ନୂଆ ଶିକ୍ଷାବର୍ଷରୁ ସମ୍ବଲପୁରୀ ଡ୍ରେସ୍‌କୋଡ୍‌: ସ୍ନେହାଙ୍ଗିନୀ

ନୂଆ ଶିକ୍ଷାବର୍ଷରୁ ସମ୍ବଲପୁରୀ ଡ୍ରେସ୍‌କୋଡ୍‌: ସ୍ନେହାଙ୍ଗିନୀ

ସମ୍ବଲପୁର : ନୂଆ ଶିକ୍ଷାବର୍ଷରୁ ଶିକ୍ଷାନୁଷ୍ଠାନରେ ଲାଗୁ ହେବ ସମ୍ବଲପୁରୀ ଡ୍ରେସ୍‌ କୋଡ୍‌। ଗୁରୁବାର ରାଜ୍ୟ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ସ୍ନେହାଂଗିନୀ ଛୁରିଆ ଏହି ସୂଚନା ଦେଇଛନ୍ତି। ସମ୍ବଲପୁର ଲୋକ ମହୋତ୍ସବରେ ଯୋଗ ଦେବା ପାଇଁ ସମ୍ବଲପୁର ଗସ୍ତରେ ଆସି ମନ୍ତ୍ରୀ ସ୍ନେହାଂଗିନୀ ଛୁରିଆ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଲେ, ଆସନ୍ତା ଶିକ୍ଷା ବର୍ଷରୁ କଲେଜଗୁଡ଼ିକର ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରଥମେ ସମ୍ବଲପୁରୀ ଡ୍ରେସ୍‌କୋଡ ଲାଗୁ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ସ୍କୁଲସ୍ତରରେ ଏହା ଲାଗୁ ହେବ। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ଏବେ ଆନୁସଂଗିକ ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯିବା ସହିତ ଡ୍ରେସ୍‌ କୋଡ ଲାଗୁ ପାଇଁ ଆବଶ୍ୟକ କାଗଜପତ୍ର କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି।

ସମ୍ବଲପୁରୀ ବସ୍ତ୍ରକୁ ଶିକ୍ଷାନୁଷ୍ଠାନରେ ଡ୍ରେସ୍‌କୋଡ୍‌ କରିବାରୁ ବହୁ ଦିନରୁ ଦାବି ହୋଇଆସୁଥିଲା। ନିକଟରେ ‘ସମ୍ବାଦ’ ପକ୍ଷରୁ ସାକ୍ଷୀପଡ଼ା ‘ସମ୍ବାଦ ଭବନ’ରେ ‘ଶିକ୍ଷାନୁଷ୍ଠାନରେ ସମ୍ବଲପୁରୀ ଡ୍ରେସ କୋଡ୍‌’ ଶୀର୍ଷକ ଉପରେ ପାଠକ ମଂଚ ଅନୁଷ୍ଠିତ ହୋଇଥିଲା। ପାଠକ ମଂଚରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ସ୍ନେହାଂଗିନୀ ଛୁରିଆ ଏ ନେଇ ସକରାତ୍ମକ ପଦକ୍ଷେପ ନିଆଯାଉଥିବା କହିଥିଲେ। ରାଜ୍ୟର ଶିକ୍ଷାନୁଷ୍ଠାନରେ ସମ୍ବଲପୁରୀ ଡ୍ରେସ କୋଡ ନିଶ୍ଚିତ ହେବ ବୋଲି ସେ କହିଥିଲେ। କେତେକ ବୈଷୟିକ କାରଣରୁ ଏହା କାର୍ଯ୍ୟକାରୀ କରିବାର ବିଳମ୍ବ ହେଉଥିବା ସେ ପ୍ରକାଶ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ପଶ୍ଚିିମ ଓଡ଼ିଶାର ବହୁ ବୁଣାକାର ପରିବାର ଏବେ ଦୁର୍ଦିନ ମଧ୍ୟରେ ଗତି କରୁଛନ୍ତି। ପରିଶ୍ରମ ଅନୁଯାୟୀ ଲାଭ ମିଳୁନଥିବାରୁ ବହୁ ବୁଣାକାର ପରିବାର ପୁଣି କୌଳିକ ବୃତ୍ତି ଛାଡ଼ି ସାରିଲେଣି। ସମ୍ବଲପୁରୀ ବସ୍ତ୍ର ଡ୍ରେସ୍‌ କୋଡ କରାଗଲେ ବୁଣାକାରମାନଙ୍କୁ ଆବଶ୍ୟକତା ମୁତାବକ କାମ ମିଳିବା ସାଂଗକୁ ଅଂଚଳର ସଂସ୍କୃତି ସମୃଦ୍ଧ କରିବାରେ ଏହା ସହାୟକ ହୋଇପାରିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe