ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପ୍ରଫେସର ଓ ଆସୋସିଏଟ ପ୍ରଫେସର ନିଯୁକ୍ତି ଉପରେ ଅଙ୍କୁଶ

ହାଇକୋର୍ଟଙ୍କ ଜବାବ ତଲବ

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପ୍ରଫେସର ଓ ଆସୋସିଏଟ ପ୍ରଫେସର ନିଯୁକ୍ତି ଉପରେ ଅଙ୍କୁଶ

getmyuni.com

କଟକ : ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପ୍ରଫେସର ଓ ଆସୋସିଏସଟ ପ୍ରଫେସର ନିଯୁକ୍ତି ପାଇଁ ପ୍ରକାଶିତ ବିଜ୍ଞପ୍ତିରେ ସଂରକ୍ଷଣ ନିୟମ ଉଲ୍ଳଂଘନ ଅଭିଯୋଗ ନେଇ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାର ଓ ବିଶ୍ବବିଦ୍ୟାଳୟ କୁଳ ସଚିବଙ୍କୁ ନୋଟିସ୍ ଜାରି କରିଛନ୍ତି। ନିଯୁକ୍ତି ବିଜ୍ଞପ୍ତି ଆଧାରରେ ଚୟନ ପ୍ରକ୍ରିୟା ଜାରି ରହିବ, କିନ୍ତୁ ଅଦାଲତଙ୍କ ବିନା ଅନୁମତିରେ ନିଯୁକ୍ତି ପ୍ରଦାନ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଧନଞ୍ଜୟ ସୋରେନ ଓ ଅନ୍ୟ ତିନି ଜଣଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଜଗନ୍ନାଥ ପଟ୍ଟନାୟକ ଓ ଜୟନ୍ତ କୁମାର ରଥ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ବିପ୍ଳବ ମହାନ୍ତି, ତରୁଣକାନ୍ତୀ ପଟ୍ଟନାୟକ, ଶାଶ୍ବତ ଦାସ ଓ ଭବାନୀ ଶଙ୍କର ରାୟଗୁରୁ ସହାୟତା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ବିଶ୍ବବିଦ୍ୟାଳୟ ଗୁଡିକରେ ବିଭିନ୍ନ ପଦବି ପୂରଣ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ୨୦୧୯, ଜୁନ ୨୧ରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପ୍ରଫେସର ଓ ଆସୋସିଏସଟ ପ୍ରଫେସର ପଦବି ପୂରଣ ବେଳେ ଓଆରଭି ଆକ୍ଟ ଲାଗୁ ହେବ ନାହିଁ ଓ କୌଣସି ପ୍ରକାର ସଂରକ୍ଷିଣ ବ୍ୟବସ୍ଥା ରଖାଯିବ ନାହିଁ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା। ଅନ୍ୟପକ୍ଷରେ ଆସିଷ୍ଟାଣ୍ଟ ପ୍ରଫେସର ଓ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟାରେ ସରକ୍ଷଣ ବ୍ୟବସ୍ଥା ଲାଗୁ ହେବ ବୋଲି ସ୍ପଷ୍ଟ କରାଯାଇଥିଲା। ଏହି ବିଜ୍ଞପ୍ତି ଆଧାରରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ବିଭିନ୍ନ ବିଭାଗରେ ୯ଟି ପ୍ରଫେସର, ୧୭ଟି ଆସୋସିଏସଟ ପ୍ରଫେସର ଓ ୨୦ଟି ଆସିଷ୍ଟାଣ୍ଟ ପ୍ରଫେସର ପଦବି ପୂରଣ ପାଇଁ ୨୦୧୯, ଜୁଲାଇ ୨ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପ୍ରଫେସର ଓ ଆସୋସିଏଟ୍ ପ୍ରଫେସର ପଦବି କ୍ଷେତ୍ରରେ କୌଣସି ପଦବି ସଂରକ୍ଷିତ ରଖା ଯାଇ ନଥିଲା। ଉଚ୍ଚ ଶିକ୍ଷା ବିଭାଗର ବିଜ୍ଞପ୍ତି ସହିତ ସମ୍ବଲପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରଫେସର ଓ ଆସୋସିଏଟ ପ୍ରଫେସର ପଦବି ପାଇଁ ପ୍ରକାଶିତ ବିଜ୍ଞପ୍ତିକୁ ଚାଲେଞ୍ଜ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ଚାକିରି କ୍ଷେତ୍ରରେ ସଂରକ୍ଷଣ ପ୍ରସଂଗରେ ରାଜ୍ୟ ଏସଟି ଆଣ୍ଡ ଏସସି ଉନ୍ନୟନ ବିଭାଗ ନିଷ୍ପତ୍ତି ନେଇ ପାରିବ। ଅନ୍ୟ କୌଣସି ବିଭାଗର ଏହି ପ୍ରସଂଗରେ କ୍ଷମତା ନାହିଁ ବୋଲି ମାମଲାରେ ଦର୍ଶାଯାଇଛି। ଏପରି ବିଜ୍ଞପ୍ତି ଓଆରଭି ଆକ୍ଟ ଓ ୟୁଜିସି ନିୟମାବଳୀର ମଧ୍ୟ ଉଲ୍ଲଂଘନ କରୁଛି। ଏପରି ପରିସ୍ଥିତିରେ ଉଚ୍ଚଶିକ୍ଷା ବିଭାଗର ଏ ସଂପର୍କିତ ବିଜ୍ଞପ୍ତି ସହିତ ସମ୍ବଲପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ନିଯୁକ୍ତି ବିଜ୍ଞପ୍ତିକୁ ରଦ୍ଦ କରାଯାଉ ବୋଲି ମାମଲାରେ ଦର୍ଶାଯାଇଛି। ମାମଲାରେ ରାଜ୍ୟ ଉଚ୍ଚଶିକ୍ଷା ସଚିବ, ଏସଟି ଆଣ୍ଡ୍ ଏସସି ଉନ୍ନୟନ ବିଭାଗ, କେନ୍ଦ୍ର ମାନବ ସମ୍ବଳ ବିଭାଗ ଓ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe