ସମ୍ବଲପୁରର ଶୀତଳଷଷ୍ଠୀ: ବାହା‌ବେଦିରେ ମହାଦେବ

Advertisment
ସମ୍ବଲପୁରର ଶୀତଳଷଷ୍ଠୀ: ବାହା‌ବେଦିରେ ମହାଦେବ

ସମ୍ବଲପୁର: ବାହାବେଦିରେ ଦେବ ଦେବ ମହାଦେବ। ଜଗଜ୍ଜନନୀ ପାର୍ବତୀଙ୍କ ସହିତ ଲୌକିକ ରୀତିରେ ଅନୁଷ୍ଠିତ ହୋଇଛି ବିବାହ। ଏହି ପବିତ୍ର ଦେବବିବାହ ଅବସରରେ ଭକ୍ତିଭାବନାରେ ବିଭୋର ହୋଇଛି ସମ୍ବଲପୁର ସହର। କନ୍ୟାପିତାମାତାମାନେ ମାତା ପାର୍ବତୀଙ୍କୁ ନିଜ ଝିଅ ଭାବେ କନ୍ୟାଦାନ କରି ଭାବବିହ୍ବଳ ହୋଇଯାଇଥିଲେ। ଏପଟେ ଦେବ ବିବାହ ଦେଖିବା ନିମନ୍ତେ ଦୂରାଦୂରାନ୍ତରୁ ଶ୍ରଦ୍ଧାଳୁଙ୍କ ସମ୍ବଲପୁରକୁ ସୁଅ ଛୁଟିଛି। ଭଗବାନଙ୍କ ବରାତି ଶୋଭାଯାତ୍ରା‌ ପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ କଳାକାରମାନଙ୍କ ଆଗମନ ହୋଇଛି।

ପବିତ୍ର ଅକ୍ଷୟ ତୃତୀୟ ଦିନ ଶିବାଳୟରୁ ଆଧ୍ୟାତ୍ମିକ ଓ ସାଂସ୍କୃତିକ ମହାକୁମ୍ଭ ଶୀତଳଷଷ୍ଠୀ ଯାତ୍ରା ପାଇଁ ଥାଳ ଉଠିଥିଲା। ପାରଂପରିକ ରୀତିନୀତି ଅନୁଯାୟୀ ଭଗବାନ ଶିବ ପାଇଁ କନ୍ୟା ଅନ୍ବେଷଣ ଓ ନିର୍ବନ୍ଧ କାର୍ଯ୍ୟକ୍ରମ ‘ପତରପେଣ୍ଡି’, ବିବାହରେ ସାମିଲ ହେବା ନିମନ୍ତେ ଦେବ ନିମନ୍ତ୍ରଣ କାର୍ଯ୍ୟ ସମାପନ ପରେ ଆଜି ଜ୍ୟେଷ୍ଠ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ସକାଳେ ‘ଗଣ୍ଠାଳଫିଟା’ ନୀତି ସଂପନ୍ନ ହୋଇଥିଲା। ଭଗବାନ ଶିବଙ୍କୁ ବରବେଶରେ ସଜ୍ଜିତ କରାଯାଇ ରାତି ସାଢ଼େ ୧୦ଟାରୁ ସାଢ଼େ ୧୧ଟା ମଧ୍ୟରେ ବିଭିନ୍ନ ପଡ଼ାର ମନ୍ଦିରଗୁଡ଼ିକରେ ମହାଆଳତି ପରେ ଭଗବାନ ଶିବଙ୍କ ବରାତି ଶୋଭାଯାତ୍ରା ବାହାରିଥିଲା।

ନନ୍ଦପଡ଼ା ବାବା ବଂ ବରାଡ଼ ବାଲୁଙ୍କେଶ୍ବର ବାବାଙ୍କ ବରାତି ଶୋଭାଯାତ୍ରା ଟାଉନ ହାଇସ୍କୁଲ ନିକଟରୁ ବିଭିନ୍ନ ଛକ ଦେଇ ଚାରଭାଟିସ୍ଥିତ କନ୍ୟାପିତା ସୁମନ୍ତ ପଣ୍ଡାଙ୍କ ବାସଭବନରେ ପହଂଚି ଥିଲା। କନ୍ୟାପକ୍ଷ ସେଠାରେ ଭବ୍ୟ ସ୍ବାଗତକରି ବରପକ୍ଷକୁ ପାଛୋଟି ନେଇଥିଲେ। ‌ଶୋଭାଯାତ୍ରାରେ ଦୁଲ୍‌ଦୁଲି ବାଜା, ଶବର ନାଚ, କାନ୍ତରା ନାଚ, ବାଘ ନାଚ, ଅଘୋରି ନାଚ, ରେକର୍ଡ ଡ୍ୟାନସ୍‌, ସଂପ୍ରଦା, ଘଣ୍ଟବାଦ୍ୟ ଆଦି ସାମିଲ ରହିଥିଲା। ଲୋକ କଳାକାରଙ୍କ ସହିତ ରାଜ୍ୟ ବାହାରୁ ଆସିଥିବା ନୃତ୍ୟାଙ୍ଗନାମାନେ ସେମାନଙ୍କ କଳା ପ୍ରଦର୍ଶନ କରିଥିଲେ। ଝାଡ଼ୁଆପଡ଼ାର ଲୋକନାଥ ବାବାଙ୍କ ବରାତି ଶୋଭାଯାତ୍ରା କୁଂଜେଲପଡ଼ା, ଝାଡ଼ୁଆପଡ଼ା, ଗୌରମଠ, ଗୁରୁପଡ଼ା, କଂସାରିପଡ଼ାରେ ପହଂଚିବା ପରେ କନ୍ୟାପିତା କ୍ରିକେଟର ଦେବାଶିଷ ମହାନ୍ତି ବରପକ୍ଷକୁ ସ୍ବାଗତ କରିବା ସହିତ ରୀତିନୀତି ଅନୁଯାୟୀ ବାହାଦେବୀକୁ ଭଗବାନ ଶିବକୁ ପାଛୋଟି ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe