ପ୍ରଚଣ୍ଡ ଖରା ସହ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ; ଦିନ ୨ଟା ୩୦ରେ ସମ୍ବଲପୁର ଓ ଝାରସୁଗୁଡ଼ାରେ ତାପମାତ୍ରା ୪୩.୨ ଡିଗ୍ରି ରେକର୍ଡ

ପ୍ରଚଣ୍ଡ ଖରା ସହ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ; ଦିନ ୨ଟା ୩୦ରେ ସମ୍ବଲପୁର ଓ ଝାରସୁଗୁଡ଼ାରେ ତାପମାତ୍ରା ୪୩.୨ ଡିଗ୍ରି ରେକର୍ଡ

ଭୁବନେଶ୍ବର: ରାଜ୍ୟରେ କାଳବୈଶାଖୀର ଦୁର୍ବଳତା ଯୋଗୁଁ ସାମାନ୍ୟ ବର୍ଷା ଏବଂ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଅନୁପସ୍ଥିତି କାରଣରୁ ନିଦାଘର ପ୍ରଭାବ ଜାରି ରହିଛି। ଜୁନ୍‌ ମାସର ଦ୍ବିତୀୟ ସପ୍ତାହ ଜାରି ଥିବା ବେଳେ ପ୍ରଚଣ୍ଡ ଖରା ସହିତ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପଶ୍ଚିମ ଓଡ଼ିଶାରେ ପ୍ରବଳ ଖରା ସହିତ ତତଲା ପବନ ଲୋକଙ୍କୁ କଲବଲ କରୁଥିବା ବେଳେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ନାହିଁ ନଥିବା କଷ୍ଟ ଦେଉଛି ଗୁଳୁଗୁଳି। ଏହାରି ଭିତରେ ଆଜି ଅପରାହ୍‌ଣ ୨ଟା ୩୦ ମିନିଟରେ ସମ୍ବଲପୁର ଏବଂ ଝାରସୁଗୁଡ଼ାର ତାପମାତ୍ରା ୪୩.୨ ଡିଗ୍ରି ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଏହି ସୂଚନା ଦିଆଯାଇଛି।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଜି ଅପରାହ୍‌ଣ ୨ଟା ୩୦ରେ ହୀରାକୁଦରେ ପାରା ୪୨.୪ ଡ଼ିଗ୍ରି ଛୁଇଁଛି। ସେହିପରି ଭୁବନେଶ୍ୱରରେ ୪୧.୮ ଡ଼ିଗ୍ରି, ଚାନ୍ଦବାଲିରେ ୩୯.୨ ଡ଼ିଗ୍ରି, କେନ୍ଦୁଝରରେ ୩୯ ଡ଼ିଗ୍ରି, ପୁରୀରେ ୩୬.୮ ଡ଼ିଗ୍ରି, ବାଲେଶ୍ୱରରେ ୩୬.୨ ଡ଼ିଗ୍ରି, ଗୋପାଳପୁରରେ ୩୬ ଡ଼ିଗ୍ରି ଓ ପାରାଦୀପରେ ପାରଦ ୩୪ ଡ଼ିଗ୍ରି ରହିଛି।

ଆଗାମୀ ୩ ଦିନ ଅର୍ଥାତ ୧୪ ତାରିଖ ଯାଏ ତାତିରୁ ନିସ୍ତାର ନାହିଁ ବୋଲି ପାଣିପାଗ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି। ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାର ତାପମାତ୍ରା ସ୍ବାଭାବିକଠୁ ୬ ରୁ ୭ ଡିଗ୍ରି ଅଧିକ ରହିବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଵିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି, କାଳବୈଶାଖୀର ପ୍ରଭାବ ବିଶେଷ ନଥିବାରୁ ତାପମାତ୍ରା ବୃଦ୍ଧି ପାଉଛି। ଅନ୍ୟପଟେ ପ୍ରାକ ମୌସୁମୀ ବର୍ଷାର ଅଭାବ ପାଇଁ ମଧ୍ୟ ତାପମାତ୍ରା ଜୁନ ମାସରେ ଅଧିକ ରହିଛି। ଆରବ ସାଗରରେ ଥିବା ବାତ୍ୟା ବିପର୍ଯ୍ୟୟ ଉପକୂଳ ମୁହାଁ ହେଲେ ଜଳୀୟବାଷ୍ପ କିଛି ଓଡ଼ିଶା ମୁହାଁ ହେବାର ସମ୍ଭାବନା ରହିଛି । ସେପରି ହେଲେ ରାଜ୍ୟରେ ସାମାନ୍ୟ ତାପମାତ୍ରା ପରିବର୍ତ୍ତନ ହୋଇପାରେ। ଉପକୂଳରେ ଦିନ ସମୟରେ ୫୦ ପ୍ରତିଶତରୁ ଅଧିକ ଆର୍ଦ୍ରତା ରହୁଛି, ଯାହା ଫଳରେ ଅତ୍ୟଧିକ ଗୁଳୁଗୁଳି ଅନୁଭୂତ ହେଉଛି। ତାମିଲନାଡୁ, କର୍ଣ୍ଣାଟକ ଭଳି କିଛି ଅଞ୍ଚଳକୁ ମୌସୁମୀ ଅଗ୍ରସର ହେଉଛି। ଓଡ଼ିଶା ଛୁଇଁବା ନେଇ କୌଣସି ଆକଳନ ଜାରି କରାଯାଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe