ଝାରସୁଗୁଡ଼ା କଂଗ୍ରେସରେ ସମାନ ଦୃଶ୍ୟ: ପରାଜୟ ପରେ ନେତା ଗାଏବ୍‌

୧୫ରେ କଂଗ୍ରେସର ନିର୍ବାଚନୀ ଇସ୍ତାହାର ଘୋଷଣା

ଝାରସୁଗୁଡ଼ା: ଏକଦା କଂଗ୍ରେସର ଗଡ଼ କୁହାଯାଉଥିବା ଝାରସୁଗୁଡ଼ା ଜିଲ୍ଲାରେ ଏବେ କଂଗ୍ରେସକୁ ଲଗାତାର ପରାଜୟର ସାମ୍ନା କରିବାକୁ ପଡ଼ୁଛି। ନିର୍ବାଚନ ସମୟରେ ଯେଉଁ ନେତାଙ୍କୁ ବି ଦଳ ଟିକେଟ ଦେଉଛି, ନିର୍ବାଚନ ଶେଷ ହେବାପରେ ସେମାନଙ୍କୁ ଆଉ ଦେଖିବାକୁ ମିଳୁନି। ଏଭଳି ସ୍ଥିତିରେ ଜିଲ୍ଲା କଂଗ୍ରେସର ନବକଳେବର ଜରୁରି ବୋଲି ଦଳୀୟ କର୍ମୀ ମହଲରେ ଆଲୋଚିତ ହେଉଛି।

ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀର ଇତିହାସକୁ ଦେଖିଲେ ୨୦୧୪ ସାଧାରଣ ନିର୍ବାଚନ ଯାଏ ଏଠାରେ କଂଗ୍ରେସର ସ୍ଥିତି ବେଶ୍‌ ମଜବୁତ ରହିଥିଲା। ଏପରିକି ୨୦୦୯ ଓ ୨୦୧୪ ମସିହାରେ କଂଗ୍ରେସ ପ୍ରାର୍ଥୀ ନବ କିଶୋର ଦାସ ଲଗାତାର ୨ ଥର ବିଜୟୀ ମଧ୍ୟ ହୋଇଥିଲେ। କିନ୍ତୁ ଶ୍ରୀ ଦାସ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ୍‌ ହେବାପରଠାରୁ ଜିଲ୍ଲା କଂଗ୍ରେସର ସ୍ଥିତି ଦୟନୀୟ ହେବାରେ ଲାଗିଛି। ୨୦୧୯ ମସିହା ନିର୍ବାଚନରେ କଂଗ୍ରେସ ୧୮,୮୨୩ ଖଣ୍ଡ ଭୋଟ୍‌ ପାଇଥିବା ‌ବେଳେ ୨୦୨୩ ଉପ ନିର୍ବାଚନ ବେଳକୁ ଏହା ୪୪୯୬କୁ ଖସି ଆସିଥିଲା। ୨୦୧୯ ନିର୍ବାଚନରେ ପରାଜୟ ପରେ କଂଗ୍ରେସ ପ୍ରାର୍ଥୀ ଥିବା ମହେନ୍ଦ୍ର ନାଏକ ବିଜେଡ଼ିରେ ସାମିଲ୍‌ ହୋଇଯାଇଥିଲେ। ୨୦୨୩ ଉପ ନିର୍ବାଚନରେ ପରାଜୟ ପରେ ତରୁଣ ପାଣ୍ଡେଙ୍କୁ ବି ଆଉ ଦଳରେ ସେତେଟା ଗୁରୁତ୍ବ ମିଳିପାରିନି। ୨୦୨୪ ସାଧାରଣ ନିର୍ବାଚନରେ ବି ଦଳକୁ ୫୫୭୫ ଖଣ୍ଡ ଭୋଟ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଏହି ନିର୍ବାଚନରେ ବି ହାର୍‌ ପରେ ପ୍ରାର୍ଥୀ ଅମିତା ବିଶ୍ବାଳ ଆସି ସାମ୍ବା‌ଦିକ ସମ୍ମିଳନୀ କରିବାପରେ ଆଉ ଝାରସୁଗୁଡ଼ା ମାଟି ମାଡ଼ିନାହାନ୍ତି।

ସେପଟେ, ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ୨୦୦୯ ମସିହା ଯାଏ କଂଗ୍ରେସ ନିଜର ଗଡ଼ ରକ୍ଷା କରିବାରେ ସଫଳ ହୋଇଥିଲା। ମାତ୍ର ଏହା ପରଠାରୁ ଦଳ ଥରୁଟିଏ ପାଇଁ ବି ବିଜୟ ହାସଲ କରିପାରିନି। ୨୦୧୪ରେ କଂଗ୍ରେସ ଟିକେଟରୁ ଲଢିଥିବା କିଶୋର ପଟେଲ ମାତ୍ର ୨୦ ପ୍ରତିଶତ ଭୋଟ୍‌ ପାଇ ତୃତୀୟ ସ୍ଥାନରେ ରହିଥିଲେ। ୨୦୧୯ରେ ଦଳ ଏହି ନିର୍ବାଚନମଣ୍ଡଳୀରେ ଆଉ ପ୍ରାର୍ଥୀ ଦେଇନଥିଲା। ୨୦୨୨ରେ ହୋଇଥିବା ଉପ ନିର୍ବାଚନରେ ଶ୍ରୀ ପଟେଲ ପୁଣିଥରେ ପ୍ରତିଦ୍ବନ୍ଦ୍ବିତା କରି ଦ୍ବିତୀୟ ସ୍ଥାନରେ ରହିଥିଲେ। ୨୦୨୪ ସାଧାରଣ ନିର୍ବାଚନ ତାଙ୍କର ଶେଷ ନିର୍ବାଚନ ବୋଲି ଘୋଷଣା କରିବା ସତ୍ତ୍ବେ ଶ୍ରୀ ପଟେଲ ତୃତୀୟ ସ୍ଥାନରେ ରହିଛନ୍ତି। ତେବେ ନିର୍ବାଚନ ଫଳାଫଳ ଘୋଷଣା ପରଠାରୁ ଶ୍ରୀ ପଟେଲଙ୍କୁ ମଧ୍ୟ ଆଉ ବ୍ରଜରାଜନଗରରେ ଦେଖିବାକୁ ମିଳୁନି। ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀର ପରାଜୟ ପଛରେ ଜିଲ୍ଲା ସଭାପତିଙ୍କର ଅସହଯୋଗ ବି ଏକ କାରଣ ବୋଲି ଖୋଦ୍‌ ପ୍ରାର୍ଥୀ ଶ୍ରୀମତୀ ବିଶ୍ବାଳ ଅଭିଯୋଗ କରିଥିଲେ। ଏନେଇ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ପ୍ରଧାନଙ୍କୁ ପଚାରିବାରେ, କିଛିଦିନ ଭିତରେ ଜିଲ୍ଲା କଂଗ୍ରେସର ବୈଠକ ହୋଇ ପରାଜୟର କାରଣ ସମ୍ପର୍କରେ ସମୀକ୍ଷା ହେବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe