ସରିଲା ଶୀତଳଷଷ୍ଠୀ, ମନ୍ଦିରକୁ ପ୍ରବେଶ କଲେ ଦେବଦମ୍ପତି

Advertisment
ସରିଲା ଶୀତଳଷଷ୍ଠୀ, ମନ୍ଦିରକୁ ପ୍ରବେଶ କଲେ ଦେବଦମ୍ପତି

ସମ୍ବଲପୁର: ନଗର ପରିକ୍ରମା କରି ଭକ୍ତଙ୍କୁ ଯୁଗଳ ଦର୍ଶନ ଦେବା ପରେ ଦେବଦେବ ମହାଦେବ ଜଗତଜନନୀ ମାତା ପାର୍ବତୀଙ୍କୁ ଘେନି ମନ୍ଦିର ପ୍ରବେଶ କରିଛନ୍ତି। ଏଥି ସହ ବିପୁଳ ଉତ୍ସାହ ଉଦ୍ଦୀପନା ମଧରେ ସମ୍ବଲପୁରର ସୁପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଶେଷ ହୋଇଛି। ରବିବାର ସନ୍ଧ୍ୟାରେ ବିଶ୍ୱନିୟନ୍ତା ମହାଦେବ ନବବିବାହିତା ଦେବୀ ପାର୍ବତୀଙ୍କ ସହ ନଗର ପରିକ୍ରମା ଶେଷ କରି ନିଜ ମନ୍ଦିରରେ ପହଞ୍ଚିଥିଲେ। ନନ୍ଦପଡ଼ାର ବାଲୁଙ୍କେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ୱର ବାବା, ବଡ଼ବଜାରର ଶୀତଳେଶ୍ୱର ବାବା ଏବଂ ଠାକୁରପଡ଼ାର ଗୁପ୍ତେଶ୍ୱର ବାବା ନିଜ ନିଜ ମନ୍ଦିରରେ ପହଞ୍ଚିବା ପରେ ବିଭିନ୍ନ ରୀତିନୀତି କରା ଯାଇଥିଲା। ମହାଆଳତି, ମହାସ୍ନାନ ଓ ଅନ୍ୟାନ୍ୟ ନୀତି ପରେ ରାତି ସୁଦ୍ଧା ଠାକୁରମାନଙ୍କ ଗର୍ଭଗୃହ ପ୍ରବେଶ ହୋଇଥିଲା।

ଗୋଟିଏ ରାତି ଓ ଗୋଟିଏ ଦିନ ଧରି ଚାଲିଥିବା ବିଭିନ୍ନ ପଡ଼ାର ଏହି ନଗର ପରିକ୍ରମା ଶୋଭାଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ଦର୍ଶକ ସାମିଲ ହୋଇ ଯାତ୍ରାକୁ ଉପଭୋଗ କରିବା ସହ ଭକ୍ତିଭାବରେ ଲୀନ ହୋଇଥିଲେ। ରବିବାର ସମ୍ବଲପୁରର ସର୍ବୋଚ୍ଚ ତାପମାତ୍ରା ୪୩.୬ଂ ରେକର୍ଡ ହୋଇଥିଲା। ଦିନ ତମାମ ଟାଣ ଖରା, ଅସହ୍ୟ ଗୁଳୁଗୁଳି ଓ ପ୍ରବଳ ଗରମ ସତ୍ତ୍ୱେ ଯାତ୍ରାରେ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିଥିଲା। ସବୁ ପଡ଼ାର ଶୋଭାଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇଥିଲେ। ସହରର ସମସ୍ତ ରାସ୍ତା ଲୋକାରଣ୍ୟ ହୋଇଥିଲା।

publive-image

ଶୋଭାଯାତ୍ରାରେ ଭାଗ ନେଇଥିବା ରାଜ୍ୟ ଓ ରାଜ୍ୟ ବାହାରର ପ୍ରାୟ ୧୦ ହଜାର କଳାକାର ଶନିବାର ରାତି ସାରା ଓ ସକାଳେ କିଛି ଘଣ୍ଟାର ବିଶ୍ରାମ ପରେ ରବିବାର ଦିନସାରା ନୃତ୍ୟ, ଗୀତ ପରିବେଷଣ କରିଥିଲେ। ଶତାଧିକ ପ୍ରକାରର ଲୁପ୍ତପ୍ରାୟ କଳା, ଲୋକ ବାଦ୍ୟ ଓ ନୃତ୍ୟ, ଆଧୁନିକ ଓ ଶାସ୍ତ୍ରୀୟ ନୃତ୍ୟ ସଂଗୀତରେ ସମୃଦ୍ଧ ଏହି ସାଂସ୍କୃତିକ ଏକତାର ଯାତ୍ରା ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳା ଓ କଳାକାରଙ୍କୁ ଏକାକାର କରି ଦେଇଥିଲା। ପୌରାଣିକ, ଧାର୍ମିକ, ଆଧାତ୍ମିକ, ଐତିହାସିକ, ଆଧୁନିକ ତଥା ସାଂପ୍ରତିକ ବିଷୟବସ୍ତୁକୁ ନେଇ ବିଭିନ୍ନ ପଡ଼ା ପକ୍ଷରୁ କରା ଯାଇଥିବା ପ୍ରଜ୍ଞାପନ ମେଢ଼ ସାମାଜିକ ସଚେତନତାର ବାର୍ତ୍ତା ଦେଇଥିଲା।

publive-image

ଚାରଭାଟି ଓ ପିଏଚ୍‌ଡି ପଡ଼ିଆରେ ଲାଗିଥିବା ମିନାବଜାର, ହସ୍ତତନ୍ତ ମେଳାରେ ଦର୍ଶକଙ୍କ ନାହିଁ ନଥିବା ଭିଡ଼ ଜମିଥିଲା। ଟ୍ରାଫିକ୍‌ କଟକଣା ଲାଗୁ ହୋଇ ସହରକୁ ଯାନବାହନ ପ୍ରବେଶ ନିଷେଧ କରା ଯାଇଥିଲା। ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ଅନୁଷ୍ଠାନ ମାନେ ଦର୍ଶକଙ୍କୁ ଥଣ୍ଡା ପାଣି, ଦହି ସରବତ, ଗ୍ଳକୋଜ ପାଣି, ଚୁଡ଼ା, ସୁଜି ହାଲୁଆ, ଖେଚୁଡ଼ି ଓ ଅନ୍ୟାନ୍ୟ ସେବା ଯୋଗାଇ ଥିଲେ। କୌଣସି ପ୍ରକାର ଅଘଟଣ ବା ଦୁର୍ଘଟଣାକୁ ଏଡ଼ାଇବା ପାଇଁ ପୁଲିସ୍‌, ଆମ୍ବୁଲାନ୍‌ସ, ଦମକଳ ବିଭାଗ ଇତ୍ୟାଦି ସଜାଗ ରହିଥିଲେ। ରବିବାର ସନ୍ଧ୍ୟାରେ ଯାତ୍ରା ଶେଷ ହେବା ପରେ ଭିଭିନ୍ନ ସ୍ଥାନରୁ ଆସିଥିବା ଦର୍ଶକମାନେ ବାହୁଡ଼ି ଯାଇଥିଲେ। ସହରର ଘରେଘରେ ଭରିଥିବା କୁଣିଆମାନେ ମଧ ଫେରିବା ଆରମ୍ଭ କରିଛନ୍ତି। ତେବେ ସଂଧ୍ୟାରେ ମଧ୍ୟ ବିଭିନ୍ନ ବଜାର, ମେଳା, ମଲ ଆଦିରେ ପ୍ରବଳ ଭିଡ଼ ଲାଗି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe