ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତିଙ୍କ କାରନାମା, ଆବେଦନରେ ମିଥ୍ୟା ତଥ୍ୟ!

Advertisment
ସମ୍ବଲପୁର ବିଶ୍ବବିଦ୍ୟାଳୟ ଆର୍ଥିକ ଅନିୟମିତତା, ଏଥର ବି ଚାପିଦେବେ କି ସରକାର ! ‌

GetMyUni

ସମ୍ବଲପୁର : ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମଦାହ ମାମଲାରେ ଛନ୍ଦି ହୋଇଥିବା ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କ ନାମରେ ଆସିଛି ପୁଣି ଏକ ସାଂଘାତିକ ଅଭିଯୋଗ। ସମ୍ବଲପୁର ବିଶ୍ବବିଦ୍ୟାଳୟ ଭଳି ଖ୍ୟାତିସଂପନ୍ନ ବିଶ୍ବବିଦ୍ୟାଳୟର କୁଳପତି ପଦ ହାସଲ କରିବା ପାଇଁ ପ୍ରଫେସର ମିତ୍ତଲ ତାଙ୍କ ଆବେଦନ ପତ୍ରରେ କେବଳ ମିଥ୍ୟା ତଥ୍ୟ ଦେଇ ନାହାନ୍ତି, ଅନେକ ତଥ୍ୟ ଲୁଚାଇଥିବା ମଧ୍ୟ ଅଭିଯୋଗ ହେଉଛି। ଅବିଳମ୍ବେ ତାଙ୍କ ନିଯୁକ୍ତି ବାତିଲ କରିବାକୁ ପୂର୍ବତନ ସିଣ୍ଡକେଟ ଓ ସିନେଟ ସଦସ୍ୟମାନେ କୁଳାଧିପତିଙ୍କୁ ପତ୍ର ଲେଖିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ବିଶ୍ବବିଦ୍ୟାଳୟର କୁଳପତି ନିଯୁକ୍ତି ପାଇଁ କୁଳାଧିପତିଙ୍କ ନିର୍ଦ୍ଦେଶକ୍ରମେ ଏକ ଚୟନ କମିଟି ଗଠନ କରାଯାଇଥାଏ। କୁଳପତି ପଦ ନିମନ୍ତେ ଆବେଦନ କରୁଥିବା ପ୍ରାର୍ଥୀମାନେ ‌ତାଙ୍କର ଯଦି କିଛି ପବ୍ଲିକେସନ୍‌ସ ଥାଏ, ସେ ସଂପର୍କରେ ତାଙ୍କ ଆବେଦନପତ୍ରରେ ଉଲ୍ଳେଖ କରିଥାନ୍ତି। ଅଧିକ ପୁସ୍ତକ ତଥା ଜର୍ଣ୍ଣାଲରେ ପବ୍ଲିକସେନସ୍‌ ଥିବା ବ୍ୟକ୍ତିଙ୍କ ଆବେଦନକୁ ଚୟନ କମିଟି(ସର୍ଚ କମିଟି) ଅଧିକ ଗୁରୁତ୍ବ ଦେଇଥାନ୍ତି। ପ୍ରଫେସର ମିତ୍ତଲ ନିଜ ଆବେଦନପତ୍ରରେ ତାଙ୍କର ୮ଟି ପୁସ୍ତକ ଏବଂ ୧୧୧ଟି ପବ୍ଲିକେସନ୍‌ସ ରହିଥିବା ଏବଂ ‌‌ସେଥିରୁ ୨୫ଟି ସ୍କୋପସ୍‌(ୱେବ୍ ସାଇନ୍‌ସ), ଏସ୍‌ସିଆଇ/ଇଏସ୍‌ସିଆଇରେ ସ୍ଥାନିତ ହୋଇଥିବା ଉଲ୍ଲେଖ କରିଥିଲେ। ‌‌ତେବେ ସେ ଯେଉଁ ୮ଟି ପୁସ୍ତକ ଲେଖିଥିବା କଥା ଉଲ୍ଲେଖ କରିଛନ୍ତି, ସେହି ପୁସ୍ତକଗୁଡ଼ିକ ନିଜେ ଏକାକୀ ଲେଖିଛନ୍ତି ନା ଅନ୍ୟ ଲେଖକଙ୍କ ସହିତ ମିଳି ଭାବରେ ଲେଖିଛନ୍ତି, ସେ ସଂପର୍କରେ କିଛି ଉଲ୍ଲେଖ କରିନାହାନ୍ତି। ‌କେବଳ ସେତିକି ନୁହେଁ ପୁସ୍ତକର ନାମ, ପୃଷ୍ଠା ସଂଖ୍ୟା, ପ୍ରକାଶକଙ୍କ ନାମ କିମ୍ବା କେଉଁ ମସିହାରେ ପ୍ରକାଶିତ ହୋଇଛି, ସେ ସଂପର୍କରେ ବି କୌଣସି ତଥ୍ୟ ଦେଇନାହାନ୍ତି। ଅପରପକ୍ଷରେ ତାଙ୍କ ପବ୍ଲିକେସନସ୍‌ ସଂପର୍କରେ ଯାଂଚ କରାଯିବା ବେଳେ ମାତ୍ର ୧୦ଟି ଆର୍ଟିକିଲ୍‌ ସ୍କୋପସ୍‌(ୱେବ୍ ସାଇନ୍‌ସ), ଏସ୍‌ସିଆଇ ଓ ଇଏସ୍‌ସିଆଇରେ ସ୍ଥାନିତ ହୋଇଛି। ଏହା ବ୍ୟତୀତ ୪ଟି ଆର୍ଟିକିଲ୍‌ କେବଳ ସ୍କୋପସ୍‌ରେ ରହିଥିବା ଜଣାପଡ଼ିଛି। ଏଥିରୁ ପ୍ରଫେସର ମିତ୍ତଲ କୁଳପତି ପଦ ହାସଲ କରିବା ନିମନ୍ତେ ‌‌‌ଅନେକ ତଥ୍ୟ ଲୁଚାଇଛନ୍ତି ଏବଂ ଅନେକ ମିଥ୍ୟା ତଥ୍ୟ/ତ୍ରୁଟିପୂର୍ଣ୍ଣ ତଥ୍ୟ ମଧ୍ୟ ଦେଇଛନ୍ତି ବୋଲି ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ ସିଣ୍ଡିକେଟ୍ ‌ସଦସ୍ୟ, ଆଇନଜୀବୀ ତଥା ସାମାଜିକ କର୍ମୀ ଦୁର୍ଗା ପାଢ଼ୀ, ସୁମନ୍ତ କୁମାର ସ୍ବାଇଁ ଏବଂ ପୂର୍ବତନ ସିନେଟ୍ ସଦସ୍ୟ ତଥା ଆଇନଜୀବୀ ଅରୁଣ କୁମାର କୁଳାଧିପତିଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ପ୍ରଫେସର ମିତ୍ତଲ ତାଙ୍କ ଆବେଦନପତ୍ରରେ ଦେଇଥିବା ଘୋଷଣାନାମା ଅନୁସାରେ ‘ସେ ଦେଇଥିବା ତଥ୍ୟ ଯଦି ମିଥ୍ୟା କିମ୍ବା ତ୍ରୁଟିପୂର୍ଣ୍ଣ ହୋଇଥିବା ପ୍ରମାଣିତ ହୁଏ, ସେ ନିଯୁକ୍ତି ପାଇଥିଲେ ମଧ୍ୟ ବିନା କୌଣସି ନୋଟିସ୍ ଦେଇ ତଥା ‌କୌଣସି କାରଣ ନଦର୍ଶାଇ ତାଙ୍କ ନିଯୁକ୍ତି ବାତିଲ କରାଯାଇପାରିବ। ୟୁଜିସିର ଗାଇଡ୍‌ଲାଇନ୍‌ ଅନୁସାରେ ଯଦିଓ ସ୍କୋପସ୍‌ (ୱେବ୍ ସାଇନ୍‌ସ), ଏସ୍‌ସିଆଇ, ଇଏସ୍‌ସିଆଇରେ ଆବେଦନକାରୀଙ୍କ ପବ୍ଲିସେକନ୍‌ସ ସ୍ଥାନିତ ହୋଇଥିବା ଅତ୍ୟାବଶ୍ୟକ ହୋଇନଥାଏ, ତ‌େବେ ଆବେଦନକାରୀ ଜଣେ ବିଜ୍ଞ ତଥା ଖ୍ୟାତନାମା ବ୍ୟକ୍ତି ହୋଇଥିବା ସୂଚାଇଥାଏ। ଛାତ୍ରଛାତ୍ରୀମାନଙ୍କୁ କପି କରିବାରୁ ରୋକିବା ଏବଂ ଶିକ୍ଷକମାନେ କିଛି ଭୁଲ୍ କରିଥିଲେ/କରୁଥିଲେ ତାହା ଧରିବା ହେଉଛି ବିଶ୍ବବିଦ୍ୟାଳୟ କୁଳପତିଙ୍କର କାମ। ହେଲେ ଏଠାରେ ପ୍ରଫେସର ମିତ୍ତଲ ନିଜେ ଏଭଳି କାମରେ ଲିପ୍ତ ରହିଛନ୍ତି। ପ୍ରଫେସର ମିତ୍ତଲଙ୍କ ଆବେଦନପତ୍ରରେ ଦେଇଥିବା ଉପରୋକ୍ତ ତଥ୍ୟ ସବୁକୁ କେତେକ ବିଶେଷଜ୍ଞ ଦ୍ବାରା ଯାଞ୍ଚ କରାଇବା ବେଳେ ତାଙ୍କର ଏହି କାରନାମା ଧରିପଡ଼ିଛି। ତେଣୁ, ତୁରନ୍ତ ତାଙ୍କୁ ଛୁଟିରେ ପଠାଯିବା ସହିତ ନିରପେକ୍ଷ ତଦନ୍ତ କରାଯାଇ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ କୁଳାଧିପତିଙ୍କୁ ନିବଦେନ କରିଛନ୍ତି। ଅପରପକ୍ଷରେ ଏ ସଂକ୍ରାନ୍ତରେ ପ୍ରଫେସର ମିତ୍ତଲଙ୍କୁ ପଚାରିବାରୁ ସେ କହିଲେ, ସେ ତାଙ୍କର ଆବଦେନପତ୍ର(ସିଭି)ରେ କେବଳ ତାଙ୍କର ପୁସ୍ତକ ଓ ପବ୍ଲିକେସନ୍‌ସର ତାଲିକା ସଂଲଗ୍ନ କରିଥିଲେ। ପୁସ୍ତକର ନାମ ଦେଇଥିଲେ କି ନାହିଁ ଏବେ ତାହା ମନେ ପଡ଼ୁନାହିଁ। କିନ୍ତୁ, କେତୋଟି ପବ୍ଲିକେସନ୍‌ସ ତାଙ୍କର ସ୍କୋପସ୍‌(ୱେବ୍ ସାଇନ୍‌ସ), ଏସ୍‌ସିଆଇ ଓ ଇଏସ୍‌ସିଆଇ ସ୍ଥାନିତ ହୋଇଛି, ସେ ଉଲ୍ଳେଖ କରିନାହାନ୍ତି। ଏହାର ଆବଶ୍ୟକତା ବି ନଥାଏ। ଯେ କେହି ଅଭିଯୋଗ କରିପାରିବ, ଅଭିଯୋଗ କରିବାରେ କିଛି ଅସୁବିଧା ନାହିଁ। ତେବେ, କୁଳାଧିପତିଙ୍କ ଦ୍ବାରା ତଦନ୍ତ କରାଗଲେ ସବୁ ସତ ପଦାକୁ ଆସିବ। ସେ ତାଙ୍କ ‘ସିଭିରେ କୌଣସି ଭୁଲ୍ କିମ୍ବା ମିଥ୍ୟା ତଥ୍ୟ ଦେଇନାହାନ୍ତି ବୋଲି ପ୍ରଫେସର ମିତ୍ତଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe