ସମ୍ବଲପୁର ଜିଲ୍ଲା ରାଜନୀତି: ସଂଗଠିତ ହେଉଛି କଂଗ୍ରେସ, ବିଜେପି-ବିଜେଡିରେ କେଁ

ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ ପିସିସି ସଭାପତି ନିର୍ବାଚିତ ହେବା ପରେ କଂଗ୍ରେସ ଦଳ ସଂଗଠିତ ହେବାରେ ଲାଗିଛି। ସମ୍ବଲପୁର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ବୈଠକଗୁଡ଼ିକରେ ଗତ ନିର୍ବାଚନର ପ୍ରାର୍ଥୀମାନଙ୍କ ସହିତ ଅନ୍ୟ....

ଆଠମଲ୍ଲିକ‌ ବିଧାନସଭା: ବିଜେଡି ସହ ବିଜୁ-ବିଜେପିର ମୁକାବିଲା

ସମ୍ବଲପୁର: ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ ପିସିସି ସଭାପତି ନିର୍ବାଚିତ ହେବା ପରେ କଂଗ୍ରେସ ଦଳ ସଂଗଠିତ ହେବାରେ ଲାଗିଛି। ସମ୍ବଲପୁର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ବୈଠକଗୁଡ଼ିକରେ ଗତ ନିର୍ବାଚନର ପ୍ରାର୍ଥୀମାନଙ୍କ ସହିତ ଅନ୍ୟ ବରିଷ୍ଠ ନେତାମାନେ ପ୍ରାୟତଃ ଏକାଠି ହେଉଥିବା ବେଳେ ବିଜେପି-ବିଜେଡି କ୍ଷେତ୍ରରେ କିନ୍ତୁ ତାହା ପରିଲକ୍ଷିତ ହେଉନାହିଁ। ଉଭୟ ଦଳରେ ରହିଛି କେଁ। ରାଜ୍ୟର ସମସ୍ତ ଜିଲ୍ଲାର ବିଜେପି ସଭାପତି ନିର୍ବାଚନ ସରିଥିବା ବେଳେ କେବଳ ସମ୍ବଲପୁର ଜିଲ୍ଲା ସଭାପତି ନିର୍ବାଚନ ଅଟକି ରହିଛି। ବିଜେପି ସଭାପତି ପଦବି ପାଇଁ ଅଙ୍କ ଛିଣ୍ଡୁନଥିବା ବେଳେ ବିଜେଡି ଜିଲ୍ଲା ସଭାପତି ନିର୍ବାଚନ ପ୍ରକ୍ରିୟାରେ ଆରମ୍ଭରୁ ସମସ୍ୟା ଦେଖାଦେଇଛି।  

ରାଜ୍ୟରେ ଥିବା ବିଜେପିର ୩୭ଟି ସାଂଗଠନିକ ଜିଲ୍ଲା ମଧ୍ୟରୁ ୨ଟି ପର୍ଯ୍ୟାୟରେ ୩୬ଟି ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା ହୋଇଛି। କେବଳ ବାକି ରହିଯାଇଛି ସମ୍ବଲପୁର। ସମ୍ବଲପୁର ଜିଲ୍ଲା ସଭାପତି ପଦ ପାଇଁ ଆଶାୟୀ ପ୍ରାର୍ଥୀମାନଙ୍କ ମଧ୍ୟରୁ କୌଣସି ଗୋଟିଏ ନାମ ଉପରେ ସହମତି ହୋଇନପାରିବା କାରଣରୁ ଏଭଳି ସ୍ଥିତି ଉପୁଜିଛି। ଗତ ୨୦ ଜାନୁଆରିରେ ବିଜେପି ଜିଲ୍ଲା ସଭାପତି ପଦ ପାଇଁ ଓଡ଼ିଶା ସାଂସ୍କୃତିକ ସମାଜ ସଭାକକ୍ଷରେ ନାମାଙ୍କନପତ୍ର ଦାଖଲ ହୋଇଥିଲା। କୁଚିଣ୍ଡାର ବରିଷ୍ଠ ନେତା ସୁଶୀଳ କର, ବୁର୍ଲାର ନମ୍ରସକାନ୍ତ ପଟ୍ଟନାୟକ, ସମ୍ବଲପୁରର ସୁଶାନ୍ତ ପୁରୋହିତ ଓ ଶମ୍ଭୁ ବରେଲିଆ ଜିଲ୍ଲା ସଭାପତି ପଦ ନିମନ୍ତେ ନାମାଙ୍କନପତ୍ର ଦାଖଲ କରିଥିଲେ। ନାମାଙ୍କନପତ୍ର ଦାଖଲ ପରେ ମତଦାନ ସଂପନ୍ନ ହୋଇଥିଲା। ପୂର୍ବରୁ ସମ୍ବଲପୁର ସାଂଗଠନିକ ଜିଲ୍ଲାର ୨୭ଟି ମଣ୍ଡଳରୁ ୨୨ଟି ମଣ୍ଡଳର ସଭାପତି ଓ ମଣ୍ଡଳ ପ୍ରତିନିଧିଙ୍କ ନାମ ଘୋଷଣା ହୋଇଥିଲା। ବାକି ୫ଟି ମଣ୍ଡଳର ସଭାପତି ଓ ପ୍ରତିନିଧି ଚୟନ ହୋଇପାରିନଥିଲା।

ସମ୍ବଲପୁର ବିଜେପି ଜିଲ୍ଲା ସଭାପତି ଓ ରାଜ୍ୟ ପରିଷଦ ସଦସ୍ୟ ପାଇଁ ଏହି ୨୨ ଜଣ ମଣ୍ଡଳ ସଭାପତି ଓ ୪୪ଜଣ ପ୍ରତିନିଧଙ୍କ ମଧ୍ୟରୁ କେତେକ ନେତା ଜିଲ୍ଲା ସଭାପତି, ରାଜ୍ୟ ପରିଷଦ ସଦସ୍ୟ ପଦ ପାଇଁ ପ୍ରସ୍ତାବକ ଏବଂ ସମର୍ଥକ ରହିଥିଲେ। ହେଲେ, କେତେକ ପ୍ରାର୍ଥୀଙ୍କ ବିରୋଧରେ ଅଭିଯୋଗ, ପ୍ରତି ଅଭିଯୋଗ ବି ଆସିଥିଲା। ଫଳରେ ନିର୍ବାଚନ ପରିଚାଳନା କାର୍ଯ୍ୟରେ ନିୟୋଜିତ ଅଧିକାରୀଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ଦଳୀୟ ଗୋଷ୍ଠୀ କନ୍ଦଳ ଯୋଗୁ ସମ୍ବଲପୁର ଜିଲ୍ଲା ସଭାପତି ଚୟନ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଥିଲା। ନାମାଙ୍କନପତ୍ର ଦାଖଲ କରିଥିବା ୪ ନେତାଙ୍କ ମଧ୍ୟରୁ କାହାକୁ ସଭାପତି କରାଗଲେ ସବୁ ଗୋଷ୍ଠୀର ସମର୍ଥନ ରହିବ, ତାହା ଦଳୀୟ ନେତୃବର୍ଗଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ବିଜେପି ଗୋଷ୍ଠୀ ବିବାଦର ପ୍ରଭାବ ହନୁମାନ ଜୟନ୍ତୀ ଉପରେ ବି ପଡ଼ିଛି। ବିଧାୟକ ଜୟନାରାୟଣ ମିଶ୍ରଙ୍କ ନେତୃତ୍ବରେ ଏଥର ହନୁମାନ ଜୟନ୍ତୀ ପାଇଁ ଭବ୍ୟ ଆୟୋଜନ ହେଉଥିବା ବେଳେ ବର୍ତ୍ତମାନ ଜିଲ୍ଲା ବିଜେପି ସଭାପତି ଗିରୀଶ ପଟେଲ ବିଭିନ୍ନ ନେତାଙ୍କୁ ସଂଗଠିତ କରି ପ୍ରଥମ ଥର ପାଇଁ ଶ୍ରୀରାମ ନବମୀ ଭବ୍ୟ ଶୋଭାଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି। 

ଅପରପକ୍ଷ‌ରେ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ନିର୍ବାଚନ ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ (ଡିଆର୍‌ଓ) ଭାବେ ବରିଷ୍ଠ ଆଇନଜୀବୀ ସଞ୍ଜୀବ ଷଡ଼ଙ୍ଗୀଙ୍କୁ ଜିଲ୍ଲା ସଭାପତି ଇଂ.ରୋହିତ ପୂଜାରୀଙ୍କ କାର୍ଯ୍ୟାଳୟରେ ଭବ୍ୟ ସ୍ବାଗତ କରାଯାଇଥିଲା। ତେବେ ଡିଆର୍‌ଓ ନିଯୁକ୍ତିରେ ନିରପେକ୍ଷତାକୁ ନେଇ ବହୁ ବରିଷ୍ଠ ନେତା ରାଜ୍ୟ ନିର୍ବାଚନ ଅଧିକାରୀଙ୍କଠାରେ ଅଭିଯୋଗ କରିଛନ୍ତି। ବ୍ଲକ୍‌ଗୁଡ଼ିକର ବିଜେଡି ସଭାପତି ନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀ (ଏଆର୍‌ଓ) ପଦ ପାଇଁ ବିଭିନ୍ନ ଗୋଷ୍ଠୀ ପକ୍ଷରୁ ପୃଥକ୍ ପୃଥକ୍ ତାଲିକା ପ୍ରଦାନ ପରେ ରାଜ୍ୟ ନେତୃତ୍ବଙ୍କ ଚିନ୍ତା ବଢ଼ିଛି। ସ୍ଥିତି ଏମିତି ହୋଇଛି ଯେ ଏଆର୍‌ଓଙ୍କ ନାମ ଘୋଷଣା ହୋଇପାରୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe