ସମ୍ବଲପୁର ହିଂସା: ଜନଜାତି ଆୟୋଗଙ୍କ ଗସ୍ତ ପୂର୍ବରୁ ଛକାପଞ୍ଝା

ସମ୍ବଲପୁର ହିଂସା: ଜନଜାତି ଆୟୋଗଙ୍କ ଗସ୍ତ ପୂର୍ବରୁ ଛକାପଞ୍ଝା

ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ସହ ଯୁକ୍ତିତର୍କ କରୁଛନ୍ତି ବିଜେପି ନେତ୍ରୀ ସସ୍ମିତା ଦେହୁରୀ

ସମ୍ବଲପୁର/ଯୁଯୁମୁରା/ଭୁବନେଶ୍ବର : ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ସଂଘଟିତ ହିଂସା ଘଟଣାର ଅନୁଧ୍ୟାନ ପାଇଁ ଆସନ୍ତାକାଲି ମଙ୍ଗଳବାର ଜାତୀୟ ଜନଜାତି ଆୟୋଗ (ଏନ୍‌ସିଏସ୍‌ଟି)ର ଏକ ପ୍ରତିନିଧି ଦଳ ସମ୍ବଲପୁର ଗସ୍ତରେ ଆସୁଛନ୍ତି। ତେବେ ଏହାପୂର୍ବରୁ ଆଜି ଭବାନୀପାଲିରେ ଛକାପଞ୍ଝା ସ୍ଥିତି ସୃଷ୍ଟି ହୋଇଛି। ସରକାରୀ ବାବୁମାନେ ବ୍ୟାଙ୍କ ଖାତା ଯାଞ୍ଚ ଆଳରେ ଆହତ ଯୁବକ ବିଶ୍ବନାଥ ସିକାକୁ ଲୁଚାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ ଆଣି ବିଜେପି ଏହାର ପ୍ରତିବାଦ କରିଥିବା ବେଳେ ଭବାନୀପାଲିରେ ଉତ୍ତେଜନା ପ୍ରକାଶ ପାଇଛି।

ଆସନ୍ତାକାଲି ଆୟୋଗ ସଦସ୍ୟ ଅନନ୍ତ ନାୟକଙ୍କ ସହିତ ଏନ୍‌ସିଏସଟିର ଭୁବନେଶ୍ବର ଆଞ୍ଚଳିକ କାର୍ଯ୍ୟାଳୟ ନିର୍ଦ୍ଦେଶକ ଜୟନ୍ତ କେ. ସରୋଡ଼େ ଓ ଅନ୍ୟ ଅଧିକାରୀମାନେ ସମ୍ବଲପୁର ଜିଲ୍ଲା ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି। ଆୟୋଗ ସଦସ୍ୟ ଓ ଅଧିକାରୀ ସକାଳ ୧୦ଟାରେ ଝାରମୁଣ୍ଡା ଯାଇ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଦିନ ହତ୍ୟାର ଶିକାର ହୋଇଥିବା ଚିନ୍ତାମଣି ମିର୍ଦ୍ଧାଙ୍କ ପରିବାରକୁ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି। ସେଠାରୁ ଭବାନୀପାଲି ଯାଇ ଏଥିରେ ଆହତ ହୋଇଥିବା ବିଶ୍ୱନାଥ ଓରଫ୍ କାଲିଆ ଶିକା (୨୧ବର୍ଷ)ଙ୍କୁ ସାକ୍ଷାତ ସାରି ସମ୍ବଲପୁର ସର୍କିଟ ହାଉସରେ ଆଦିବାସୀ ନେତାମାନଙ୍କ ସହ ଆଲୋଚନା କରିବେ ଓ ଅପରାହ୍‌ଣ ୨ଟା ୩୦ରେ ଗଣମାଧ୍ୟମକୁ ଭେଟିବା କାର୍ଯ୍ୟକ୍ରମ ରହିଛି।

publive-image ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡିର ଦାବିପତ୍ର ପ୍ରଦାନ

ତେବେ, ଏହା ପୂର୍ବରୁ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିଛି। ଆଜି ଅପରାହ୍ନ ୩ଟାରେ କେତେକ ଯୁବକ ବିଶ୍ବନାଥଙ୍କ ଘରେ ପହଞ୍ଚିଥିଲେ। ଏହାର କିଛି ସମୟ ପରେ ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି, ଉପଜିଲ୍ଲାପାଳ ପ୍ରଭାସ ଡନସନା, ଯୁଯୁମୁରା ତହସିଲଦାର ଅଭିଷେକ ସାହୁ ସେଠାରେ ପହଞ୍ଚିଥିଲେ। ରେଡକ୍ରସ ପକ୍ଷରୁ ବିଶ୍ବନାଥଙ୍କୁ ୧୫ ହଜାର ଟଙ୍କାର ଏକ ଚେକ୍ ପ୍ରଦାନ କରିଥିଲେ। ସରକାରୀ ଗାଇଡ୍‌ଲାଇନ ଅନୁଯାୟୀ ମୃତ ଯୁବକ ଚନ୍ଦ୍ରକାନ୍ତ ମିର୍ଦ୍ଧାଙ୍କ ପରିବାର ବର୍ଗଙ୍କୁ ୮ ଲକ୍ଷ ଟଙ୍କା ଏବଂ ଆହତ ବିଶ୍ବନାଥଙ୍କୁ ୬ ଲକ୍ଷ ଟଙ୍କା ସହାୟତା ମଞ୍ଜୁର ହୋଇଥିବା ଉପଜିଲ୍ଲାପାଳ ଶ୍ରୀ ଡନସନା ସୂଚନା ଦେଇଥିଲେ। ଏବେ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦେଢ଼ଲକ୍ଷ ଟଙ୍କା ଆସିଥିବା କହି ତାହା ଯାଞ୍ଚ କରିବାକୁ ସେମାନଙ୍କ ସାଂଗରେ ଯିବାକୁ ଅଧିକାରୀମାନେ କହିଥିଲେ। ସେମାନଙ୍କ ପରାମର୍ଶ ଅନୁସାରେ ବିଶ୍ବନାଥ ବସିବା ପାଇଁ ତହସିଲଦାରଙ୍କ ଗାଡ଼ିକୁ ଚଢ଼ୁଥିବା ବେଳେ ବିଜେପି ନେତ୍ରୀ ସସ୍ମିତା ଦେହୁରୀଙ୍କ ନେତୃତ୍ବରେ ବିଜେପି କର୍ମୀମାନେ ସେଠାରେ ପହଂଚି ଏହାର ବିରୋଧ କରିଥିଲେ।

ସସ୍ମିତା ଗାଡ଼ିକୁ ନଚଢ଼ିବା ପାଇଁ କହିବାରୁ ବିଶ୍ବନାଥ ଅଟକି ଯାଇଥିଲେ। ଏତେ ଦିନ ପରେ ଆଜି ପ୍ରଶାସନ ଅଚାନକ କିପରି ତତ୍ପରତା ଦେଖାଇଲା ବୋଲି ସେମାନେ ପ୍ରଶ୍ନ କରିଥିଲେ। ବିଜେପି କର୍ମୀ ଏବଂ ପୂର୍ବରୁ ବିଶ୍ବନାଥଙ୍କ ଘରକୁ ଆସିଥିବା ଗୋଷ୍ଠୀ ମଧ୍ୟରେ ପ୍ରବଳ କଥା କଟାକଟି ହୋଇଥିଲା।

ଅପରପକ୍ଷେ, ମେ’ ୧୦ ତାରିଖ ଉପନିର୍ବାଚନ ପୂର୍ବରୁ ଜାତୀୟ ଏସ୍‌ଟି କମିସନ ସଦସ୍ୟ ଶ୍ରୀ ନାୟକଙ୍କୁ ଝାରସୁଗୁଡ଼ା ଗସ୍ତ ସମୟରେ ବୈଠକ କିମ୍ବା କୌଣସି କାର୍ଯ୍ୟକ୍ରମ କରିବାକୁ ଅନୁମତି ନଦେବା ପାଇଁ ବିଜେଡି ପକ୍ଷରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏହାଦ୍ବାରା ନିର୍ବାଚନ ଅାଚରଣ ବିଧି ଉଲ୍ଲଂଘନ ହେବ ବୋଲି କହିଛନ୍ତି। ଲେନିନ ମହାନ୍ତିଙ୍କ ନେତୃତ୍ବରେ ଲୋରା ମହାପାତ୍ର, ଅମିତ କୁମାର ମଲ୍ଲିକ ମଧୁସ୍ମିତା ନାୟକ, ସ୍ବାଗତିକା ମହାନ୍ତି, ସ୍ବୟଂପ୍ରକାଶ ମହାପାତ୍ର, ଅପୂର୍ବା ଅପରୂପା ପ୍ରମୁଖ ଏହି ଦାବିପତ୍ର ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe