ସମ୍ବଲପୁର : ଜଣେ ଜୀବନରେ ସେତେବେଳେ ପ୍ରକୃତରେ ସଫଳ ହୋଇଥାଏ, ଯେବେ ତାର ସଫଳତା ସମାଜକୁ ଉନ୍ନତିର ବାଟ ଦେଖାଏ ଓ ଅନ୍ୟକୁ ସଫଳ ହେବାରେ ସାହାଯ୍ୟ କରେ। ତେଣୁ ଜଣେ ଅଧିକ ନମ୍ବର ରଖି, ବଡ଼ ଚାକିରି କରି ପ୍ରଚୁର ଅର୍ଥ ରୋଜଗାର କଲେ ତାହାକୁ ସଫଳତା କୁହାଯାଇ ପାରିବ ନାହିଁ ଯେ ପର୍ଯ୍ୟନ୍ତ ସେ ସମାଜ ପାଇଁ କିଛି ନ କରିଛି। ‘ସମ୍ବାଦ’ ସମ୍ବଲପୁର ସଂସ୍କରଣ ପକ୍ଷରୁ ସୋମବାର ଦିନ ବୁର୍ଲା ଭିସୁଟ୍ର ବିଜୁ ପଟ୍ଟନାୟକ ଇ-ଲର୍ଣ୍ଣିଂ ସେଣ୍ଟର୍ରେ ଆୟୋଜିତ ‘ମାଟ୍ରିକ ଚାମ୍ପିଅନ୍ସ-୨୦୨୩’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଅଗ୍ନିଶମ ଓ ଗୃହରକ୍ଷୀ ବାହିନୀ ମହାନିର୍ଦ୍ଦେଶକ ଡ. ସୁଧାଂଶୁ ଷଡ଼ଙ୍ଗୀ ମାଟ୍ରିକ୍ ପରୀକ୍ଷାର କୃତୀ ଛାତ୍ରଛାତ୍ରୀଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି।
ମେଧାବୀ ଛାତ୍ରଛାତ୍ରୀ ରାଜନୀତିକୁ ଆସନ୍ତୁ: ସୌମ୍ୟରଂଜନ
/sambad/media/post_attachments/wp-content/uploads/2023/05/sa2-648x430.jpg)
ଡ. ଷଡ଼ଙ୍ଗୀ କହିଲେ, ମେଧା ଓ ସଫଳତା ପ୍ରତିଷ୍ଠା ଆଣି ଦେଉଥିବା ବେଳେ ମେଧାବୀ ହେବାକୁ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସମାନ ସୁଯୋଗ ରହିଛି। ତେବେ ଦେଖାଯାଉଛି ମେଧା ତାଲିକାରେ ଏବେ ପୁଅଙ୍କ ଅପେକ୍ଷା ଝିଅମାନେ ବେଶି ସଫଳ ହେଉଛନ୍ତି। ଶ୍ରେଣୀ ଓ ପରୀକ୍ଷାରେ ଝିଅମାନେ ଆଗରେ ରହୁଥିବା ବେଳେ କାର୍ଯ୍ୟକ୍ଷେତ୍ରରେ ଝିଅମାନେ ପଛୁଆ ରହୁଛନ୍ତି। ଶ୍ରେଣୀ ଶିକ୍ଷାପଦ୍ଧତି ଝିଅମାନଙ୍କୁ ସୁହାଉ ଥିବାବେଳେ ଏହା ପୁଅମାନଙ୍କୁ ସୁହାଉ ନାହିଁ। ପରେ ଆଇଆଇଟି/ନିଟ୍ ଆଦି ପ୍ରତିଯୋଗିତାମୂଳକ ପରୀକ୍ଷାରେ କିନ୍ତୁ ଝିଅଙ୍କ ଅପେକ୍ଷା ପୁଅମାନେ ଆଗରେ ରହୁଛନ୍ତି। ଶ୍ରେଣୀ ଶିକ୍ଷାରେ ପୁଅମାନେ କାହିଁକି ପଛରେ ରହୁଛନ୍ତି, ଏହାର ମନସ୍ତାତ୍ତ୍ବିକ ଦିଗକୁ ବିଚାର କରିବାର ଆବଶ୍ୟକତା ରହିଛି। ସଫଳତାର ଔଦ୍ଧତ୍ୟ ଓ ବିଫଳତାର ଗ୍ଳାନି ସମାଜକୁ ଦୁଇ ଭାଗରେ ବିଭକ୍ତ କରୁଛି। ଯିଏ ସଫଳ ହେଲା ସେ ନିଜକୁ ସୌଭାଗ୍ୟବାନ ମନେ କରୁଥିବା ବେଳେ ଏହି ସଫଳତା ନିଜ ପରିଶ୍ରମର ଫଳ ବୋଲି ଛାତ୍ରଛାତ୍ରୀ ବିଚାର କରି ନେଉଛନ୍ତି। ଏହା କିନ୍ତୁ ସଂପୂର୍ଣ୍ଣ ଭୁଲ। କାରଣ ଏହି ସଫଳତା ପଛରେ ଅନେକଙ୍କ ହାତ ରହିଥିବାରୁ ମେଧାବୀ ଛାତ୍ରଛାତ୍ରୀ ସମସ୍ତଙ୍କ ପ୍ରତି କୃତଜ୍ଞ ରହିବା ଦରକାର ବୋଲି ସେ ପରାମର୍ଶ ଦେଇଥିଲେ। କେବଳ ମାର୍କ ଅଧିକ ରଖି ବିଜ୍ଞାନ ପଢ଼ିଲେ ଯେ ଜଣେ ସଫଳ ହେବ ତାହା ଭାବିବା ମଧ୍ୟ ଭୁଲ। କାରଣ ପ୍ରତ୍ୟେକ କାମର ଗୁରୁତ୍ବ ରହିଛି। କଳାରେ ପଢ଼ୁଥିବା ପିଲା ଦେଶ ଓ ରାଜ୍ୟ ଶାସନର ମୁଖ୍ୟ ପଦପଦବିରେ ରହିବାର ସର୍ବାଧିକ ଦୃଷ୍ଟାନ୍ତ ରହିଛି ବୋଲି ଡ. ଷଡ଼ଙ୍ଗୀ କହିଥିଲେ। ଅନ୍ୟକୁ ସାହାଯ୍ୟ କରି ନ ପାରିଲେ ସେହି ସଫଳତାର କିଛି ମୂଲ୍ୟ ନାହିଁ ବୋଲି ସେ ମତ ରଖିଥିଲେ।
/sambad/media/post_attachments/wp-content/uploads/2023/05/sa4-648x430.jpg)
ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭିସୁଟ୍ କୁଳପତି ପ୍ରଫେସର ଡ. ବଂଶୀଧର ମାଝୀ ମେଧାବୀ ଛାତ୍ରଛାତ୍ରୀଙ୍କ ସହିତ ସେମାନଙ୍କ ଶିକ୍ଷାନୁଷ୍ଠାନର ଶିକ୍ଷକ ଓ ଅଭିଭାବକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଛାତ୍ରଛାତ୍ରୀ ନିଜ କ୍ୟାରିଅରକୁ ଗୁରୁତ୍ବ ଦେବା ସହିତ ଭଲ ମଣିଷ ହେବା ପାଇଁ ସେ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ମେଧାବୀ ଛାତ୍ରଛାତ୍ରୀ ରାଜନୀତି କ୍ଷେତ୍ରକୁ ଆସିବା ଉଚିତ। ସବୁ ମେଧାବୀ ଛାତ୍ର କେବଳ ଡାକ୍ତର, ଇଂଜିନିୟର ବା ପ୍ରଶାସକ ହେବା ଲକ୍ଷ୍ୟରେ ରହୁଥିବା ବେଳେ ଜଣେ ବି କେହି ଯଦି ମୁଖ୍ୟମନ୍ତ୍ରୀ କି ପ୍ରଧାନମନ୍ତ୍ରୀ ହେବା ପାଇଁ ଇଚ୍ଛା ପ୍ରକାଶ କରନ୍ତେ, ତେବେ ଏହି ସମାରୋହର ଉଦ୍ଦେଶ୍ୟ ସଫଳ ହୁଅନ୍ତା ବୋଲି ସେ କହିଥିଲେ। ମେଧାବୀ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିବାକୁ ଯାଇ ଶ୍ରୀ ପଟ୍ଟନାୟକ କହିଥିଲେ, ରାଜତନ୍ତ୍ର ପରେ ଗଣତନ୍ତ୍ର ଓ ଏବେ ମେଧାତନ୍ତ୍ର ଉପରେ ସମସ୍ତେ ବିଶ୍ବାସ କରୁଛନ୍ତି। ମେଧାବୀ ଛାତ୍ରଛାତ୍ରୀ କେବଳ ସଫଳ ତାହା ଭାବିବା ଠିକ୍ ନୁହେଁ। କାରଣ ଯେଉଁମାନେ ମେଧାବୀ ନୁହନ୍ତି, ସେମାନଙ୍କ କାମର ମଧ୍ୟ ଗୁରୁତ୍ବ ରହିଛି। ତେଣୁ ବିଫଳତାର କିଛି ମାନେ ନାହିଁ। ଛାତ୍ରଛାତ୍ରୀମାନେ ଯଦି ମନକୁ ସୁଦୃଢ଼ କରିବେ, ମନକୁ ସୁସ୍ଥ ରଖିବେ ତେବେ ସଫଳତା ଆପେ ଆସିବ ବୋଲି କହି ସେ ଛାତ୍ରଛାତ୍ରୀମାନଙ୍କୁ ପାଞ୍ଚଟି ‘ମ’ ଓ ପାଞ୍ଚଟି ‘ନ’ର ସୂତ୍ର ଦେଇଥିଲେ।
/sambad/media/post_attachments/wp-content/uploads/2023/05/sa3-750x430.jpg)
ଏହି ୫ ‘ମ’ର ଅବତାରଣା କରିବାକୁ ଯାଇ ମାକୁ ସମ୍ମାନ କରିବା, ମାଟି ପ୍ରତି ସମର୍ପଣଭାବ ରଖି ମାଟିମନସ୍କ ହେବା, ମାତୃଭାଷାକୁ ଆଦର କରିବା, ବର୍ତ୍ତମାନର ମୋବାଇଲ ଯୁଗରେ ପ୍ରଗତିର ପ୍ରତୀକ ଭାବରେ ଉଭା ହୋଇଥିବାରୁ ଏହାର ସଦ୍ବ୍ୟବହାର କରି ଜ୍ଞାନ ଆହରଣ କରିବା ଓ ପଞ୍ଚମ ‘ମ’ ମଦଠୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଥିଲେ। ସେହିଭଳି ପାଞ୍ଚଟି ‘ନ’ ଫର୍ମୁଲା ଅନୁଯାୟୀ ନିରୋଗ, ନିରହଙ୍କାର, ନିରାଡ଼ମ୍ବର ଓ ନିଡର ହେବା ସହ ନିଶାମୁକ୍ତ ପରିବେଶ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ। ମାନସିକ ଚାପ ରହିଲେ କୌଣସି ସଫଳତା ମିଳେନାହିଁ, ତେଣୁ ଛାତ୍ରଛାତ୍ରୀ ନିରୋଗ ରହି ଅହଙ୍କାରକୁ ତ୍ୟାଗକରି ଏକ ନିରାଡ଼ମ୍ବର ଜୀବନ ବିତାଇବା ସହିତ ସତ୍ୟ ସହ ଯୋଡ଼ି ହେଲେ ବା ସତ୍ୟାଗ୍ରହୀ ହେଲେ କାହାକୁ ଡରିବା ବା ଭୟ କରିବାର ଅବକାଶ ରହିବ ନାହିଁ ବୋଲି କହିଥିଲେ। ଏହି ସୂତ୍ରକୁ ନିଜ ଜୀବନରେ ଅବଲମ୍ବନ କଲେ ସଫଳତା ନିଶ୍ଚିତ ବୋଲି ଛାତ୍ରଛାତ୍ରୀଙ୍କୁ ଶ୍ରୀ ପଟ୍ଟନାୟକ କହିଥିଲେ।
/sambad/media/post_attachments/wp-content/uploads/2023/05/sa4a-750x430.jpg)
‘ସମ୍ବାଦ’ ବାର୍ତ୍ତା ସଂପାଦକ ଅରବିନ୍ଦ ଦାସ ପ୍ରାରମ୍ଭିକ ସୂଚନା ଦେବା ସହିତ ରାଜ୍ୟର ବିଭିନ୍ନ କ୍ଷେତ୍ରର ସୁନାମଧନ୍ୟ ବ୍ୟକ୍ତିତ୍ବଙ୍କ ମାର୍ଗଦର୍ଶନ ପାଇବା ପାଇଁ ଏହି ମଞ୍ଚ ଛାତ୍ରଛାତ୍ରୀଙ୍କୁ ଏକ ସୁଯୋଗ ଦେଇଛି ବୋଲି କହିଥିଲେ। ‘ସମ୍ବାଦ’ ସମ୍ବଲପୁର ସଂସ୍କରଣର ଉପମହାପ୍ରବନ୍ଧକ ସୁବ୍ରତ ନାୟକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାର ୧୪୬ ଜଣ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପଦକ ଓ ମାନପତ୍ର ଦେଇ ପୁରସ୍କୃତ କରିଥିଲେ। ସେମାନଙ୍କ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ମଧ୍ୟ ସମ୍ମାନିତ କରିଥିଲେ। ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ‘ସମ୍ବାଦ’ ରାଉରକେଲା ସଂସ୍କରଣର ସହକାରୀ ମହାପ୍ରବନ୍ଧକ ଆଶିଷ ଗଡ଼ନାୟକ। ଶେଷରେ ସମ୍ବଲପୁର ସଂସ୍କରଣ ସହକାରୀ ମହାପ୍ରବନ୍ଧକ ଗଜେନ୍ଦ୍ରନାଥ ମଲ୍ଲିକ ଧନ୍ୟବାଦ ଦେଇଥିଲେ।
/sambad/media/post_attachments/wp-content/uploads/2023/05/sa33-750x430.jpg)
Follow Us