ସମ୍ବଲପୁର ମହୋତ୍ସବ ଉଦ୍‌ଯାପିତ 

ସମ୍ବଲପୁର ମହୋତ୍ସବ ଉଦ୍‌ଯାପିତ 

ସମ୍ବଲପୁର: ସମ୍ବଲପୁର ସାଂସ୍କୃତିକ ପରିଷଦ ପକ୍ଷରୁ ଅଇଁଠାପାଲି ବିର୍ସା ମଇଦାନର ଭାଗବତ ନନ୍ଦ ମଂଚରେ ଆୟୋଜିତ ସମ୍ବଲପୁର ମହୋତ୍ସବ ଆଜି ଉଦ୍‌ଯାପିତ ହୋଇଯାଇଛି। ଥଣ୍ଡା ହେଉଥିବା ସତ୍ତ୍ବେ ଲୋକେ ମ‌ହୋତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥିଲେ। ଆଜି ମଧ୍ୟ ଲୋକଗୀତ ସହିତ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। ରବୀନ୍ଦ୍ର ପଣ୍ଡା ‘ମା ଗୋ ମା ମୋର ସମଲେଇ’, ରାଜକୁମାର ଜାଲ‘ ଆମର କଥାଟା ସୁନ୍ଦର, ଆମର ଭାଷାଟା ମଧୁର’ ଗାଇ ଦର୍ଶକଙ୍କୁ ବିମୋହିତ କରଥିଲେ। ଜଣାଶୁଣା କଣ୍ଠଶିଳ୍ପୀ ଉମାକାନ୍ତ ବାରିକଙ୍କ ଗୀତ ସହିତ ବିଭିନ୍ନ ସ୍ଥାନରୁ ଆସିଥିବା ଲୋକନୃତ୍ୟ ଦଳଗୁଡ଼ିକୁ ‌ଲୋକେ ବେଶ୍‌ ପସନ୍ଦ କରିଥିଲେ। ଉଦ୍‌ଯାପନୀ ସମାରୋହରେ ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ସମ୍ବଲପୁର କଳା ସଂସ୍କୃତି ମହାନ ଅଟେ। ପୁରୁଣା ଲୋକକଳାଙ୍କୁ ଉଜ୍ଜ୍ବୀବିତ କରିବା ପାଇଁ ଅଧିକ ଗବେଷଣାର ଆବଶ୍ୟତା ରହିଛି।

ଏହି ଭାଷା, କଳା ସଂସ୍କୃତି ଗବେଷଣା ନିମନ୍ତେ ସମ୍ବଲପୁରରେ ଏକ ଗବେଷଣା କେନ୍ଦ୍ର ସ୍ଥାପିତ ହେବା ଜରୁରୀ। ଗବେଷଣା କେନ୍ଦ୍ର ସ୍ଥାପନ ନିମନ୍ତେ ସମସ୍ତେ ମିଳିମିଶି ଉଦ୍ୟମ କରିବା ଦରକାର ବୋଲି ପଦ୍ମଶ୍ରୀ ଶ୍ରୀ ଗୌନ୍ତିଆ ମତବ୍ୟକ୍ତ କରିଥିଲେ। ଗୁରୁ ରମେଶ ଗୁର୍ଲା, ସୁରେନ୍ଦ୍ର ସାହୁ ଓ ଅନନ୍ୟା ନାୟକ ମଧ୍ୟ ଅତିଥି ଭାବେ ମଂଚାସୀନ ଥିଲେ। ଆଜି ମଧ୍ୟ ଫେସନ ସୋ’ ଲୋକଙ୍କ ମନକୁ ଛୁଇଁ ଥିଲା। ଆଜି ଭିସୁଟ୍‌ର କୁଳପତି ପ୍ରଫେସର ବଂଶୀଧର ମାଝୀଙ୍କ ସହିତ ଶିବ ନାରାୟଣ ଶତପଥୀ, ଦୁର୍ଗା ପଣ୍ଡା ଏବଂ କ୍ରିଷ୍ଣା ପଟେଲ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ପ୍ରଫେସର ଶଙ୍କର ପ୍ରସାଦ ପତି ଓ ଦୁର୍ଗାପ୍ରସାଦ ନାଥଙ୍କୁ ଲୋକଶ୍ରୀ ସମ୍ମାନ, ବାଦ୍ୟଶିଳ୍ପୀ ଗରିବ ସୁନା ଏବଂ ବାଦ୍ୟଶିଳ୍ପୀ ମଗଶିର ଢୁଲିଆଙ୍କୁ ଉରୁକୁଲୁ ଭୋରାସାଗର ଶ୍ରେଷ୍ଠ ବାଦ୍ୟକାର ସମ୍ମାନ, ଯୁବ ପ୍ରତିଭା ଭାବେ ମହମ୍ମଦ ପରଭେଜ ଅଲୀ ଖାନ, କଳା କ୍ଷେତ୍ରରେ ଗୁରୁ ରମେଶ ଗୁର୍ଲା, ସମାଜସେବା ପାଇଁ ସ୍ବାଭିମାନ, ସମ୍ବଲପୁର ଏବଂ କୋଶଳକ୍ରାନ୍ତି ସେନାକୁ ସମ୍ମାନିତ କରାଯାଇଥିଲା। ଆୟୋଜକ ସମ୍ବଲପୁର ସାଂସ୍କୃତିକ ପରିଷଦର ସଂପାଦକ ସପନ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପଦେଷ୍ଟା ଭକ୍ତପ୍ରସାଦ ନନ୍ଦ, ସଦାନନ୍ଦ ପଣ୍ଡା, ଗୋଲକ ବିହାରୀ ମିଶ୍ର, ଦୁର୍ଗା ଦାଶ, ଦୁଃଖନାଶନ ବେହେରା ପ୍ରମୁଖ ମଂଚାସୀନ ଥିଲେ।

publive-image

ମଳୟ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ବଲପୁର ମହୋତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଥିବା ବେଳେ ‘ମନହାରି ହାଟ’ କିନ୍ତୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଆୟୋଜକଙ୍କ ପକ୍ଷରୁ କହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe