ବ୍ୟାସନଗର: ଅଭିଭାବକମାନେ ନିଜ ଇଚ୍ଛାକୁ ପିଲାମାନଙ୍କ ଉପରେ ଲଦି ନ ଦିଅନ୍ତୁ। ଛାତ୍ରଛାତ୍ରୀ ଭବିଷ୍ୟତରେ କ’ଣ କରିବେ ତାହା ସେମାନଙ୍କ ଉପରେ ଛାଡ଼ି ଦିଆଯାଉ। ଶନିବାର ‘ସମ୍ବାଦ’ ଯାଜପୁର ସଂସ୍କରଣର ମାଟ୍ରିକ୍ ଚାମ୍ପିଅନ୍ସ ସମ୍ବର୍ଦ୍ଧନା-୨୦୨୫ ସମାରୋହରେ ଯୋଗ ଦେଇ ଅତିଥିମାନେ ଏଭଳି ପରାମର୍ଶ ଦେଇଛନ୍ତି। ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଫକୀରମୋହନ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର କୁମରବର ଦାସ କହିଥିଲେ, ବାପାମା’ ଓ ଗୁରୁଜନଙ୍କ ଆଶୀର୍ବାଦରୁ ପିଲାମାନେ ପ୍ରଥମ ପାହାଚ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ପ୍ରତିଭା ସମସ୍ତଙ୍କ ପାଖରେ ଅଛି। ପ୍ରତିଭାର ବିକାଶ ହେଲେ ମଣିଷ ପ୍ରବୀଣ ହୁଏ। ପ୍ରତିଭା ସାଙ୍ଗରେ ଦୃଷ୍ଟିଭଙ୍ଗୀ ମିଶିଲେ ମଣିଷ ମହାନ ହୋଇଯାଏ। ତେଣୁ ଛାତ୍ରଛାତ୍ରୀ ଗେଣ୍ଡୁଫୁଲ ପରି କେବଳ ପ୍ରତିଭାବାନ ନ ହୋଇ ପଦ୍ମଫୁଲ ପରି ମହାନ ହେବା ପାଇଁ ଉଦ୍ୟମ କରନ୍ତୁ।
ମୁଖ୍ୟଅତିଥି କଟକ ଏସ୍ସିବି ମେଡିକାଲ କଲେଜ ୟୁରୋଲୋଜି ବିଭାଗର ପ୍ରଫେସର ଡା. ସବ୍ୟସାଚୀ ପଣ୍ଡା କହିଥିଲେ, ମାଟ୍ରିକ ପରେ ଆଗାମୀ ଦୁଇବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କାରଣ ଏହି ସମୟରେ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାମୂଳକ ଓ ପ୍ରବେଶିକା ପରୀକ୍ଷା ଦେବେ। ଛାତ୍ରଛାତ୍ରୀ ମୋବାଇଲ ଅପେକ୍ଷା ବହିକୁ ନିଜର ସାଥୀ କରିବାକୁ ସେ ପରାମର୍ଶ ଦେଇଥିଲେ। ‘ସମ୍ବାଦ’ର ସମ୍ପାଦକ ତନୟା ପଟ୍ଟନାୟକ କହିଥିଲେ, କଠିନ ପରିଶ୍ରମ, ଶିକ୍ଷକଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ଆଶୀର୍ବାଦ ଯୋଗୁଁ ଛାତ୍ରଛାତ୍ରୀ ଆଜି ଏହି ସଫଳତାର ଅଧିକାରୀ ହୋଇପାରିଛନ୍ତି। ପରୀକ୍ଷା ଜୀବନସାରା ଆସିବ। ଏହାକୁ ନେଇ ବ୍ୟସ୍ତ ହେବାନି। କଠିନ ପରିଶ୍ରମ ଓ ଏକାଗ୍ରତା ରହିଲେ ସଫଳତା ନିଶ୍ଚିତ ମିଳିବ। ବର୍ତ୍ତମାନ ସୀମାରେ ଉତ୍ତେଜନା ଲାଗି ରହିଛି। ସେନାବାହିନୀ ପାଇଁ ଆମେ ରାତିରେ ନିଶ୍ଚିନ୍ତରେ ଶୋଇପାରୁଛୁ, ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବିଚରଣ କରିପାରୁଛୁ। ତିନିସେନାର ସୁରକ୍ଷା ପାଇଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବାକୁ ସେ ନିବେଦନ କରିଥିଲେ।
ଶେଷରେ ନିଜ ଅଭିଭାଷଣରେ ଇଷ୍ଟର୍ଣ୍ଣ ମିଡିଆର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କହିଥିଲେ, ବର୍ତ୍ତମାନ ସମୟରେ ବୃତ୍ତି ଚୟନ ପାଇଁ ଅନେକ ସୁଯୋଗ ରହିଛି। ଏହି କ୍ଷେତ୍ରରେ ଅଭିଭାବକମାନେ ନିଜ ଇଚ୍ଛାକୁ ଛାତ୍ରଛାତ୍ରୀଙ୍କ ଉପରେ ଲଦି ଦିଅନ୍ତୁ ନାହିଁ। ଯେଉଁ କ୍ଷେତ୍ରରେ ରୁଚି ରହିଛି, ତାହାକୁ ସେମାନେ ବୃତ୍ତି ଭାବେ ଚୟନ କରନ୍ତୁ। ଏଥିସହିତ ମା’କୁ ଭଲପାଇବା, ଜନ୍ମମାଟି ପ୍ରତି ସଂକଳ୍ପବଦ୍ଧ ହେବା, ମାତୃଭାଷା ସମେତ ଅନ୍ୟ ଭାଷା ଶିକ୍ଷା କରିବା, ମୋବାଇଲର ଉଚିତ ବ୍ୟବହାର, ମଦମୁକ୍ତ ଓଡ଼ିଶା ଗଠନ, ନିରୋଗ ରହିବା, ନିରହଙ୍କାର ହେବା, ନିରାଡ଼ମ୍ବର ଜୀବନ ବଞ୍ଚିବା, ନିଡ଼ର ରହିବା ଓ ନିଶାମୁକ୍ତ ପରିବେଶ ପାଇଁ ସମସ୍ତେ ଉଦ୍ୟମ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଥିଲେ। ଏହି ଅବସରରେ ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡ୍ରେ ପାସ୍ କରିଥିବା ଯାଜପୁର ଓ କେନ୍ଦୁଝର ଜିଲ୍ଲାର ୧୪୪ଜଣ ମେଧାବୀ ଛାତ୍ରଛାତ୍ରୀ ଓ ସେମାନଙ୍କ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ‘ସମ୍ବାଦ’ ଯାଜପୁର ସଂସ୍କରଣ ମୁଖ୍ୟ ଗଦାଧର ପଣ୍ଡା ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମୁଖ୍ୟ ସହସମ୍ପାଦକ ଡ. ହରିହର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
Follow Us