ଅନ୍‌ଲାଇନ୍ ପରୀକ୍ଷା ପ୍ରସଂଗରେ ସରକାରଙ୍କ ପରାମର୍ଶ ଲୋଡ଼ିଲେ ସମ୍ବଲପୁର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ

Advertisment
ସମ୍ବଲପୁର ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଶିଳ୍ପୋଦ୍ୟୋଗୀଙ୍କୁ ଡି.ଲିଟ୍‌ ପ୍ରଦାନ ପ୍ରସଙ୍ଗ: ପ୍ରତ୍ୟାହାର ପାଇଁ ବଢ଼ୁଛି ଦାବି

Photo: New Indian Express

ସମ୍ବଲପୁର : ଛାତ୍ରଛାତ୍ରୀମାନେ ଅଫ୍‌ଲାଇନ୍ ପରୀକ୍ଷା ପାଇଁ ପୂର୍ବରୁ ମଧ୍ୟ ବାରଂବାର ଦାବିପତ୍ର ଦେଇଥିଲେ। ତେବେ ଏହାକୁ ସମ୍ବଲପୁର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଗୁରୁତ୍ବ ଦେଉନଥିଲେ। ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ହିଂସାତ୍ମକ ମୋଡ଼ ନେବା ପରେ ଏବେ କର୍ତ୍ତୃପକ୍ଷଙ୍କ ଚେତା ପଶିଛି। ଆଜି ‘ବ୍ଲେଣ୍ଡେଡ୍ ମୋଡ୍’(ମିଶ୍ରିତ ‌ପଦ୍ଧତି) ପରୀକ୍ଷା ଆୟୋଜନ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପରାମର୍ଶ ଲୋଡ଼ିଛନ୍ତି।

ଆଜି ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ରବୀନ୍ଦ୍ର ପାଣିଗ୍ରାହୀ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଏବେ ରାଜ୍ୟର କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ବିଶ୍ବବିଦ୍ୟାଳୟ ଅନ୍ତର୍ଗତ ଜିଲ୍ଲାଗୁଡ଼ିକରେ କରୋନା ସଂକ୍ରମଣ ସାଂଘାତିକ ଭାବେ ବଢ଼ିବାରେ ଲାଗିଛି। ବିଶ୍ବବିଦ୍ୟାଳୟ ଅଧୀନରେ ଥିବା କଲେଜଗୁଡ଼ିକରେ ଅଫ୍‌ଲାଇନ୍ ପରୀକ୍ଷା ହେଲେ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି। ଛାତ୍ରଛାତ୍ରୀଙ୍କ ଦାବିକୁ ଦୃଷ୍ଟିରେ ରଖି ‘ବ୍ଲେଣ୍ଡେଡ୍‌ ମୋଡ୍’ରେ ପରୀକ୍ଷା ଆୟୋଜନ ସଂକ୍ରାନ୍ତରେ ଆବଶ୍ୟକ ପରାମର୍ଶ ଦେବାକୁ ଶ୍ରୀ ପାଣିଗ୍ରାହୀ ଚିଠିରେ ଉଲ୍ଲେଖ କରିଛନ୍ତି।

ଉଲ୍ଳେଖଯୋଗ୍ୟ ଯେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍‌ଲାଇନ୍‌ରେ ପାଠପଢ଼ା ହୋଇଛି। ତେଣୁ, ଯୁକ୍ତ ୩ ତୃତୀୟ ସେମିଷ୍ଟାରର ଛାତ୍ରଛାତ୍ରୀମାନେ ଅଫ୍‌ଲାଇନ୍‌ରେ ପରୀକ୍ଷା ଆୟୋଜନକୁ ବିରୋଧ କରୁଥିଲେ। ସମ୍ବଲପୁର ଜିଲ୍ଲାର ବିଭିନ୍ନ କଲେଜ ଛାତ୍ରଛାତ୍ରୀମାନେ ବିଶ୍ବବିଦ୍ୟାଳୟକୁ ଯାଇ ଏ ସଂକ୍ରାନ୍ତରେ ଦାବିପତ୍ର ଦେଇଥିଲେ। ବରଗଡ଼ ଜିଲ୍ଲାର ବିଭିନ୍ନ କଲେଜ ଛାତ୍ରଛାତ୍ରୀମାନେ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ଜରିଆରେ କୁଳପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପଠାଇ ଥିଲେ। ମାତ୍ର ବିଶ୍ବବିଦ୍ୟାଳୟ କତ୍ତୃର୍ପକ୍ଷ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଫଳରେ ଗତକାଲି ହୀରାକୁଦ କଲେଜ ସହିତ ବରଗଡ଼ ଜିଲ୍ଲାର ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନ‌େ ବିଶ୍ବବିଦ୍ୟାଳୟକୁ ପହଂଚି ଥିଲେ। ତେବେ, ସେମାନଙ୍କ ଦାବି ପ୍ରତି ଅଣଦେଖା କରାଯିବାରୁ ଛାତ୍ରମାନେ ଉତ୍ୟକ୍ତ ହୋଇଥିଲେ। ବିଶ୍ବବିଦ୍ୟାଳୟରେ ଭଂଗାରୁଜା କରିଥିବା ବେଳେ ସେମାନଙ୍କୁ ପୁଲିସ ଆଖିବୁଜା ଲାଠିମାଡ଼ କରିଥିଲେ। ବହୁ ଛାତ୍ର ଆହତ ହୋଇଥିବା ବେଳେ ପୁଲିସ ସେମାନଙ୍କ ମଧ୍ୟରୁ ୨୩ ଜଣଙ୍କୁ ଗିରଫ କରି ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ି ଦେଇଥିଲା। ଅପରପକ୍ଷରେ ଆଜି ସମ୍ବଲପୁର ବିଶ୍ବବିଦ୍ୟାଳୟ ପରିସର ପୁଲିସ ଛାଉଣି ହୋଇଯାଇଛି। ପ୍ରଶାସନିକ ଭବନ ସହିତ ଆଖାପାଖ‌େ ପୁଲିସ ଜଗି ରହିଥିବା ଦେଖିବାକୁ ମିଳିଥିଲା। ଆଜି ସ୍ଥିତି ଶାନ୍ତିପୂର୍ଣ୍ଣ ‌ରହିଥିଲା। ଗତକାଲି ଏତେ ବଡ଼ ଘଟଣା ଘଟିବା ପରେ ଆଜି ଆଉ କୌଣସି କଲେଜର ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟକୁ ଯାଇନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe