ବୁର୍ଲା: ସମ୍ବଲପୁର ବିଶ୍ବବିଦ୍ୟାଳୟର ୫୬ତମ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି। ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ବିଧୁ ଭୂଷଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀ ଇଂ.ରୋହିତ ପୂଜାରୀ ମୁଖ୍ୟଅତିଥି ଏବଂ ଆନ୍ଧ୍ର ପ୍ରଦେଶର କେନ୍ଦ୍ରୀୟ ଜନଜାତି ବିଶ୍ବବିଦ୍ୟାଳୟ କୁଳପତି ଟି.ଭି.କଟ୍ଟିମଣ ମୁଖ୍ୟବକ୍ତା ଭାବରେ ଯୋଗଦେଇଥିଲେ। ଏହି ଅବସରରେ ବିଶିଷ୍ଟ ମାଲାୟଲମ୍ କବି କେଜି ଶଙ୍କର ପିଲାଇଙ୍କୁ ମର୍ଯ୍ୟାଦାଜନକ ଗଙ୍ଗାଧର ଜାତୀୟ ସମ୍ମାନ ପ୍ରଦାନ କରାଯାଇଛି। ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀ ପୂଜାରୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ସମ୍ବଲପୁର ବିଶ୍ବବିଦ୍ୟାଳୟ ହେଉଛି ପଶ୍ଚିମ ଓଡ଼ିଶାର ଗର୍ବ, ଆମର ଅସ୍ତିତ୍ବ ଓ ପରିଚୟ। ଏହି ପରିପ୍ରେକ୍ଷୀରେ ବିଶ୍ବବିଦ୍ୟାଳୟର ସାମଗ୍ରିକ ଉନ୍ନତି ପାଇଁ ସମସ୍ତଙ୍କୁ ଏକାଠି ହେବାକୁ ସେ ଆହ୍ବାନ ଦେଇଥିଲେ।
ସେହିପରି ମୁଖ୍ୟବକ୍ତା ଟି.ଭି କଟ୍ଟିମଣି ଶିକ୍ଷାକ୍ଷେତ୍ରରେ ଶିକ୍ଷକଙ୍କ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଛାତ୍ରଙ୍କୁ ତାଙ୍କର ପ୍ରାଥମିକ ଶିକ୍ଷା ନିଜ ମାତୃଭାଷାରେ କରିବା କଥା।
ଗଙ୍ଗାଧର ଜାତୀୟ ସମ୍ମାନ ଗ୍ରହଣ ଅବସରରେ କବି ଶଙ୍କର ପିଲାଇ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଓଡ଼ିଆ ସାହିତ୍ୟର ପ୍ରତିଷ୍ଠିତ କବି ଗଙ୍ଗାଧର ମେହେରଙ୍କ ନାମରେ ନାମିତ ଏହି ସମ୍ମାନଜନକ ପୁରସ୍କାର ପାଇବା ତାଙ୍କ ପାଇଁ ଗୌରବର ବିଷୟ। ଗଙ୍ଗାଧର ମେହେର ଜଣେ ଦୂରଦୃଷ୍ଟିସଂପନ୍ନ ବ୍ୟକ୍ତି ଥିଲେ। ସେ ଓଡ଼ିଆ ସାହିତ୍ୟର ଗତିପଥ ଗଠନ କରିବା ସହିତ ମାନବ ଜୀବନର ପ୍ରଗତିଶୀଳ ତଥା ଆଦର୍ଶବାଦୀ ଚିତ୍ର ସହ ଭାରତୀୟ ସାହିତ୍ୟକୁ ସମୃଦ୍ଧ କରିଛନ୍ତି ବୋଲି କହିଥିଲେ। ସମ୍ମାନ ସ୍ୱରୂପ କବି ଶ୍ରୀ ପିଲାଇଙ୍କୁ ଅଙ୍ଗବସ୍ତ୍ର ସହିତ ନଗଦ ୧ ଲକ୍ଷ ଟଙ୍କାର ଅର୍ଥରାଶି ଓ ସ୍ମାରକ ପ୍ରଦାନ କରାଯାଇଥିଲା। ଏହି ଅବସରରେ ସମାଜସେବା ପାଇଁ ବିପିନ ବିହାରୀ ପଣ୍ଡା, ପରିବେଶ ଓ କୃଷି ପାଇଁ ଚକ୍ରଧର ପ୍ରଧାନ ଏବଂ କଳା ଓ ସଂସ୍କୃତି କ୍ଷେତ୍ରରେ ଅବଦାଦ ନିମନ୍ତେ ସୁଶୀଳା ନାୟାରଙ୍କୁ ଅଙ୍ଗବସ୍ତ୍ର ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। କୁଳସଚିବ ଡ. ନୃପରାଜ ସାହୁ ଅତିଥି ପରିଚୟ ପ୍ରଦାନ ସହିତ ବିବରଣୀ ପାଠ କରିଥିଲେ ଏବଂ ଡ. ରୋଶନୀ କୁଜୁର ଧନ୍ୟବାଦ ଅର୍ପଣ କରିଥିଲେ।
Follow Us