସେମିତି ବିବିଧ ବୃତ୍ତି ରହିଲେ ଏକ ସୁନ୍ଦର ସମାଜ ଗଠନ ହୋଇପାରିବ। ସମସ୍ତେ ଡାକ୍ତର, ଇଂଜିନିୟର, ପ୍ରଶାସନିକ ଅଧିକାରୀ ହେଲେ ଅନ୍ୟ ବୃତ୍ତିରେ କିଏ ରହିବ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିବା ସହିତ ନିଜ ସଫଳତାର ଧାରା ବଜାୟ ରଖିବାକୁ କଠିନ ପରିଶ୍ରମ କରିବାକୁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।

ସମ୍ବାଦର କଟକ ସଂସ୍କରଣ ମୁଖ୍ୟ କୃଷ୍ଣପ୍ରସାଦ ଦାସ ସ୍ବାଗତ ଭାଷଣ ପ୍ରଦାନ ଓ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ସମ୍ବାଦର ଚିଫ୍ ଅପରେଟିଂ ଅଫିସର କମଳାକାନ୍ତ ମହାପାତ୍ର ଓ ବିଜ୍ଞାପନ ବିଭାଗର ମହା ପ୍ରବନ୍ଧକ ସଂଜୟ ଗୌର ଉପସ୍ଥିତ ଥିଲେ। କଟକ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ୯୫ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ୯୪ଟି ସ୍କୁଲର ୧୯୬ ଜଣ ଛାତ୍ରଛାତ୍ରୀ ଓ ସେମାନଙ୍କ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe