ସମ୍ବଲପୁର ବିଶ୍ବବିଦ୍ୟାଳୟ ୱେବ୍‌ସାଇଟ୍‌ ହ୍ୟାକ୍‌: ପାକିସ୍ତାନୀ ସାଇବର୍‌ ଅପରାଧୀଙ୍କ ହାତ, ତଥ୍ୟ ଚୋରି ଆଶଙ୍କା

Advertisment
ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ବିବାଦ ହଟୁନି! କୁଳପତିଙ୍କ ନାଁରେ ୩୦ ଲକ୍ଷ ଅନିୟମିତତା ଅଭିଯୋଗ

Sambalpur University

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟର ୱେବ୍‌ସାଇଟ୍‌ ହ୍ୟାକ୍‌ ହୋଇଛି। ପାକିସ୍ତାନୀ ସାଇବର୍‌ ଆତଙ୍କୀମାନେ ୨ ଦିନ ତଳେ ଏହି ୱେବ୍‌ସାଇଟ୍ ହ୍ୟାକ୍‌ କରିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ୱେବ୍‌ସାଇଟ୍‌ ହ୍ୟାକ୍ ହେବାପରେ ଏବେ ଛାତ୍ରଛାତ୍ରୀଙ୍କ ସମେତ ବିଶ୍ବବିଦ୍ୟାଳୟର ତଥ୍ୟ ଚୋରି ହୋଇଥିବା ଆଶଙ୍କା ବୃଦ୍ଧି ପାଇଛି। ସୂଚନା ଅନୁସାରେ, ପାକିସ୍ତାନ ହ୍ୟାକର୍‌ ସମ୍ବଲପୁର ବିଶ୍ବବିଦ୍ୟାଳୟର ଗ୍ରିଭାନ୍‌ସ ୱେବ୍‌ସାଇଟ୍ (grievance.suniv.ac.in)କୁ ହ୍ୟାକ୍ କରିଥିଲେ। ଲିଙ୍କ୍ ଖୋଲିଲେ ‘କିଲର୍- ହ୍ୟାକ୍ ବାଏ ଡେଭିଲ୍’ ଲେଖାଯାଉଥିଲା। ଏହାସହିତ ପରଦାରେ ହ୍ୟାକର୍‌ର ଏକ ବାର୍ତ୍ତା ମଧ୍ୟ ଥିଲା। ବାର୍ତ୍ତାରେ ବିଶ୍ବବାସୀଙ୍କୁ ଅଭିବାଦନ କରାଯିବା ସହ ଲେଖାଥିଲା ‘ଆପଣମାନେ ନିଜ ଆଖିକୁ ଭଲ ଭାବେ ଖୋଲି ବର୍ତ୍ତମାନ ଆମ ଚାରିପାଖରେ କ’ଣ ଚାଲିଛି ଦେଖନ୍ତୁ। ସମାଜରେ ମାନବୀୟ ଗୁଣ ମରିଗଲାଣି। କ୍ରୂରତା ଓ ହିଂସା ବଳରେ ଏବେ ଆମକୁ ଚାପି ଦିଆଯାଉଛି। ଏହା ଆଦୌ ଗ୍ରହଣୀୟ ନୁହେଁ ଓ ବନ୍ଦ ହେବା ଜରୁରି। କୌଣସି ଧର୍ମ ଓ ଆଇନ୍ ଏଭଳି କାର୍ଯ୍ୟକୁ ଅନୁମତି ଦିଏନାହିଁ। ତେଣୁ ଆପଣଙ୍କ ମସ୍ତିଷ୍କକୁ ଖୋଲନ୍ତୁ ଏବଂ କ’ଣ ଠିକ୍, କ’ଣ ଭୁଲ ଚିନ୍ତା କରନ୍ତୁ। ଆଡ୍‌ମିନ୍‌ ପାଇଁ ଚିନ୍ତା କରିବାର କୌଣସି କାରଣ ନାହିଁ, ଆପଣଙ୍କ ଡାଟାବେସ୍ ୧୦୦% ସୁରକ୍ଷିତ ଅଛି।’ ଏହାସହିତ ବାର୍ତ୍ତା ତଳେ ପିସିଏ (ପାକିସ୍ତାନ ସାଇବର ଏଜେଣ୍ଟ) ବୋଲି ମଧ୍ୟ ଉଲ୍ଲେଖ କରାଯାଇ ସମସ୍ତ ପାକିସ୍ତାନୀ ହ୍ୟାକର୍ସଙ୍କ ତରଫରୁ ପୁଣିଥରେ ଅଭିନନ୍ଦନ ଜ୍ଞାପନ କରାଯାଇଛି। ଏ ନେଇ ସୂଚନା ପାଇବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ୱେବ୍‌ସାଇଟ୍ ପରିଚାଳନାକାରୀ ସଂସ୍ଥା ସହ ସମ୍ପର୍କ କରି ୱେବ୍‌ସାଇଟ୍ ଠିକ୍ କରିଛନ୍ତି। ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧରଙ୍କ ସହ ଯୋଗାଯୋଗ କରିବାରୁ ଏ ନେଇ ବିଶ୍ବବିଦ୍ୟାଳୟ ପକ୍ଷରୁ କୌଣସି ଅଭିଯୋଗ କରାଯାଇ ନଥିବା କହିଛନ୍ତି।

ଉଲ୍ଲେଖ‌ଯୋଗ୍ୟ ଯେ ୱେବ୍‌ସାଇଟ୍ ହ୍ୟାକ୍ ହେବା ସମ୍ବଲପୁର ବିଶ୍ଵବିଦ୍ୟାଳୟ ପାଇଁ ନୂଆ ନୁହେଁ। ଏହାପୂର୍ବରୁ ମଧ୍ୟ ୨୦୧୫ ମସିହାରେ ବିଶ୍ୱବିଦ୍ୟାଳୟର ୱେବ୍‌ସାଇଟ୍‌ର କ୍ଲୋନିଂ କରି ଆଉ ଏକ ୱେବ୍‌ସାଇଟ୍ ତିଆରି କରାଯାଇଥିଲା, ଯାହାକୁ ହ୍ୟାକର୍‌ମାନେ ବେଶ୍‌ କିଛିମାସ ପରିଚାଳନା କରିଥିଲେ। ଛାତ୍ରଛାତ୍ରୀ ଓ ସାଧାରଣ ଲୋକେ ତାହାକୁ ବିଶ୍ବବିଦ୍ୟାଳୟର ଅଫିସିଆଲ୍ ‌ୱେବ୍‌ସାଇଟ୍ ମନେକରୁଥିଲେ। ୱେବ୍‌ସାଇଟ୍ ହ୍ୟାକ୍ ହେବାନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ବୁର୍ଲା ଥାନାରେ ଅଭିଯୋଗ କରାଯାଇଥିଲା। ତେବେ ସେହି ଅଭିଯୋଗରେ ହିଁ ସୀମିତ ରହି ଯାଇଥିଲା ବିଶ୍ବବିଦ୍ୟାଳୟର କାର୍ଯ୍ୟ‌ାନୁଷ୍ଠାନ। ତା’ପରେ ନା ୱେବ୍‌ସାଇଟ୍‌ର ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯାଇଥିଲା, ନା କୌଣସି ସେଭଳି ପଦକ୍ଷେପ ନିଆଯାଇଥିଲା। ଯାହାଫଳରେ ପୁଣିଥରେ ୱେବ୍‌ସାଇଟ୍‌କୁ ହ୍ୟାକ୍ କରାଯାଇଛି। ୨ଦିନ ହ୍ୟାକ୍ ହୋଇ ରହିବାପରେ ରବିବାର ଦିନ ୧୦ଟା ୩୦ରେ ‌ୱେବ୍‌ସାଇଟ୍‌ ସ୍ବାଭାବିକ ହୋଇପାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe