Sambad Sahitya Pakhya Photograph: (sambad.in)
ଭୁବନେଶ୍ୱର: ସମ୍ବାଦପତ୍ର ଖାଲି ରାଜନୀତି-ଅର୍ଥନୀତି କି ହଙ୍ଗାମାର ଖବର ନୁହେଁ ବରଂ ସାହିତ୍ୟର ଖବର ବି ଦିଏ । ସମ୍ବାଦପତ୍ର ସାହିତ୍ୟ ପାଇଁ ଅନୁକୂଳ ପାଗ ସୃଷ୍ଟି କରିଛି ଆଉ ସାହିତ୍ୟିକଙ୍କ ଅନ୍ତୁଡ଼ିଶାଳ ସାଜିଛି ବୋଲି ଆଜିର ସନ୍ଧ୍ୟାକୁ ଉଦଘାଟନ କରି ନିଜ ଆଶୀର୍ବଚନରେ କହିଛନ୍ତି ବିଶିଷ୍ଟ ଅନୁବାଦକ ପ୍ରଫେସର ଯତୀନ ନାୟକ । ଆଜିର ପ୍ରସଙ୍ଗ ଥିଲା 'ସମ୍ବାଦପତ୍ର ଓ ସାହିତ୍ୟ' । ‘ସମ୍ବାଦ ସାହିତ୍ୟ ପକ୍ଷ’ ଦ୍ବିତୀୟ ସଂସ୍କରଣର ସପ୍ତମ ସନ୍ଧ୍ୟାର ମଞ୍ଚ ପ୍ରାତଃସ୍ମରଣୀୟ ସମ୍ପାଦକ ବିଚିତ୍ରାନନ୍ଦ କରଙ୍କୁ ସମର୍ପିତ ହୋଇଥିଲା ।
ଆଳାପ ଅଧିବେଶନରେ 'ସମ୍ବାଦପତ୍ରାଶ୍ରୟୀ ସାହିତ୍ୟର ଭବିଷ୍ୟତ' ପ୍ରସଙ୍ଗରେ ସାହିତ୍ୟିକ-ସମ୍ପାଦକ ସୁଭାଷ ଶତପଥୀ ଓ ସୁଶୀଳ ବାଗଙ୍କ ସହ ଆଳାପ କରିଥିଲେ ମାନିନୀ ମିଶ୍ର। ସାହିତ୍ୟ-ସାମ୍ବାଦିକତା ପୃଥକ ନୁହେଁ । ସମ୍ବାଦକୁ ଛାଡ଼ି ସାହିତ୍ୟ ହୁଏନି କି ସାହିତ୍ୟକୁ ଛାଡ଼ି ସମ୍ବାଦ ହୁଏନି ବୋଲି ଏଥିରେ ମତ ପ୍ରକାଶ ପାଇଥିଲା ।
ଏ.ଆଇ ସାହିତ୍ୟକୁ ନେଇ 'ଏ.ଆଇ- ସାହିତ୍ୟର ସହଯୋଗୀ ନା ଉତ୍ତରାଧିକାରୀ ?' ପ୍ରସଙ୍ଗରେ ଜମିଥିଲା ଆଲୋଚନା । ସାହିତ୍ୟରେ ବର୍ତ୍ତମାନ ଓ ଭବିଷ୍ୟତରେ ଏ.ଆଇର ପ୍ରଭାବ ନେଇ ସ୍ତମ୍ଭକାର ତଥା ଲେଖକ ପରଂବ୍ରହ୍ମ ତ୍ରିପାଠୀ, ଇଂ ବିନେଶ ସାମଲ ଓ ଗବେଷକ ରୁଦ୍ରନାରାୟଣ ମହାପାତ୍ର ଆଲୋଚନା କରିଥିଲେ । ଏଥିରେ ସଂଯୋଜନା କରିଥିଲେ ଲେଖକ ଜାକିର୍ ଖାଁ । କବି ପବିତ୍ର ମୋହନ କର, କବି ସତ୍ୟରଂଜନ ପ୍ରହରାଜ ଏବଂ ଗାଳ୍ପିକା ମୌସୁମୀ ଦାସଙ୍କ ଶବ୍ଦ ଚାତୁରୀରେ ଉଛୁଳିଥିଲା ଆଜିର ଆବୃତ୍ତି ଅଧିବେଶନ ।
ଏ.ଆଇକୁ ନେଇ ଦର୍ଶକଙ୍କୁ ବ୍ୟଙ୍ଗାତ୍ମକ ଶୈଳୀରେ ହସେଇ ହସେଇ ବେଦମ କରିଥିଲେ ‘ଏ.ଆଇ ଆଈ’ ଶୁଭଲକ୍ଷ୍ମୀ ବାରିକ (ଜଲି) । 'ଶିଳାଶ୍ରୀ' ଅନୁଷ୍ଠାନ ସହ ସମସ୍ତ ଅତିଥି ଲେଖକ ଓ କଳାକାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ ‘ସମ୍ବାଦ’ ଓ ‘କନକ ନ୍ୟୁଜ’ର ସମ୍ପାଦକ ତନୟା ପଟ୍ଟନାୟକ । ପ୍ରଶ୍ନୋତ୍ତର କାର୍ଯ୍ଯକ୍ରମ ସହ ମଞ୍ଚ ସଂଯୋଜନାର ଭାର ସମ୍ଭାଳିଥିଲେ ଆର୍.ଜେ ଅନିଲ । ଧନ୍ୟବାଦ ଅର୍ପଣ କରିଥିଲେ ସହ ସମ୍ପାଦକ ବସନ୍ତରାଜ ସାହୁ। ଆଜି ଅତିଥି ଓ ଦର୍ଶକଙ୍କୁ ଓଡ଼ିଆ ଖାଦ୍ୟ ସିଙ୍ଗଡ଼ା-ଘୁଗୁନି ପରଷା ଯାଇଥିଲା ।
ଆଖି ଲାଖି ଯାଉଛି ଚକାଆଖିରେ...
'ସମ୍ବାଦ ସାହିତ୍ୟ ପକ୍ଷ' ମଞ୍ଚ ନିକଟରେ ଖୋଲିଥିବା ପୁରୀ ସାତଶଙ୍ଖର ‘ଉତ୍କଳ ହ୍ୟାଣ୍ଡିକ୍ରାଫ୍ଟସ୍ ଆଣ୍ଡ ମୋମେଣ୍ଟୋସ୍’ ଷ୍ଟଲରେ ଲାଗୁଛି କଳାପ୍ରେମୀ ଏବଂ ଜଗନ୍ନାଥପ୍ରେମୀଙ୍କ ଭିଡ଼ । ମହାପ୍ରଭୁଙ୍କ ମୂର୍ତ୍ତି, ରଥ, ଫଟୋ ଫ୍ରେମ୍, ପଟ୍ଟଚିତ୍ର, ନଡ଼ିଆରେ ଜଗନ୍ନାଥଙ୍କ ଛବି ଥିବା ବିଭିନ୍ନ ଜିନିଷ ଲୋକେ ବହୁ ଆଗ୍ରହର ସହ କିଣୁଥିବା ଦେଖିବାକୁ ମିଳିଛି ।
ବହିପ୍ରେମୀଙ୍କ ଭିଡ଼...
'ସମ୍ବାଦ ସାହିତ୍ୟ ପକ୍ଷ' ମଞ୍ଚ ନିକଟରେ ଖୋଲିଥିବା 'ଆମ ଓଡ଼ିଶା' ବହି ଷ୍ଟଲ୍ ରେ ଦେଖିବାକୁ ମିଳିଛି ପୁସ୍ତକପ୍ରେମୀଙ୍କ ଭିଡ଼ । ବୟସ୍କଙ୍କଠାରୁ ଆରମ୍ଭ କରି ଯୁବପିଢି ଯାଏଁ ବହି କିଣିବାକୁ ବିଶେଷ ଆଗ୍ରହ ଦେଖାଉଛନ୍ତି । ଗଳ୍ପ ପୁସ୍ତକ, ଓଡ଼ିଶାର ଇତିହାସ ସମ୍ପର୍କିତ ବହିର ବହୁତ ଚାହିଦା ଦେଖିବାକୁ ମିଳୁଛି ।
Follow Us