ବଲାଙ୍ଗୀର : ‘ସମ୍ବାଦ’ର ବଲାଙ୍ଗୀର ଜିଲ୍ଲା ସାଲେଭଟା ପ୍ରତିନିଧି ଶୁଭ୍ରାଂଶୁ ଶେଖର ମିଶ୍ର(୪୨ବର୍ଷ)ଙ୍କ ସୋମବାର ପରଲୋକ ଘଟିଛି। ସେ ଗତ କିଛିଦିନ ହେଲା କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। କଟକର ଏକ ଘରୋଇ ଡାକ୍ତରଖାନାରେ ତାଙ୍କ ପରଲୋକ ଘଟିଛି। ଜ୍ୱରରେ ପୀଡ଼ିତ ହୋଇ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ କୋଭିଡ ପରୀକ୍ଷା କରାଇଥିଲେ। ପ୍ରଥମେ କୋଭିଡ ଆଇସୋଲେସନ ୱାର୍ଡରେ ପରିବାରବର୍ଗ ଭର୍ତ୍ତି କରିଥିଲେ। ଅକ୍ସିଜେନ ସ୍ତର କମିବାରୁ ତାଙ୍କୁ ଗତ ୨୮ତାରିଖ ପରିବାରବର୍ଗ କଟକ ନେଇଥିଲେ। ସେଠାରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ।
ସୋମବାର ହଠାତ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲା। ଦିନ ୪ଟା ୩୦ମିନିଟ ସମୟରେ ତାଙ୍କ ପରଲୋକ ହୋଇଥିଲା। ବଲାଙ୍ଗୀର ପେଲେସ୍ଲାଇନ୍ ନିବାସୀ ଡ. ମୁରଲୀଧର ମିଶ୍ରଙ୍କ ଚତୁର୍ଥ ପୁତ୍ର ହେଉଛନ୍ତି ଶୁଭ୍ରାଂଶୁ। ସହରରେ ମଧ୍ୟ ସେ ବେଶ୍ ଜଣାଶୁଣା। ଶୁଭ୍ରାଂଶୁ ତାଙ୍କ ପତ୍ନୀ ବୈଜୟନ୍ତୀମାଲା, ଦୁଇ ଝିଅ, ଚାରି ଭାଇ ରମେଶ ଚନ୍ଦ୍ର ମିଶ୍ର, ସୁଧାଂଶୁ ମିଶ୍ର, ହିମାଂଶୁ ମିଶ୍ର, ସୀତାଂଶୁ ମିଶ୍ରଙ୍କୁ ଛାଡ଼ି ଚାଲିଯାଇଛନ୍ତି। ଶାନ୍ତ ସ୍ୱଭାବର ଶୁଭ୍ରାଂଶୁଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଶୋକପ୍ରକାଶ ପାଇଛି।
ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ହରିନାରାୟଣ ପୂଜାରୀ, ସଂପାଦକ ବଳରାମ ମିଶ୍ର, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଯୋଷୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବିଶ୍ୱଜିତ ଦାଶ, ଓୟୁଜେର ପ୍ରଦୀପ୍ତ ମିଶ୍ର, ଦୀପକ ସମଜଦାର, ପ୍ରେସ୍କ୍ଲବ୍ ସଭାପତି ଅରୁଣ ମିଶ୍ରଙ୍କ ସମେତ ବଲାଙ୍ଗୀର ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ମହଲରୁ ଗଭୀର ଶୋକବ୍ୟକ୍ତ କରାଯାଇଛି। ବଲାଙ୍ଗୀର ‘ସମ୍ବାଦ’ ପରିବାର ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। କଟକରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ଶୁଭ୍ରାଂଶୁଙ୍କ ନିକଟ ସଂପର୍କୀୟ ନୀଳମାଧବ ଷଡ଼ଙ୍ଗୀ, ରାଧାମାଧବ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।
Follow Us