image source-sambadenglish
ସମ୍ବଲପୁର : ନବୀନ ପଟ୍ଟନାୟକ ଲାତ ମାରିଲେ ବିଜେପି କୁଆଡ଼େ ଉଡ଼ିଯିବ। କହନ୍ତି ଯେଡ଼େ, ନୁହନ୍ତି ସେଡ଼େ। ସୋମବାର ସମ୍ବଲପୁର ଜିଲ୍ଲା ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ ଏହିଭଳି ମନ୍ତବ୍ୟ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ। ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଏହିଭଳି ମନ୍ତବ୍ୟ ରାଜନୈତିକ ମହଲରେ ଚର୍ଚ୍ଚାର ଖୋରାକ୍ ଯୋଗାଇଛି।
ସିଟି ସେଣ୍ଟର ମଣ୍ଡପଠାରେ କାର୍ଯ୍ୟକାରିଣୀ ବୈଠକ ଆୟୋଜିତ ହୋଇଥିଲା। ମନ୍ତ୍ରୀ ଶ୍ରୀ ଦାସ ଆହୁରି କହିଥିଲେ, ନବୀନ ପଟ୍ଟନାୟକ ହେଉଛନ୍ତି ଏକମାତ୍ର ଭରସାଯୋଗ୍ୟ ନେତା। ସେ ରାଜ୍ୟର ଜନସାଧାରଣଙ୍କ ପାଇଁ ସ୍ମାର୍ଟ ହେଲ୍ଥ କାର୍ଡଠାରୁ ଆରମ୍ଭକରି ଅନେକ କଲ୍ୟାଣକାରୀ ଯୋଜନା ଲାଗୁ କରିଛନ୍ତି। ଆମକୁ ପଞ୍ଚାୟତ ନିର୍ବାଚନ ଜିତିବାକୁ ହେଲେ କିଛି କରିବାର ଆବଶ୍ୟକତା ନାହିଁ, କେବଳ ନବୀନ ବାବୁଙ୍କ ଯୋଜନା ସବୁକୁ ଲୋକମାନଙ୍କ ପାଖକୁ ପହଞ୍ଚାଇବାକୁ ପଡ଼ିବ। ଆଉ ଆମେ ଏତିକି କରିପାରିଲେ ସବୁ ଆସନରେ ବିଜୟ ସୁନିଶ୍ଚିତ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ, ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ, ମହିଳା ବିଜେଡିର ରାଜ୍ୟ ସଭାପତି ତଥା ବିଧାୟିକା ସ୍ନେହାଂଗିନୀ ଛୁରିଆ, ଶାସକ ଦଳର ଉପମୁଖ୍ୟ ସଚେତକ ତଥା ରେଢ଼ାଖୋଲ ବିଧାୟକ ଇଂ.ରୋହିତ ପୂଜାରୀ, ବିଧାୟକ କିଶୋର ନାୟକ ପ୍ରମୁଖ ଯୋଗଦେଇଥିଲେ।
ଜିଲ୍ଲା ବିଜେଡି ସଭାପତି ଇଂ. ସିଦ୍ଧାର୍ଥ ଦାସ ବୈଠକରେ ସଭାପତିତ୍ବ କରିଥିବାବେଳେ ଜିଲ୍ଲା ପର୍ଯ୍ୟବେକ୍ଷକ ନଳିନୀକାନ୍ତ ପ୍ରଧାନ ଉପସ୍ଥିତ ଥିଲେ। ଶେଷରେ ଜିଲ୍ଲା ଅନୁସୂଚିତ ଜାତି ଜନଜାତି ସେଲ ଅଧ୍ୟକ୍ଷ ମୋତିଲାଲ ତନ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ।
Follow Us