ସମ୍ବଲପୁର ବିଶ୍ବବିଦ୍ୟାଳୟ ଦୁର୍ନୀତି: କୁଳପତି ସଂଜୀବ ମିତ୍ତଲଙ୍କୁ ଲାଗିଲା ଝଟ୍‌କା,ଫେରାଇଲେ ୨୯ ଲକ୍ଷ ଟଙ୍କା

Advertisment

ନିଆଯାଇପାରେ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ      

ନିଆଯାଇପାରେ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ      

ସମ୍ବଲପୁର ବିଶ୍ବବିଦ୍ୟାଳୟ ଦୁର୍ନୀତି: କୁଳପତି ସଂଜୀବ ମିତ୍ତଲଙ୍କୁ ଲାଗିଲା ଝଟ୍‌କା,ଫେରାଇଲେ ୨୯ ଲକ୍ଷ ଟଙ୍କା

Sambalpur University

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କ ବିରୋଧରେ ଯେତେ ଅଭିଯୋଗ ଆସିଲେ ମଧ୍ୟ ସବୁବେଳେ ସେ ବର୍ତ୍ତି ଯାଉଥିଲେ। ହେଲେ, ଏଥର ତ‌ାଙ୍କ ପାଇଁ ସବୁ ବାଟ ବନ୍ଦ ହୋଇଯାଇଛି। ବିଳମ୍ବରେ ହେଲେ ମଧ୍ୟ  ‌କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି। ସ୍ଥିତି ଏମିତି ହୋଇଛି ଯେ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ସ୍ବଚ୍ଛ ବିଦ୍ୟାଳୟ ଅଭିଯାନ ପ୍ରକଳ୍ପ ପାଣ୍ଠିରୁ କୁଳପତି ପ୍ରଫେସର ମିତ୍ତଲ ନିଜ ନିକଟ ସଂପର୍କୀୟଙ୍କ ପାଖକୁ ପଠାଇଥିବା ୨୯ ଲକ୍ଷ ଟଙ୍କା ପରିଶେଷରେ ‌ଫେରସ୍ତ କରିବାକୁ ବାଧ୍ୟ ହୋଇଛନ୍ତି। ତେବେ, କୁଳାଧିପତିଙ୍କ ଦପ୍ତର କୁଳପତିଙ୍କ ବିରୋଧରେ ଆହୁରି ଅଧିକ କ‌ଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଚିନ୍ତା କରୁଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।

ବିଲାସପୁରସ୍ଥିତ ସାଉଥ୍‌ ଇଣ୍ଟର୍ଣ୍ଣ କୋଲ୍‌ ଫିଲ୍ଡସ୍‌ ଲିମିଟେଡ୍‌ ପକ୍ଷରୁ ‌ସ୍ବଚ୍ଛ ବିଦ୍ୟାଳୟ ଅଭିଯାନ ପ୍ରକଳ୍ପ ନିମନ୍ତେ ୩୩ ଲକ୍ଷ ୪୪ ହଜାର ଟଙ୍କା ସମ୍ବଲପୁର ବିଶ୍ବବିଦ୍ୟାଳୟକୁ ୩ଟି ପର୍ଯ୍ୟାୟରେ ଦିଆଯାଇଥିଲା। ଉକ୍ତ ଟଙ୍କାକୁ ଜ୍ୟୋତିବିହାରସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଆକାଉଣ୍ଟ ନମ୍ବର ୪୦୧୯୯୭୪୨୪୧୪ରେ ଜମା ରଖାଯାଇଥିଲା। ଓଡ଼ିଶାରେ କେତେ ଲୋକ ପାଇଖାନା ବ୍ୟବହାର କରୁଛନ୍ତି, ତାହା ସର୍ଭେ କରିବା ନିମନ୍ତେ ଏହି ଅର୍ଥ ଦିଆଯାଇଥିଲା। କୁଳପତି ବିଭିନ୍ନ ପ୍ରକଳ୍ପ ନିମନ୍ତେ ସଂପୃକ୍ତ ବିଭାଗର ଦାୟିତ୍ବବାନ ଅଫିସରଙ୍କୁ ‘ପିଓ’ ନିଯୁକ୍ତ କରିଥାନ୍ତି। କିନ୍ତୁ, ପ୍ର‌‌ଫେସର ମିତ୍ତଲ ନିଜେ ଏହି ପ୍ରକଳ୍ପର ‘ପିଓ’ ଦାୟିତ୍ବରେ ରହିଥିଲେ।

ଆଉ ପ୍ରକଳ୍ପ ବାବଦ ବ୍ୟାଙ୍କ ଆକାଉଣ୍ଟରୁ ଦୁଇଟି ପର୍ଯ୍ୟାୟରେ ୨୫ ଲକ୍ଷ  ଏବଂ ୪ ଲକ୍ଷ ଟଙ୍କା ତାଙ୍କ ଅତି ନିକଟ ସଂପର୍କୀୟଙ୍କ ଆକାଉଣ୍ଟକୁ ପଠାଇଥିଲେ। ଗତ ମାସ ଏହି ଆର୍ଥିକ ଅନିୟମିତତା ସଂକ୍ରାନ୍ତରେ ରାଜ୍ୟପାଳ ତଥା କୁଳାଧିପତିଙ୍କଠାରେ ଅଭିଯୋଗ ହୋଇଥିଲା। ଅଭିଯୋଗପତ୍ର ମିଳିବା ପରେ କୁଳାଧିପତି ଏ ସଂକ୍ରାନ୍ତରେ କୁଳପତି ପ୍ରଫେସର ମିତ୍ତଲଙ୍କୁ ଜବାବ ତଲବ କରିଥିଲେ। ଗତ ୨୦  ଏବଂ ୨୭ ମେ’ରେ କୁଳପତି ଏ ନେଇ ଦୁଇଟି ରି‌ପୋର୍ଟ ବି ଦେଇଥିଲେ। ମାତ୍ର କୁଳପତିଙ୍କ ଏହି ଉତ୍ତରରେ ସନ୍ତୁଷ୍ଟ ନହୋଇ କୁଳାଧିପତି ରାଜ୍ୟ ଉଚ୍ଚଶିକ୍ଷା ବିଭାଗକୁ ଏହାର ତଦନ୍ତ ପାଇଁ ଆଦେଶ ଦେଇଥିଲେ। କୁଳାଧିପତିଙ୍କ ଅତିରିକ୍ତ ସଚିବ ତଥା ଓଏସ୍‌ଡି ଚିତ୍ତରଂଜନ ମହାନ୍ତି ପତ୍ର ସଂଖ୍ୟା ୪୦୪୫/୬.୬.୨୦୨୨ରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଚିଠି ଲେଖିବା ପରେ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ବୀରେନ୍ଦ୍ର କୋର୍‌କୋରଙ୍କ ନେତୃତ୍ବରେ ଗଠିତ କମିଟି ତଦନ୍ତ ସାରି ଗତ ଜୁନ ମାସରେ କୁଳାଧିପତିଙ୍କୁ ରିପୋର୍ଟ ଦେଇଥିଲେ। ବିଶ୍ବବିଦ୍ୟାଳୟରେ ବିଭିନ୍ନ ବେନିୟମ କାମ ଚାଲିଥିବା ନେଇ ଆଗରୁ ଅନେକ ଅଭିଯୋଗ ଆସିଛି।

ଗଛକଟା, ପାଠାଗାରରେ ବହି ପୋଡ଼ି, ଶି‌ଳ୍ପୋଦ୍ୟୋଗୀଙ୍କୁ ଡି.ଲିଟ୍‌ ପ୍ରଦାନ, ମେଧାବୀ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ସ୍ବର୍ଣ୍ଣପଦକରେ ନିମ୍ନମାନର ସୁନା ଓ ପରିମାଣ କମ୍‌ ରହିବା ଠାରୁ ଆରମ୍ଭକରି ଅନେକ ସଂଗିନ ଅଭିଯୋଗ ରହିଛି। କୁଳପତିଙ୍କ ବିରୋଧ‌ରେ ବ୍ୟକ୍ତିଗତ ଭାବେ ବି କେତେକ ସାଂଘାତିକ ଅଭିଯୋଗ ରହିଥିବା ‌ବେଳେ ଠୋସ୍ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ହେଲେ, ଏଥର ଆଉ ଖସିବାର ବାଟ ପାଇନାହାନ୍ତି। ସ୍ଥିତି ଏମିତି ହୋଇଛି ଯେ ଗତ ଜୁଲାଇ ୨୦ ତାରିଖରେ ୨୫ ଲକ୍ଷ ଏବଂ ଜୁଲାଇ ୨୧ ତାରିଖରେ ଅବଶିଷ୍ଟ ୪ ଲକ୍ଷ ଟଙ୍କା ଯେଉଁ ଆକାଉଣ୍ଟରୁ ନିଜର ଅତି ନିକଟ ସଂପର୍କୀୟଙ୍କ ପାଖକୁ ଟଙ୍କା ପଠାଇଥିଲେ, ସେହି ଆକାଉଣ୍ଟରେ ପୁଣି ଜମା କରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ଏହା ପରେ ବି ଅନ୍ୟ କେତେକ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ବାକି ରହିଥିବା ଜଣାପଡ଼ିଛି। ଏଭଳି ସ୍ଥିତିରେ କୁଳପତିଙ୍କ ବିରୋଧରେ ଆହୁରି କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇପାରେ ବୋଲି କହାଯାଉଛି। ଏପରିକି କୁଳପତିଙ୍କୁ ଲମ୍ବା ଛୁଟିରେ ପଠାଇବା ପାଇଁ ବି ଚିନ୍ତା କରାଯାଉଥିବା ସମ୍ବଲପୁରରେ ଚର୍ଚ୍ଚା ଜୋର୍‌ ଧରିଛି। ତେବେ, କେତେକ ଆଇନଜୀବୀ କୁଳପତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe