ସମ୍ବଲପୁର ବିଶ୍ବବିଦ୍ୟାଳୟ +୩ ପରୀକ୍ଷା: ଲଗାତାର ୩ ଦିନ ଧରି ପ୍ରଶ୍ନପତ୍ର ଲିକ୍‌

Advertisment

ପୁଣି ପରୀକ୍ଷା ବାତିଲ, ଥାନାରେ ଏତଲା, ସନ୍ଦେହରେ ପ୍ରଶ୍ନପତ୍ର ତିଆରି କରିଥିବା ୨ ଅଧ୍ୟାପକ

ପୁଣି ପରୀକ୍ଷା ବାତିଲ, ଥାନାରେ ଏତଲା, ସନ୍ଦେହରେ ପ୍ରଶ୍ନପତ୍ର ତିଆରି କରିଥିବା ୨ ଅଧ୍ୟାପକ

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌ ଘଟଣା: ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉତ୍ତର ଦାବି

Sambad English

ବୁର୍ଲା, ୧୫/୭ (ଇମିସ): ସମ୍ବଲପୁର ବିଶ୍ବବିଦ୍ୟାଳୟ +୩ ପରୀକ୍ଷାର ତୃତୀୟ ଦିନରେ ବି ପ୍ରଶ୍ନପତ୍ର ଲିକ୍‌ ହୋଇଛି। ଫଳରେ, ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଆଜି ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷାକୁ ବାତିଲ୍ କରିଦେଇଛନ୍ତି। ଏହିଭଳି ଏକ ସ୍ପର୍ଶକାତର ଘଟଣାରେ ୨ଜଣ ଅଧ୍ୟାପକଙ୍କ ଭୂମିକାକୁ ନେଇ ସନ୍ଦେହ ସୃଷ୍ଟିହୋଇଛି। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏନେଇ ଥାନାରେ ଅଭିଯୋଗ କରିଥିବା‌ବେଳେ ପୁଲିସ୍‌ର ତଦନ୍ତ ଉପରେ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ରହିଛି। ଏହାପୂର୍ବରୁ ଦୁଇଥର ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା। ଗତ ବୁଧବାରଦିନ ପ୍ରଥମେ + ୩ ଷଷ୍ଠ ସେମିଷ୍ଟର ପଦାର୍ଥବିଜ୍ଞାନ ସମ୍ମାନର ଇଲେକ୍ଟ୍ରୋମ୍ୟାଗ୍‌ନେଟିକ୍ ପ୍ରଶ୍ନପତ୍ର ପ୍ରଘଟ ହୋଇଥିଲା। ତେବେ, ପରୀକ୍ଷା ନିୟନ୍ତ୍ରକ ଏହାକୁ ଏକ ଗୁଜବ ବୋଲି କହିଥିଲେ। ଗତକାଲି ପୁଣିଥରେ  ଏଜୁକେସନ୍‌ ପ୍ରଶ୍ନପତ୍ର ପରୀକ୍ଷା ପୂର୍ବରୁ ପ୍ରଘଟ ହୋଇଥିଲା, ଯାହାକୁ କି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ବୀକାର କରିଥିଲେ। ଏବଂ ସଙ୍ଗେସ‌ଙ୍ଗେ ପରୀକ୍ଷାକୁ ବାତିଲ୍‌ କରିଦିଆଯାଇଥିଲା। ଆଜି ଅର୍ଥାତ୍‌ ଶୁକ୍ରବାର ସକାଳ ୯:୩୦ ସମୟରେ +୩ ଷଷ୍ଠ ସେମିଷ୍ଟର ପଦାର୍ଥବିଜ୍ଞାନର ଷ୍ଟlଟିଷ୍ଟିକାଲ ମେକାନିକସ୍ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ହୋଇଛି। କୌଣସି ଅସମର୍ଥିତ ସୂତ୍ରରୁ ଖବର ପାଇବା ପରେ ପରୀକ୍ଷା ନିୟନ୍ତ୍ରକ ଓ କୁଳପତିଙ୍କ ମଧ୍ୟରେ ଆଲୋଚନା ପରେ ପରୀକ୍ଷାକୁ ବାତିଲ୍‌ କରିଦିଆଯାଇଛି। ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ପ୍ରାୟ ୬୦ ଟି କଲେଜ୍‌କୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି ଏବଂ ଆସନ୍ତା ୨୦ ତାରିଖରେ ପୁନର୍ବାର ପରୀକ୍ଷା ଅନୁଷ୍ଠିତ ହେବ ବୋଲି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ, ୩ ରୁ ୪ ହଜାର ଛାତ୍ରଛାତ୍ରୀ ଆଜି ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିଲେ। ପରୀକ୍ଷା ପାଇଁ ଦୀର୍ଘଦିନ ଧରି ନିଜକୁ ପ୍ରସ୍ତୁତ କରିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ନିରାଶ ହେବାକୁ ପଡ଼ିଉୀ।

ଏ ସମ୍ବନ୍ଧରେ ବିଶ୍ବବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଡ. ରବୀନ୍ଦ୍ର ପାଣିଗ୍ରାହୀ କହିଛନ୍ତି, ସକାଳେ ପ୍ରାୟ ୯.୩୦ ସମୟରେ ଏକ ଅସମର୍ଥିତ ସୂତ୍ରରୁ ପ୍ରଶ୍ନପତ୍ର ଲିକ୍ ସମ୍ପର୍କରେ ସୂଚନା ମିଳିଥିଲା। କୁଳପତିଙ୍କ ସହ ଆଲୋଚନା ପରେ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ୬୦ଟି ବିଜ୍ଞାନ କଲେଜ୍‌କୁ ପରୀକ୍ଷା ବାତିଲ୍‌ ସମ୍ପର୍କରେ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ, କେଉଁ କାରଣରୁ ପ୍ରଶ୍ନପତ୍ର ବାରମ୍ବାର ଲିକ୍ ହେଉଛି ଏବଂ ଏଥିରେ କେଉଁ ସ୍ଥାନରେ ଦୋଷ ତ୍ରୁଟି ରହୁଛି, ତାହାକୁ ନେଇ ଏବେ ଚର୍ଚ୍ଚ‌ା ଲାଗିରହିଛି। କୁଳପତି ଶ୍ରୀ ମିତ୍ତଲ କହିଛନ୍ତି, ପ୍ରାରମ୍ଭିକ ତଦନ୍ତରୁ ଏହା ମେନ୍ୟୁସ୍କ୍ରିପ୍‌ଟ ସ୍ତରରେ ଲିକ୍ ହୋଇଥିବା ଜଣାପଡ଼ିଛି। ପ୍ରଶ୍ନପତ୍ର ଲିକ୍ ଘଟଣାର ତଦନ୍ତ ପାଇଁ ଏକ ଚାରି ଜଣିଆ ଟିମ୍ ଗଠନ କରାଯାଇଛି। କିନ୍ତୁ, ଲିକ୍ ହୋଇଥିବା ପଦାର୍ଥବିଜ୍ଞାନର ୨ ଟି ପେପର ଏବଂ ଏକୁକେସନ୍‌ର ଗୋଟିଏ ପେପରର ପ୍ରଶ୍ନପତ୍ର ପ୍ରଘଟ ପଛରେ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ଏକ ଆଫିଲିଏଟେଡ କଲେଜ୍ (କୁଚିଣ୍ଡା ମହାବିଦ୍ୟାଳୟ) ପଦାର୍ଥ ବିଜ୍ଞାନର ଜଣେ ଅଧ୍ୟାପକ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜଣେ ଶିକ୍ଷା ବିଭାଗର ଅଧ୍ୟାପକ ରହିଥିବା ସୂଚନା ମିଳୁଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ମେନ୍ୟୁସ୍କ୍ରିପ୍ଟ ସ୍ତରରେ ଲିକ୍ ହୋଇଥିବା ଜଣାପଡ଼ିଥିବାରୁ ସେହି ଦୁଇ ଅଧ୍ୟାପକଙ୍କୁ ବିଶ୍ବବିଦ୍ୟାଳୟକୁ ଡକାଯାଇଛି। ତଦନ୍ତକାରୀ କମିଟିକୁ ଯଥାଶୀଘ୍ର ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ, ସଙ୍ଗେସଙ୍ଗେ ଆଜି ବୁର୍ଲା ଥାନାରେ  ଓ ସମ୍ବଲପୁର ସାଇବର୍‌ ଥାନାରେ କୁଳସଚିବ ଡ. ନୃପରାଜ ସାହୁ ଲିଖିତ ଅଭିଯୋଗ କରିଛନ୍ତି।

ଚର୍ଚ୍ଚାରେ କୁଚିଣ୍ଡା କଲେଜ୍‌
କୁଚିଣ୍ଡା: ସମ୍ବଲପୁର ବିଶ୍ବବିଦ୍ୟାଳୟ ପଦାର୍ଥ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଘଟଣାରେ କୁଚିଣ୍ଡା କଲେଜ ନାଁ ଚର୍ଚ୍ଚାକୁ ଆସିଛି। ଶୁକ୍ରବାର ସମ୍ବଲପୁର ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ କୁଚିଣ୍ଡା କଲେଜର ପଦାର୍ଥ ବିଜ୍ଞାନ ଅଧ୍ୟାପକ ନିର୍ମଳ ଉର୍ମାଙ୍କୁ ଚିଠି କରି ବିଶ୍ବବିଦ୍ୟାଳୟକୁ ଡକାଇଛନ୍ତି। ତେବେ, କାହିଁକି ଶ୍ରୀ ଉର୍ମାଙ୍କୁ ଡକାଯାଇଛି ସ୍ପଷ୍ଟ ଜଣାପଡ଼ି ନଥିଲେ ବି ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗର ତଦନ୍ତ ପାଇଁ ତାଙ୍କୁ ଡକାଯାଇଥିବା ଆଲୋଚନା ହେଉଛି। କିନ୍ତୁ ପ୍ରଶ୍ନପତ୍ର ପ୍ରଘଟ ହେବାରେ କଲେଜର କୌଣସି ପ୍ରକାର ଭୂମିକାକୁ କଲେଜର ଅଧ୍ୟକ୍ଷ ଶ୍ରୀକାନ୍ତ ପଟେଲ ଅସ୍ବୀକାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe