ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର ପଞ୍ଚଗାଁରେ ‘ସମ୍ବାଦ’ ବିତରକ ଓ ସମ୍ବାଦଦାତା ଭାବରେ ଦୀର୍ଘ ୨୦ ବର୍ଷ ହେଲା କାର୍ଯ୍ୟ କରୁଥିବା ଆଦିତ୍ୟ କୁମାର ସାହୁ(୫୫)ଙ୍କ ଗୁରୁବାର ରାତି ସଢ଼େ ୧ଟାରେ ପରଲୋକ ହୋଇଯାଇଛି। କିଛିଦିନ ତଳେ ସେ କାଶ ଓ ଜ୍ବରରେ ପୀଡ଼ିତ ହୋଇଥିଲେ। ଲଖନପୁରଠାରେ ତାଙ୍କର କୋଭିଡ୍ ପରୀକ୍ଷା ପରେ ପଜିଟିଭ୍ ରିପୋର୍ଟ ଆସିଥିଲା। ତାଙ୍କ ଅମ୍ଳଜାନସ୍ତର ମଧ୍ୟ ଖୁବ୍ ତଳକୁ ଖସି ଆସିଥିବାରୁ ତାଙ୍କୁ ବୁଧବାର ଅପରାହ୍ଣରେ ଝାରସୁଗୁଡ଼ା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ଜଟିଳ ହେବାରୁ ତାଙ୍କୁ ଆଇସିୟୁରେ ରଖିବା ଜରୁରୀ ହୋଇ ପଡ଼ିଥିଲା। ମାତ୍ର ଆଇସିୟୁ ମିଳି ନଥିଲା କିମ୍ବା ଅନ୍ୟତ୍ର ନେବା ସମ୍ଭବ ମଧ୍ୟ ହୋଇ ନଥିଲା।
ଜଣେ ଶାନ୍ତ, ସରଳ ବ୍ୟକ୍ତି ଭାବରେ ସ୍ବର୍ଗତ ସାହୁ ସେହି ଅଞ୍ଚଳରେ ବେଶ ଲୋକପ୍ରିୟ ଥିଲେ। ପଞ୍ଚଗାଁ ବସଷ୍ଟାଣ୍ଡରେ ଗୋଟିଏ ପାନ ଦୋକାନ କରିଥିବା ବେଳେ ଦୈନିକ ‘ସମ୍ବାଦ’କୁ ଗ୍ରାମାଞ୍ଚଳରେ ବିତରଣ କରି ସେହି ଅଞ୍ଚଳର ବିଭିନ୍ନ ଖବର ପରିବେଷଣ କରୁଥିଲେ। ସ୍ଥାନୀୟ ଅଞ୍ଚଳରେ କଲେଜ ପ୍ରତିଷ୍ଠା, ଲୋକଙ୍କ ସମସ୍ୟା ତଥା ବିଭିନ୍ନ ଜନହିତକର କାମରେ ନିଜକୁ ନିୟୋଜିତ କରି ସମାଜସେବୀ ଭାବରେ ପରିଚୟ ସୃଷ୍ଟି କରିଥିଲେ। ଏହା ସହିତ ସେ ଗ୍ରାମାଞ୍ଚଳରେ ବିଭିନ୍ନ ଅଗମ୍ୟ ଅଞ୍ଚଳରେ ଲୋକଙ୍କ ନିକଟରେ ସ୍ବାସ୍ଥ୍ୟ ସେବା ଯୋଗାଇ ଆସୁଥିଲେ। ଘରେ ସ୍ତ୍ରୀ ଜୟଶ୍ରୀ, ଯୁକ୍ତଦୁଇ ପଢ଼ୁଥିବା ପୁଅ ଆଶିଷ, ଅଷ୍ଟମରେ ପଢ଼ୁଥିବା ଝିଅ ତୃପ୍ତିଙ୍କ ସମେତ ଦୁଇ ଭାଇ ଓ ଭାଉଜ ଅଛନ୍ତି।
ଆଦିତ୍ୟଙ୍କ ଅକାଳ ବିୟୋଗ ଖବର ପଞ୍ଚଗାଁ ଅଞ୍ଚଳରେ ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ପଞ୍ଚଗାଁ ଦୋକାନୀ ସଂଘ ପକ୍ଷରୁ ତୁରନ୍ତ ଏକ ଶୋକସଭାର ଆୟୋଜନ କରାଯାଇଥିଲା। ସୁରଙ୍ଗ ପ୍ରଧାନ, ଯୁଧିଷ୍ଠିର ମହାପାତ୍ର, ଭୋଜଲାଲ ମେହେର, ସୀତାରାମ ମେହେର, ଅଜୟ ଗୁହା, ଦେବରାଜ ପୂଜାରୀ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଥିଲେ। ‘ସମ୍ବାଦ’ର ବାର୍ତ୍ତା ସଂପାଦକ ଅରବିନ୍ଦ ଦାସ, ସମ୍ବଲପୁର ସଂସ୍କରଣ ଶାଖା ପରିଚାଳକ ଗଜେନ୍ଦ୍ର ମଲ୍ଲିକ ତଥା ଝାରସୁଗୁଡ଼ା ‘ସମ୍ବାଦ’ ପରିବାର ପକ୍ଷରୁ ସ୍ବର୍ଗତ ସାହୁଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରାଯାଇଛି।
Follow Us