ସମ୍ବଲପୁର: କର୍ଫ୍ୟୁ ବେଳେ ହିଂସା; ଘର, ଗ୍ୟାରେଜ୍‌ ପୋଡ଼ିଦେଲେ

କର୍ଫ୍ୟୁ କୋହଳ ସମୟ ବଢ଼ିଲା, ଅନ୍ୟ ସବୁ ଅଞ୍ଚଳ ଶାନ୍ତ

ସମ୍ବଲପୁର: କର୍ଫ୍ୟୁ ବେଳେ ହିଂସା; ଘର, ଗ୍ୟାରେଜ୍‌ ପୋଡ଼ିଦେଲେ

ସମ୍ବଲପୁର : ଶୁକ୍ରବାର ମଧ୍ୟରାତ୍ରିରୁ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଘୋଷଣା ପରେ ଶନିବାର ଦିନ ସମ୍ବଲପୁରରେ ହିଂସାକାଣ୍ଡ ଥମିଥିଲା। ହେଲେ ରବିବାର ସହରକୁ ପୁଣି ହିଂସାକାଣ୍ଡ ଫେରିଛି। ସହରର ତଅଁଳାପଡ଼ା ରାନୀବଗିଚାରେ ରବିବାର ଦିନ ପ୍ରାୟ ୧୦ଟାରେ ଜଣେ ବ୍ୟକ୍ତିଙ୍କ ଘର ଭଙ୍ଗାରୁଜା ତଥା ଜଳାପୋଡ଼ା ହୋଇଛି। ଏହାକୁ କେନ୍ଦ୍ରକରି ପୁଲିସ ପକ୍ଷରୁ ଉକ୍ତ ଅଂଚଳର ମହିଳାମାନଙ୍କ ଉପରେ ଲାଠିଚଳନା ବି ହୋଇଛି। ରାତି ୧୦ଟା ବେଳେ ଗେଙ୍ଗୁଟିପାଲି ପାଖରେ ଥିବା ଏକ ବଡ଼ ଗ୍ୟାରେଜ୍‌ରେ ନିଆଁ ଲଗାଇ ଦିଆଯାଇଛି। ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ପୁଲିସ ଡିଜି ଗତକାଲିଠାରୁ ସମ୍ବଲପୁରରେ ଡେରା ପକାଇଥିବା ବେଳେ ରବିବାର ଦିନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସମ୍ବଲପୁର ଆସି ସହରରେ ସ୍ବାଭାବିକତା ଫେରାଇବା ଲାଗି ପୁଲିସ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସହିତ ଘନ ଘନ ବୈଠକ ଚଳାଇଛନ୍ତି।

ସୂଚନା ଅନୁସାରେ, ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ତଅଁଲାପଡ଼ା ରାନୀବଗିଚା ଅଞ୍ଚଳର ଏକ ପରିବାର ଗତ ୧୨ ତାରିଖ ସହରରେ ଘଟିଥିବା ହିଂସାକାଣ୍ଡ ପରେ ଅନ୍ୟତ୍ର ଚାଲି ଯାଇଥିଲେ। ରବିବାର ସକାଳ ପ୍ରାୟ ସାଢ଼େ ୯ଟାରେ ସଂପୃକ୍ତ ପରିବାରର ଜଣେ ମହିଳା ଘରକୁ ଫେରି ପଡ଼ୋଶୀମାନଙ୍କ ଉଦ୍ଦେଶ୍ୟରେ ଖୁବ୍ ଜୋର୍‌ରେ ପାଟିତୁଣ୍ଡ କରିଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। କେତେକ ବ୍ୟକ୍ତି ଘରକୁ ପଶି ଭଙ୍ଗାରୁଜା କରିଥିଲେ। ପରେ ଉତ୍ତ୍ୟକ୍ତ ଲୋକେ ସେହି ଘରେ ନିଆଁ ଲଗାଇ ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ସେଠାରେ ପହଂଚି ନିଆଁକୁ ଆୟତ୍ତ କରିଥିଲା। ଖବର ପାଇ ପୁଲିସ ସେଠାରେ ପହଂଚି ପଡ଼ାର କେତେକ ମହିଳା ଓ ଯୁବକଙ୍କୁ ଉଠାଇ ନେଇଥିଲେ। ତେବେ, ସ୍ଥାନୀୟ ମହିଳାମାନେ ଘଟଣାରେ କୌଣସି ପ୍ରକାରରେ ସଂପୃକ୍ତ ନଥିବା ମହିଳାମାନଙ୍କୁ ଧରିନେବା ଘଟଣାର ପ୍ରତିବାଦ କରିଥିଲେ। ଫଳରେ ବାଲିବନ୍ଧା ଫାଣ୍ଡି ଓ ଚିତ୍ରଗୁପ୍ତ ମନ୍ଦିର ନିକଟରେ ଉତ୍ତ୍ୟକ୍ତ ମହିଳାମାନଙ୍କୁ ଘଉଡ଼ାଇବା ପାଇଁ ପୁଲିସକୁ ଲାଠିଚାଳନା କରିବାକୁ ପଡ଼ିଥିଲା। ଏହି ଘଟଣାରେ ପୁଲିସ ୬ ଜଣ ଯୁବକ ଏବଂ ୨ ଜଣ ମହିଳାଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। ସଂପୃକ୍ତ ମହିଳା ଦ୍ବୟଙ୍କ ଘରେ ୨/୩ ବର୍ଷର ଗୋଟିଏ ଲେଖାଏଁ ସନ୍ତାନ ରହିଛନ୍ତି। ସେହିପରି ଗେଙ୍ଗୁଟିପାଲିରେ ଗ୍ୟାରେଜ୍‌ରେ ଘଟିଥିବା ଅଗ୍ନିକାଣ୍ଡରେ ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀ ଅକ୍ଳାନ୍ତ ପରିଶ୍ରମ କରି ସଫଳ ହୋଇଥିଲେ ହେଁ ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି।

ଗତକାଲିଠାରୁ ଦୁଇ ଜଣ ପୁଲିସ ଏଡିଜିଙ୍କ ସହିତ ସମ୍ବଲପୁରରେ କ୍ୟାମ୍ପ କରିଥିବା ପୁଲିସ ଡିଜି ସୁନୀଲ ବଂଶଲ ରବିବାର ଦିନ ସାରା ପୁଲିସ ଅଧିକାରୀମାନଙ୍କ ସହିତ ଘନଘନ ଆଲୋଚନା କରିଥିଲେ। ଏପଟେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁଙ୍କ ସହିତ ମଧ୍ୟ ତାଙ୍କର ଆଲୋଚନା ହୋଇଥିଲା। ଏଭଳି ପୁଲିସ-ପ୍ରଶାସନର ଅଧିକାରୀମାନଙ୍କ ସହିତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ୩ ଥର ବୈଠକ କରିଥିଲେ। ସନ୍ଧ୍ୟାରେ ଉତ୍ତରାଞ୍ଚଳ ଆର୍‌ଡିସିଙ୍କ ସମ୍ମିଳନୀ କକ୍ଷରେ ଡ. ସୁରେଶ ଚନ୍ଦ୍ର ଦଳାଇ, ଆଇଜି ଡ. ଦୀପକ କୁମାର, ଜିଲ୍ଲାପାଳ ଅନନ୍ୟା ଦାସ, ଏସ୍‌ପି ବି. ଗଂଗାଧରଙ୍କ ସହିତ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ବିଭିନ୍ନ ଆଲୋଚନା କରିଥିଲେ। ଏହି ଅବସରରେ ଗଣାମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ସେ ସହରର ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି ବୋଲି କହିବା ସହ ଲୋକଙ୍କୁ ଭାଇଚାରା ଓ ସମ୍ବନୟ ବଜାୟ ରଖିବାକୁ ନିବେଦନ କରିଥିଲେ। ଇଣ୍ଟରନେଟ୍ ସେବା ସହିତ ଅନେକ ବିଷୟରେ ଆଲୋଚନା ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେ ବୋଲି ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe