ଭୁବନେଶ୍ବର: ଇଣ୍ଟରନ୍ୟାସନାଲ୍ ଆଡଭର୍ଟାଇଜିଂ ଆସୋସିଏସନ୍(ଆଇଏଏ) ଅଲିଭ୍ କ୍ରାଉନ୍ ପୁରସ୍କାର ପ୍ରଦାନ ସମାରୋହ ୨୦୨୫ରେ ରାଜ୍ୟର ୧ ନମ୍ବର ସମ୍ବାଦପତ୍ର ସଂସ୍ଥା ‘ସମ୍ବାଦ’ (ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍) ଚମକିଛି। ଆଇଏଏର ଏହି ପଞ୍ଚଦଶ ପୁରସ୍କାର ପ୍ରଦାନ ସମାରୋହରେ ‘ସମ୍ବାଦ’କୁ ୩ଟି ପୁରସ୍କାର ମିଳିଛି। ସେଥିରେ ୨ଟି ସ୍ବର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପୁରସ୍କାର ରହିଛି।
‘ସମ୍ବାଦ’ର ପୁନଶ୍ଚ ପୃଥିବୀ ଅଭିଯାନକୁ ଗ୍ରିନ୍ କ୍ୟାମ୍ପେନ ଅଫ୍ ଦି ଇୟର ବର୍ଗରେ ସ୍ବର୍ଣ୍ଣ ପୁରସ୍କାର ମିଳିଛି। ସେହିଭଳି ପୁନଶ୍ଚ ପୃଥିବୀ କାର୍ଯ୍ୟକ୍ରମ ପାଇଁ ଗୋଟିଏ ସ୍ବର୍ଣ୍ଣ ଏବଂ ଗ୍ରିନ୍ ଆଡଭର୍ଟାଇଜର ଅଫ୍ ଦି ଇୟର ପାଇଁ ରୌପ୍ୟ ପୁରସ୍କାର ମିଳିଛି। ମୁମ୍ବାଇଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ ଯୋଗଦେଇ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନର୍ବେକର ଅତିଥିଭାବେ ଯୋଗଦେଇ ଏହି ପୁରସ୍କାର ପ୍ରଦାନ କରିଥିଲେ।
ପୁନଶ୍ଚ ପୃଥିବୀ ଅଭିଯାନକୁ ମିଳିଲା ସ୍ବୀକୃତି
୨ଟି ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପୁରସ୍କାର
ଆଇଏଏର ଭାରତୀୟ ଶାଖା ପକ୍ଷରୁ ଆୟୋଜିତ ଅଲିଭ୍ କ୍ରାଉନ୍ ପୁରସ୍କାର ପ୍ରଦାନ ସମାରୋହ ୨୦୨୫ରେ ‘ସମ୍ବାଦ’ (ଇଷ୍ଟର୍ଣ୍ଣ ମିଡିଅା ଲିମିଟେଡ୍) ୩ଟି ପୁରସ୍କାର ଜିତିଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି। ବିଶ୍ବର ଭିନ୍ନ ଭିନ୍ନ ସ୍ଥାନରୁ ବିଭିନ୍ନ ବର୍ଗରେ ଭାଗ ନେଇଥିବା ପ୍ରତିଯୋଗୀଙ୍କ ମଧ୍ୟରେ ସାମିଲ ହୋଇ ପୁରସ୍କାର ଜିତିବା ଖୁସି ଦେଇଛି। ଏହି ସମ୍ମାନଜନକ ପୁରସ୍କାର ପାଇବା ପଛରେ ଚମତ୍କାର ପ୍ରୟାସ କରିଥିବା ଆମର ସହଯୋଗୀମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି ବୋଲି ଶ୍ରୀମତୀ ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଆଇଏଏର ପୂର୍ବତନ ସଭାପତି ରମେଶ ନାରାୟଣନ୍ ଓ ଅନ୍ୟ ବରିଷ୍ଠ କର୍ମକାର୍ତ୍ତାମାନେ ଉପସ୍ଥିତ ଥିଲେ।
Follow Us