ଆଗାମୀ ଦୁଇ ଦଶନ୍ଧି ଓଡ଼ିଶାର: ମନ୍ତ୍ରୀ ପ୍ରତାପ ଦେବ

Advertisment

ସମ୍ବାଦ ଓଡ଼ିଶା-୫୦ ଦ୍ବିତୀୟ ସଂସ୍କରଣର ଉଦ୍‌ଯାପନୀ ଉତ୍ସବ

ସମ୍ବାଦ ଓଡ଼ିଶା-୫୦ ଦ୍ବିତୀୟ ସଂସ୍କରଣର ଉଦ୍‌ଯାପନୀ ଉତ୍ସବ

ଆଗାମୀ ଦୁଇ ଦଶନ୍ଧି ଓଡ଼ିଶାର: ମନ୍ତ୍ରୀ ପ୍ରତାପ ଦେବ

ଭୁବନେଶ୍ବର : ଯେତେବେଳେ ଜଙ୍ଗଲରେ ଲୋକ ବୁଲୁଥିଲେ ସେତେବେଳେ ଓଡ଼ିଆ ସାଧବ ପୁଅମାନେ ନୌବାଣିଜ୍ୟ କରୁଥିଲେ। ଜାଭା, ସୁମାତ୍ରା ଯାଉଥିଲେ। ଆମ ଦେହରେ ସେଇ ରକ୍ତ ବହୁଛି। ଭାରତର ଆଜି ଅନ୍ୟରାଜ୍ୟରେ ଯେଉଁଠି ମହିଳାମାନେ ଓଢ଼ଣା ଦେଇ ରହୁଛନ୍ତି ସେଠାରେ ଓଡ଼ିଶାର ମହିଳା କେବଳ ଆତ୍ମନିର୍ଭର ହୋଇନାହାନ୍ତି, ବରଂ ଅନ୍ୟମାନଙ୍କୁ ଆହାର ଯୋଗାଇ ପାରୁଛନ୍ତି। ସ୍ବର୍ଗତ ବିଜୁ ପଟ୍ଟନାୟକ ମହିଳାମାନଙ୍କୁ ନେଇ ଏହି ସ୍ବପ୍ନ ଦେଖିଥିଲେ। ମୁଖ୍ୟମନ୍ତ୍ରୀ ତାହା ସାକାର କରିଛନ୍ତି। ‘ସମ୍ବାଦ’ ଏହି ବିପ୍ଲବର ମଙ୍ଗ ଧରିଛି। ଆଗାମୀ ଦୁଇ ଦଶନ୍ଧି ହେଉଛି ଓଡ଼ିଶାର। ମାଲିକ ହେବାର ମାନସିକତା ରହିଲେ ସମ‌ସ୍ତେ ଉଦ୍ୟୋଗପତି ହୋଇପାରିବେ। ଓଡ଼ିଶାର ମହିଳାମାନେ ଏହା ପ୍ରମାଣିତ କରିଛନ୍ତି ବୋଲି କହିଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ।

publive-image

ବୁଧବାର ପୂର୍ବାହ୍ନରେ ‘ସମ୍ବାଦ’ ପକ୍ଷରୁ ଓଡ଼ିଶା-୫୦ ଦ୍ବିତୀୟ ସଂସ୍କରଣର ଉଦ୍‌ଯାପନୀ ଉତ୍ସବ ଅବସରରେ ରେଲ୍‌ ଅ‌ଡିଟୋରିୟମ୍‌ରେ ଆୟୋଜିତ ଗ୍ରାମୀଣ ମହିଳା ଉଦ୍ୟୋଗୀ ସମାବେଶ-୨୦୨୨ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ କହିଛନ୍ତି, ୧୯୩୬ ମସିହାରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା ପାଇଲା। ୨୦୩୬ ମସିହାରେ ଶହେ ବର୍ଷ ପୂରିବ। ସେତେବେଳେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହେବ ବୋଲି ରାଜ୍ୟ ସରକାର ସ୍ବପ୍ନ ଦେଖିଛନ୍ତି। କୃଷି, ଶିଳ୍ପ, କାରିଗରୀ ଓ ଶିକ୍ଷା କ୍ଷେତ୍ରରେ ଓଡ଼ିଶା ଆଗରେ ରହିବ। ଆଜି କୃଷି କ୍ଷେତ୍ରରେ ଓଡ଼ିଶା ଆଗରେ ରହିଛି। ଶିଳ୍ପାୟନରେ ଓଡ଼ିଶା ଆଗରେ ରହିବ ସେ ନେଇ ୨୦୧୬ ମସିହାରୁ ଉଦ୍ୟମ ଅବ୍ୟାହତ ରହିଛି। ଏଥିରେ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି। ‘ସମ୍ବାଦ’ର ଏହି ପ୍ରୟାସ ଏଥିରେ ପ୍ରମୁଖ ଭୂମିକା ନିଭାଇବ।

publive-image

ମହିଳାମାନେ ଛୋଟ ଛୋଟ ଉଦ୍ୟୋଗ କରୁଛନ୍ତି। ଉତ୍ପାଦନ କରୁଛନ୍ତି ଓ ଉତ୍ପାଦକୁ ବିକ୍ରି କରିଦେଉଛନ୍ତି। ଜଙ୍ଗଲଜାତ ଦ୍ରବ୍ୟ ହାତ ପାଆନ୍ତାରେ ଅଛି। କିନ୍ତୁ ଏହାକୁ ପ୍ରକ୍ରିୟାକରଣ କରି କିଭଳି ଅଧିକ ଆୟ କରାଯିବ ସେ ନେଇ ଉଦ୍ୟମ ହେବା ଜରୁରୀ। ଭିଶାଖା କମ୍ପାନି ନବରଙ୍ଗପୁରରେ କାମ ଆରମ୍ଭ କରିଛି। ଏହି ଶିଳ୍ପ ପ୍ରତିଷ୍ଠା ହୋଇଗଲେ ସବୁ ମକା ସେ କିଣିନେଇ ପ୍ରକ୍ରିୟାକରଣ କରିବ। ସାଧାରଣ ଲୋକଙ୍କୁ ଏହା ସିଧାସଳଖ ଲାଭ ଦେବ। ସେହିଭଳି ସରକାର ଫୁଡ୍‌ ପ୍ରୋ‌ ଆରମ୍ଭ କରିଛନ୍ତି। ବଡ଼ ବଡ଼ କମ୍ପାନି ଆସି ଏଠାରେ ପ୍ରକ୍ରିୟାକରଣ କରିବେ। ଉତ୍ପାଦନକାରୀ ଉତ୍ପାଦରୁ ଅଧିକ ଲାଭ ପାଇବା ସହ ବେକାର ଯୁବକଯୁବତୀ ଆତ୍ମନିର୍ଭରଶୀଳ ହେବେ। ଆଗାମୀ ୧୦ ବର୍ଷ ଓଡ଼ିଶାର ବର୍ଷ। ମହିଳାମାନଙ୍କୁ ଏହି ରଥର ସାରଥୀ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି। ଅନେକ ଲୋକଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ଥିବା ବିଭିନ୍ନ ଯୋଜନା ବିଷୟରେ ଜ୍ଞାନ ନଥିବାରୁ 'ସମ୍ବାଦ' ଏକ ସ୍ବତନ୍ତ୍ର ପ୍ରକୋଷ୍ଠ ଖୋଲି ସୂଚନା ପ୍ରଦାନ କଲେ ଅନେକ ଉଦ୍ୟୋଗୀ ଲାଭବାନ୍‌ ହେବେ ବୋଲି ସେ ପରାମର୍ଶ ଦେଇଛନ୍ତି।

publive-image

ସମ୍ମାନିତ ଅତିଥି ଭାବେ ଭୁବନେଶ୍ବର ମହାନଗର ନିଗମ ମେୟର ସୁଲୋଚନା ଦାସ ଯୋଗଦେଇ କହିଥିଲେ, ପରିବାର ଭିତରେ ମହିଳାମାନେ ସେମାନଙ୍କର ପରିଚୟ ହରାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ମିସନ ଶକ୍ତି ଜରିଆରେ ସେମାନେ ତାଙ୍କର ହୃତ ପରିଚୟ ଫେରି ପାଇଛନ୍ତି। ଆଜି ବିଦେଶରେ ଆମ ରାଜ୍ୟକୁ ପ୍ରତିନିଧିତ୍ବ କରିଛନ୍ତି, ନିଜ ପ୍ରତିଭାର ପ୍ରଦର୍ଶନ କରିଛନ୍ତି। ମହିଳା ସଶକ୍ତୀକରଣ କ୍ଷେତ୍ରରେ ଓଡ଼ିଶା ଉଦାହରଣ ସୃଷ୍ଟି କରିଛନ୍ତି। ମୁକ୍ତା ଯୋଜନାରେ ବର୍ଷା ଜଳ ଅମଳ ପ୍ରକଳ୍ପ ମହିଳାମାନେ ହିଁ କରୁଛନ୍ତି। ଏମ୍‌ସିସି(ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟରରେ) ଦକ୍ଷତାର ସହ କାମ କରୁଛନ୍ତି। ଜଳାଶୟର ପୁନରୁଦ୍ଧାର ହେଉ ବା ମଳ ପରିଚାଳନା ପ୍ରକଳ୍ପ ପରିଚାଳନା, ଏସବୁ ଦାୟିତ୍ବ ମହିଳା ହିଁ ନେଇଛନ୍ତି। ସ୍ବପ୍ନର ସହର ଗଢ଼ିବାକୁ ମହିଳାମା‌ନେ ଅଣ୍ଟା ଭିଡ଼ିଛନ୍ତି। ମହିଳାଙ୍କ ଭିତରେ ଆହୁରି ସାମର୍ଥ୍ୟ ଭରି ଦେବା ପାଇଁ ଓଡ଼ିଶା-୫୦ ରୂପକ ପ୍ରୟାସ ପାଇଁ ‘ସମ୍ବାଦ’ ଧନ୍ୟବାଦର ପାତ୍ର ବୋଲି ଶ୍ରୀମତୀ ଦାସ କହିଛନ୍ତି।

publive-image

ଅନ୍ୟତମ ସମ୍ମାନିତ ଅତିଥି ଭାବେ ସିୱାଇଏସ୍‌ଡିର ପରାମର୍ଶଦାତା ଓ ସହ ପ୍ରତିଷ୍ଠାତା ତଥା ପୂର୍ବତନ ସୂଚନା କମିସନର ଜଗଦାନନ୍ଦ କହିଥିଲେ, ୧୯୮୦ ମସିହାରେ ଯେତେବେ‌ଳେ ଏସ୍‌ଏଚ୍‌ଜିର ନାଁ ଗନ୍ଧ ନଥିଲା ସେତେବେଳେ ଆମେ ମହିଳା ସଞ୍ଚୟ ସମିତି ଆରମ୍ଭ କରିଥିଲୁ। ଏବେ ଏହି ଉଦ୍ୟମ ବଡ଼ ଦ୍ରୁମରେ ପରିଣତ ହୋଇଛି। ସରକାର ଏହାକୁ ମାନ୍ୟତା ଦେଇଛନ୍ତି। ଜଣେ ଜଣେ ମହିଳା କହୁଛନ୍ତି ମୁଁ କମ୍ପାନିର ଡାଇରେକ୍ଟର, ଜଣେ ସିଇଓଙ୍କୁ ମୁଁ ନିଯୁକ୍ତି ଦେଇଛି। ଏଥିରୁ ଜଣାପଡ଼ୁଛି ଯେ, ମହିଳାଙ୍କ ଭିତରେ ଆତ୍ମବିଶ୍ବାସ ବଢ଼ିଛି, ସାହସ ବଢ଼ିଛି। ତାମିଲନାଡ଼ୁର ଏକ ପଞ୍ଚାୟତ ଅଛି, ଯେଉଁଠି ପଞ୍ଚାୟତର କୌଣସି ଜିନିଷ ବିନା ପ୍ରକିୟାକରଣରେ ବାହାରକୁ ଯିବନି। ସାବୁନ ସେଇଠି ତିଆରି ହେଉଛି। ତେଲ ବି ସେଇଠି ହେଉଛି। ଉତ୍ପାଦନ ସେଇଠି, ବଜାର ବି ସେଇଠି। ଏହି ବିକାଶରେ ମହିଳା ମଙ୍ଗ ଧରିଛନ୍ତି। ୨୦୩୦ରେ ସମାଜକୁ କେମିତି ଦେଖିବା ସେ ନେଇ ଭିଜନ ୨୦୩୦ର ପରିକଳ୍ପନା କରାଯାଇଛି। ଜଣେ ଲୋକ ଅବଳା ଦୁର୍ବଳା ରହିବେ ନାହିଁ ତାହା ଏହି ଏଜେଣ୍ଡା୨୦୩୦ରେ ରହିଛି। ସମ୍ବାଦର ଏହି ପ୍ରୟାସ ଜରିଆରେ ବିକାଶର ବାହାରେ ରହିଯାଇଥିବା ଲୋକକୁ ଚିହ୍ନଟ କରି ସାମିଲ କରିପାରିଲେ ଏହି ଭିଜନ ୨୦୩୦ ସମ୍ଭବ ହେବ ବୋଲି ସେ କହିଛନ୍ତି।

publive-image

କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ସମ୍ବାଦ ଗ୍ରୁପ୍‌ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ, ଋଷ୍‌ ବିପ୍ଲବରେ ୫୦ ଭାଗ ମହିଳା ବା ଅଧା ବିଶ୍ବ ଭାଗ ନେଇନଥିବାରୁ ଲେନିନ୍‌ ଯେଉଁ ମନଦୁଃଖ କରିଥିଲେ ସେ ପରିସ୍ଥିତି ଏବେ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ ଥିଲା ୫୦ ପ୍ରତିଶତ ମହିଳାମାନେ ନେତୃତ୍ବ ନିଅନ୍ତୁ। ତାହା ଆଜି କେବଳ ସଫଳ ହୋଇନାହିଁ ବରଂ ପଞ୍ଚାୟତ ନିର୍ବାଚନକୁ ବିଚାରକୁ ନେଲେ ଆଶା ଠାରୁ ଅଧିକ ହୋଇଥିବା ପ୍ରମାଣିତ ହୋଇଛି। ଦୁଇଟି କଥା ସମ୍ଭବ ହେଲେ ମହିଳାମାନେ ସଫଳ ହେବେ। ପ୍ରତ୍ୟେକ ମହିଳା ଶିକ୍ଷିତ ହେବେ। ଦ୍ବିତୀୟରେ, ମହିଳାମାନେ ରୋଜଗାର କରିବେ। ସ୍ବାମୀର ରୋଜଗାର ଉପରେ ନିର୍ଭର ହେଲେ ନିର୍ଯାତିତା ହେବା ଆଶଙ୍କା ରହିଛି। ଏଣୁ ମହିଳାମାନେ ରୋଜଗାର କ୍ଷମ ହେବାକୁ ହେଲେ କିଭଳି ସରକାରୀସ୍ତରରେ ପୁଞ୍ଜି ପାଇବେ, କମ୍‌ ଖର୍ଚ୍ଚରେ ଅଧିକ ଉତ୍ପାଦନ କରିପାରିବେ ଓ ଉତ୍ପାଦ ପାଇଁ ଏକ ଭଲ ବଜାର ପାଇବେ ସେ ନେଇ ଉଦ୍ୟମ ହେବା ଜରୁରୀ। ମା’, ମାଟି, ମାତୃଭାଷା ଓ ମୋବାଇଲ ଏଭଳି ୪ଟି ‘ମ’କୁ ଆପଣେଇ ଗୋଟିଏ ‘ମ’ ମଦକୁ ତ୍ୟାଗ କଲେ ଯାଇ ସଫଳତା ମିଳିବ ବୋଲି ସେ କହିଛନ୍ତି।

publive-image

ସମ୍ବାଦ ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ କହିଥିଲେ, ଆମେ ୨୦୨୧ରେ ଏହାକୁ ଆରମ୍ଭ କରିଥିଲୁ। ରାଜ୍ୟପାଳ ଆମକୁ ସମ୍ମାନିତ କରିଥିଲେ। ଆଜି ୯୦ ଜଣ ମହିଳା ସମ୍ମାନିତ ହେଉଛନ୍ତି। ସେମାନଙ୍କ ଠାରୁ ଆମେ ସେମାନଙ୍କର ସଫଳତାର କଳା ଶିଖିବୁ। ‘ସମ୍ବାଦ’ ୧ ନମ୍ବର ସମ୍ବାଦପତ୍ର, ଆଉ ଆପଣମାନେ ମଧ୍ୟ ୧ ନମ୍ବର ଉଦ୍ୟୋଗୀ। ଏକାଠି କିଭଳି ଆମେ ଆଗକୁ ବଢ଼ିବା ସେଥିପାଇଁ ସମସ୍ତଙ୍କର ସହଯୋଗ ଜରୁରି ବୋଲି ସେ କହିଥିଲେ।
ଏହି ଅବସରରେ ମହିଳାଙ୍କ ସଫଳତାର କାହାଣୀକୁ ନେଇ ଏକ କଫିଟେବୁଲ୍‌ ପୁସ୍ତକ ଉନ୍ମୋଚିତ ହୋଇଥିଲା। ୯୦ ଜଣ ସଫଳ ମହିଳା ଉଦ୍ୟୋଗୀଙ୍କୁ ‘ଶାରଦା ସୀମା ସମ୍ମାନ’ ପ୍ରଦାନ କରାଯାଇଥିଲା। ଆମ ଓଡ଼ିଶାର ସମ୍ପାଦକ ସ୍ବରାଜ ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ। ସଂଗ୍ରାମ କେଶରୀ ଷଡ଼ଙ୍ଗୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ବରିଷ୍ଠ ସାମ୍ବାଦିକ କେଶବ ପାଣି ଧନ୍ୟବାଦ ଅର୍ପଣ କରିଥିଲେ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe