ସମ୍ବଲପୁରରେ ବ୍ୟବସାୟୀଙ୍କୁ ଅପହରଣ ଘଟଣା : କାରଣ ଏବେ ବି ଅସ୍ପଷ୍ଟ, ଧରା ପଡ଼ିନାହାନ୍ତି ଅପହର୍ତ୍ତା

ସମ୍ବଲପୁରରେ ବ୍ୟବସାୟୀଙ୍କୁ ଅପହରଣ ଘଟଣା : କାରଣ ଏବେ ବି ଅସ୍ପଷ୍ଟ, ଧରା ପଡ଼ିନାହାନ୍ତି ଅପହର୍ତ୍ତା

ସମ୍ବଲପୁର : ସମ୍ବଲପୁର-ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍‌ ୱେର ଶାସନ ନିକଟରୁ ଅପହୃତ ହୋଇଥିବା ଅଇଁଠାପାଲି ଥାନା ଅଞ୍ଚଳର ଜଣାଶୁଣା ବ୍ୟବସାୟୀ ନରେଶ ଅଗ୍ରୱାଲ(୬୩)ଙ୍କୁ ପୁଲିସ୍‌ ୧୨ ଘଣ୍ଟା ପରେ ହୀରାକୁଦ ଥାନା ଅଞ୍ଚଳରୁ ଉଦ୍ଧ‌ାର କରିଥିଲା। ଶ୍ରୀ ଅଗ୍ରୱାଲ ସୁରକ୍ଷିତ ଘରେ ପହଞ୍ଚି ସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅପହର୍ତ୍ତମାନଙ୍କ ସଂପର୍କରେ କିମ୍ବା ଅପହରଣର କାରଣ ସଂପର୍କରେ କେହି କିଛି କହୁନାହାନ୍ତି। ତଦନ୍ତ ଚାଲିଥିବା ଦର୍ଶାଇ ପୁଲିସ କିଛି କହିବାକୁ ମନା କରିଦେଇଥିବା ବେଳେ ଅପହୃତ ହୋଇଥିବା ଶ୍ରୀ ଅଗ୍ରୱାଲ ବି ବିଶେଷ କିଛି କହୁନାହାନ୍ତି କି ଗଣମାଧ୍ୟମ ସମ୍ମୁଖକୁ ଆସିବାକୁ ଚାହୁନାହାନ୍ତି। ତେବେ ଏକ ଭିଡିଓ ବାର୍ତ୍ତାରେ ସେ କିପରି ଅପହୃତ ହେଲେ, ସେ ସଂପର୍କରେ ସାମାନ୍ୟ ସୂଚନା ଦେଇଛନ୍ତି।

ଶ୍ରୀ ଅଗ୍ରୱାଲଙ୍କ କହିବାନୁସାରେ ଦିନ ପ୍ରାୟ ୧୨ଟା ସମୟରେ ସେ କନ୍‌ଷ୍ଟ୍ରକ୍‌ସନ ସାଇଟ୍‌କୁ ଯାଇ ସେଠାରେ ତାଙ୍କର ଗାଡ଼ିରେ ବସିଥିଲେ। ଏହି ସମୟରେ ଏକ ଧଳା ରଙ୍ଗର କାର୍‌ ସେଠାକୁ ଆସିବା ପରେ ସେଥିରେ ଆସିଥିବା ଲୋକ କିଛି ସ୍ପ୍ରେ କରି ଦେଇଥିଲେ ଓ ରୁମାଲ୍‌ରେ କିଛି ତାଙ୍କୁ ଶୁଙ୍ଘାଇ ଦେଇଥି‌ଲେ। ଏହାପରେ ତାଙ୍କୁ କାର୍‌ରେ ନେଇ ପଳାଇଥିଲେ। ସେ ବେହୋସ ହୋଇଯାଇଥିଲେ। ତାଙ୍କ ହୋସ୍‌ ଆସିବା ପରେ ଅପହରଣକାରୀ ତାଙ୍କୁ ଖାଇବାକୁ ପଚାରିବା ସହ ରୁଟି ଡାଲି ଦେଇଥିଲେ। ସେ‌ତେବେଳକୁ ତାଙ୍କର ହାତ, ଗୋଡ଼ ବନ୍ଧା ହୋଇଥିଲା। ଏହାପରେ ପୁଣି ବେହୋସ ହୋଇଯାଇଥିଲେ। ଆଖି ଖୋଲିବା ବେଳକୁ ସେ ହୀରାକୁଦ ଥାନାରେ ଥିଲେ। ଅନ୍ୟପକ୍ଷରେ ପଇସା ପତ୍ର ଦାବି ନେଇ ଅପହରଣକାରୀ କିଛି କହିଥିଲେ; ମାତ୍ର ଅଚେତ ଅବସ୍ଥାରେ ଥିବାରୁ ‌ତାହା ସେ ମନେ ପକାଇପାରୁନାହାନ୍ତି ବୋଲି ଶ୍ରୀ ଅଗ୍ରୱାଲଙ୍କ ପୁଅ କହିଛନ୍ତି।

ସମ୍ବଲପୁର ସହରରେ ଏହି ହାଇ ପ୍ରୋଫାଇଲ ଅପହରଣ ଘଟଣାକୁ ନେଇ ଜୋରସୋରରେ ଚର୍ଚ୍ଚା ଚାଲିଥିବା ବେଳେ ପୁଲିସ ନିରବ ରହିଛି। ତେବେ ଗତକାଲି ରାତିରେ ପୁଲିସ ଜଣଙ୍କୁ ଆଣି ଅଟକ ରଖିଛି ଓ ପଚରାଉଚୁରା ଜାରି ରଖିଛି ବୋଲି ସୂଚନା ମିଳିଛି। ଘଟଣାର ତଦନ୍ତ ଚାଲିଛି ଓ ଏବେ କିଛି କହିହେବ ନାହିଁ ବୋଲି ଏସ୍‌ପି କୁଅଁର ବିଶାଳ ସିଂହ ଗଣମାଧ୍ୟମକୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe