UniversityKart
ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଶିଳ୍ପୋଦ୍ୟୋଗୀ ସୁଭାଷ ଚନ୍ଦ୍ର ଗୁପ୍ତାଙ୍କୁ ସମ୍ମାନସୂଚକ ଡିଲିଟ୍ ପ୍ରଦାନ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ତରବରିଆ ଭାବେ ଆୟୋଜନ ହୋଇଥିବା ଏହି ସମାବର୍ତ୍ତନ ଉତ୍ସବରେ କେତେକ ବ୍ୟତିକ୍ରମ ବି ଦେଖିବାକୁ ମିଳିଥିଲା। ତେବେ, ଶ୍ରୀ ଗୁପ୍ତାଙ୍କୁ ସମ୍ମାନସୂଚକ ଡିଲିଟ୍ ପ୍ରଦାନ ନେଇ ପ୍ରଶ୍ନ ଉଠାଇଲେଣି।
ପୂର୍ବତନ ସାଂସଦ ଭବାନୀ ଶଙ୍କର ହୋତା କହିଛନ୍ତି, ସମ୍ବଲପୁର ବିଶ୍ବବିଦ୍ୟାଳୟ ଇତିହାସରେ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନସୂଚକ ଡିଲ୍ଟ ପ୍ରଦାନକୁ ନେଇ କେବେ ବି ବିବାଦ ସୃଷ୍ଟି ହୋଇନଥିଲା। ଏବେ ପ୍ରଶ୍ନ ଉଠୁଛି ଯେ, କିଛି ବର୍ଷ ପୂର୍ବରୁ ନିଜର ଅଟାଚକି ବ୍ୟବସାୟ ଆରମ୍ଭ କରିଥିବା ଜଣେ ବ୍ୟକ୍ତିଙ୍କୁ କିଭଳି ମର୍ଯ୍ୟଦାଜନକ ଡିଲିଟ୍ ଉପାଧି ପ୍ରଦାନ କରାଗଲା। କିଏ ସୁଭାଷଙ୍କ ନାମ ଡିଲିଟ୍ ଉପାଧି ପ୍ରସ୍ତାବ ଦେଇଥିଲେ? କାହିଁକି ସମାବର୍ତ୍ତନ ଉତ୍ସବରେ ସୁଭାଷଙ୍କ ଅବଦାନ ସଂପର୍କରେ ପାଠ କରାଗଲା ନାହିଁ ? କୁଳାଧିପତି ଶ୍ରୀଘ ଏ ସଂପର୍କରେ ବିଶ୍ବବିଦ୍ୟାଳୟ ପ୍ରଶାସନଠାରୁ ଏକ ରିପୋର୍ଟ ମାଗିବା ଉଚିତ। ଏହି ବ୍ୟକ୍ତିଙ୍କ ଅବଦାନ ସଂପର୍କରେ ଜନସାଧାରଣ ଅବଗତ ହେବା ଉଚିତ। ଅପରପକ୍ଷରେ ବରିଷ୍ଠ ସାମ୍ବାଦିକ ଶିବ ନନ୍ଦ ଖୋଲାଖୋଲି ଭାବେ ସାମାଜିକ ଗଣମାଧ୍ୟମରେ ଏହି ପ୍ରସଂଗରେ ବିଶ୍ବବିଦ୍ୟାଳୟ ପ୍ରଶାସନକୁ ସମାଲୋଚନା କରିଛନ୍ତି।
ଶ୍ରୀ ନନ୍ଦ କହିଛନ୍ତି, ସମ୍ବଲପୁର ବିଶ୍ବବିଦ୍ୟାଳୟ କେବଳ ମାତ୍ର ଏକ ଉଚ୍ଚଶିକ୍ଷାନୁଷ୍ଠାନ ନୁହଁ, ଆମ ଅଞ୍ଚଳର ଆକାଂକ୍ଷାର ପ୍ରତୀକ ଓ ପରିଚୟ। ଏହାର ଉପଲବ୍ଧି ଏହି ଅଞ୍ଚଳକୁ ଶୈକ୍ଷିକ, ସାମାଜିକ, ସାଂସ୍କୃତିକ, ଆର୍ଥିକ, ରାଜନୈତିକ କ୍ଷେତ୍ରରେ ସଶକ୍ତ କରିଛି । ଏକଦା ଗୋପୀନାଥ ମହାନ୍ତି, କାଳିନ୍ଦୀଚରଣ ପାଣିଗ୍ରାହୀ, ବିଜୁ ପଟ୍ଟନାୟକ, ପ୍ରଭାବତୀ ଦେବୀ, ଦୁର୍ଗାପ୍ରସାଦ ନାୟକ, ଅଟଳବିହାରୀ ପଣ୍ଡା, ନୀଳମାଧବ ପାଣିଗ୍ରାହୀ, ଦିଲୀପ ତିର୍କୀଙ୍କ ଭଳି ପ୍ରତିଭାଙ୍କୁ ସମ୍ବଲପୁର ବିଶ୍ବବିଦ୍ୟାଳୟ ସମ୍ମାନସୂଚକ ଡକ୍ଟରେଟ ଉପାଧିରେ ସମ୍ମାନିତ କରିଛି। ଯେଉଁ ମାନଙ୍କର ନାମ ହିଁ ଯଥେଷ୍ଟ ସେମାନଙ୍କର ପ୍ରତିଭାର ପରିଚୟ ପାଇଁ, ସେମାନଙ୍କ ନାଁ ରେ କୌଣସି ବିଶେଷଣର ଆବଶ୍ୟକତା ନାହିଁ। ମାତ୍ର ନିକଟରେ ଅନୁଷ୍ଠିତ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ କ୍ରୀଡ଼ା ପ୍ରତିଭା ଇଗ୍ନେଶ ତିର୍କୀଙ୍କ ସହ ଆଉ ଜଣଙ୍କୁ ସମ୍ମାନସୂଚକ ଡକ୍ଟରେଟ ଉପାଧିରେ ସମ୍ମାନିତ କରାଗଲା। ଯିଏ କି ଜଣେ ଶିଳ୍ପଦ୍ୟୋଗୀ ବୋଲି ଜଣାପଡ଼ିଲା। ତେବେ, ଏହି ବ୍ୟକ୍ତିଙ୍କ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ଅଞ୍ଚଳବାସୀଙ୍କ ଅଧିକାର ବୋଲି କହିବା ସହିତ ଏହି ଅନୁଷ୍ଠାନର ଅବକ୍ଷୟ ଜଳଜଳ ଦିଶିଲାଣି ବୋଲି କହିଛନ୍ତି। ଏ ସଂକ୍ରାନ୍ତରେ କୁଳସଚିବ ଡ. ନୃପରାଜ ସାହୁଙ୍କୁ ପଚାରିବାରୁ ସେ କହିଲେ, ବିଶ୍ବବିଦ୍ୟାଳୟ ପକ୍ଷରୁ ଏକ ସର୍ଚ କମିଟି ଗଠନ କରାଯାଇଥିଲା। ସର୍ଚ କମିଟି ସୁପାରିସକ୍ରମେ ତାଙ୍କୁ ଏହି ଡିଲିଟ୍ ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି।
Follow Us