ସମ୍ବଲପୁର ବିଶ୍ବବିଦ୍ୟାଳୟ ଆର୍ଥିକ ଅନିୟମିତତା, ଏଥର ବି ଚାପିଦେବେ କି ସରକାର ! ‌

Advertisment
ସମ୍ବଲପୁର ବିଶ୍ବବିଦ୍ୟାଳୟ ଆର୍ଥିକ ଅନିୟମିତତା, ଏଥର ବି ଚାପିଦେବେ କି ସରକାର ! ‌

GetMyUni

ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟରେ କୁଳପତିଙ୍କ ବିରୋଧରେ ଆସିଛି ସାଂଘାତିକ ଆର୍ଥିକ ଅନିୟମିତତା। ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ ଉଚ୍ଚସ୍ତରୀୟ କମିଟି ବ୍ୟାପକ ତନାଘନାକରି ଫେରିଛନ୍ତି। ଇତିମଧ୍ୟରେ ଅନେକ ଦିନ ଅତିକ୍ରାନ୍ତ ହୋଇଗଲାଣି। ହେଲେ, ଅନ୍ୟ ଘଟଣା ଭଳି ଏହି ଘଟଣାକୁ ଚାପିଦେବାକୁ ଉଦ୍ୟମ ହୋଇଥିବା ଚର୍ଚ୍ଚା ଜୋର ଧରିଛି।

‌ସମ୍ବଲପୁର ବିଶ୍ବବିଦ୍ୟାଳୟରେ ସ୍ବଚ୍ଛ ବିଦ୍ୟାଳୟ ଅଭିଯାନ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ପାଇଁ ଜ୍ୟୋତିବିହାରସ୍ଥିତ ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟ ନମ୍ବର ୪୦୧୯୯୭୪୨୪୧୪ରେ ମୋଟା ଅଙ୍କର ଟଙ୍କା ଜମା ରହିଥିଲା। ସେଥିରୁ ବିଶ୍ବବିଦ୍ୟାଳୟ କୁଳପତି ୩୦ ଲକ୍ଷରୁ ଅଧିକ ଟଙ୍କା ବେନିୟମ ଭାବେ ତାଙ୍କର ଦୁଇ ଜଣ ଅତି ନିକଟ ସଂପର୍କୀୟଙ୍କୁ ଚେକ୍ ଜରିଆରେ ପ୍ରଦାନ କରିଥିଲେ। ଗତ ମେ ମାସରେ ଏହି ଆର୍ଥିକ ଅନିୟମିତତା ସଂକ୍ରାନ୍ତରେ ରାଜ୍ୟପାଳ ତଥା କୁଳାଧିପତିଙ୍କଠାରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗପତ୍ର ମିଳିବା ପରେ କୁଳାଧିପତି ଏ ସଂକ୍ରାନ୍ତରେ କୁଳପତି ପ୍ରଫେସର ମିତ୍ତଲଙ୍କୁ ଜବାବ ତଲବ କରିଥିଲେ। ଗତ ୨୦ ଏବଂ ୨୭ ମେ’ରେ କୁଳପତି ଏ ନେଇ ଦୁଇଟି ରି‌ପୋର୍ଟ ବି ଦେଇଥିଲେ। କୁଳପତିଙ୍କ ଉତ୍ତରରେ ସନ୍ତୁଷ୍ଟ ନହୋଇ କୁଳାଧିପତି ଉଚ୍ଚଶିକ୍ଷା ବିଭାଗକୁ ଏହାର ତଦନ୍ତ ପାଇଁ ଆଦେଶ ଦେଇଥିଲେ। କୁଳାଧିପତିଙ୍କ ଅତିରିକ୍ତ ସଚିବ ତଥା ଓଏସ୍‌ଡି ଚିତ୍ତରଂଜନ ମହାନ୍ତି ପତ୍ର ସଂଖ୍ୟା ୪୦୪୫/୬.୬.୨୦୨୨ରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଚିଠି ଲେଖି ଏହି ଆର୍ଥିକ ଅନିୟମିତତାର ତଦନ୍ତକରି ଏକ ମାସ ମଧ୍ୟରେ ଏହି ରିପୋର୍ଟ ଦେବାକୁ କହିଥିଲେ।

ତଦନ୍ତ ଆଦେଶକୁ ୧୬ ଦିନ ଅତିକ୍ରାନ୍ତ ହେବା ପରେ ଉଚ୍ଚଶିକ୍ଷା ବିଭାଗ ଦ୍ବାରା ଗଠିତ କମିଟି ଗତ ୨୨ ଜୁନ୍‌ ରାତିରେ ବୁର୍ଲାରେ ପହଂଚି ୨୩ ତାରିଖ ଦିନସାରା ତନାଘନା କରିଥିଲେ। ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ବିରେନ୍ଦ୍ର କୋର୍‌କୋରା, ଏଫ୍‌ଏ ତଥା ଅତିରିକ୍ତ ସଚିବ ମନୋରଂଜନ ନାୟକ, ଅନୁସଚିବ ପୁଷ୍ପିତ କୁମାର ସ୍ବାଇଁଙ୍କୁ ନେଇ ଗଠିତ ଟିମ୍‌ରେ ତଦନ୍ତ ସାରି ଫେରିଯାଇଛନ୍ତି। ପୂର୍ବରୁ କୁଳପତିଙ୍କ ବିରୋଧରେ ଅନେକ ଅଭିଯୋଗ ଆସିଛି। ମାତ୍ର, ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ତଦନ୍ତ ଆଳ‌ରେ ମାମଲାକୁ ଚାପି ଦେଇଥିବା ଅଭିଯୋଗ ହୋଇଛି। ଆର୍ଥିକ ଅନିୟମିତତା ଭଳି ସଂଗିନ ଅଭିଯୋଗ ଥିବା ସତ୍ତ୍ବେ ମାମଲାକୁ ଚାପି ଦେବାକୁ ଉଦ୍ୟମ ହେଉଥିବା ଚର୍ଚ୍ଚା ହେଉଛି।

ଉଲ୍ଲେଖଯୋଗ୍ୟ ଯେ, ନୂଆ କୁଳପତି ଯୋଗଦେବା ପରଠାରୁ ସମ୍ବଲପୁର ବିଶ୍ବବିଦ୍ୟାଳୟ ବିଭିନ୍ନ କାରଣରୁ ବିବାଦ ଘେରରେ ରହି ଆସିଛି। ଦୀନବନ୍ଧୁ ମିଶ୍ର ଆତ୍ମାଦାହ ଘଟଣା, ବିଶ୍ବବିଦ୍ୟାଳୟ ପରିସରକୁ ବିନା ଅନୁମତିରେ ଗଛକଟା, ଶିଳ୍ପୋଦ୍ୟୋଗୀଙ୍କୁ ସମ୍ମାନସୂଚକ ଡି.ଲିଟ୍‌ ପ୍ରଦାନ ସହିତ ବିଭିନ୍ନ ବିଭାଗ ପାଇଁ ବେନିୟମ ଭାବେ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ କିଣାଯାଇଥିବା ଘଟଣାକୁ ବିଶ୍ବବିଦ୍ୟାଳୟ ବିବାଦ ଘେରକୁ ଆସିଛି। ଏପଟେ ସ୍ବଚ୍ଛ ବିଦ୍ୟାଳୟ ଅଭିଯାନ ପ୍ରକଳ୍ପ ଭଳି ଅନ୍ୟ ଏକ ପ୍ରକଳ୍ପ ପାଇଁ ଏକ କର୍ପୋରେଟ ସଂସ୍ଥା ପ୍ରଦାନ କରିଥିବା ଅର୍ଥରେ ବି ଅନିୟମିତତା ହୋଇଥିବା ଏବେ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe