ଓଡ଼ିଶାବାସୀଙ୍କ ମନରେ ସାହସ ଆଣିଲା ସୁଦର୍ଶନଙ୍କ ବାଲୁକା କଳା; ଦେଖିବା ପରେ କହିଲେ, ‘ଡର କାହାକୁ... କାଳିଆ ଅଛି...’

Advertisment
ଓଡ଼ିଶାବାସୀଙ୍କ ମନରେ ସାହସ ଆଣିଲା ସୁଦର୍ଶନଙ୍କ ବାଲୁକା କଳା; ଦେଖିବା ପରେ କହିଲେ, ‘ଡର କାହାକୁ... କାଳିଆ ଅଛି...’

ପୁରୀ: ଚକ୍ରବାତ (ସାମୁଦ୍ରିକ ଘୂର୍ଣ୍ଣିଝଡ଼) ‘ଫନି’କୁ ନେଇ ଏବେ ସମଗ୍ର ଓଡ଼ିଶାବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି। ‘ଫନି’ ପୂର୍ବରୁ ଓଡ଼ିଶାବାସୀ ବିଗତ ତିନି ବର୍ଷ ମଧ୍ୟରେ ଅନ୍ୟ ଦୁଇଟି ଚକ୍ରବାତ ‘ଫାଇଲିନ୍‌’ ଓ ‘ତିତ୍‌ଲି’କୁ ମଧ୍ୟ ସାମନା କରିଛନ୍ତି। ଏହି ପରିପ୍ରେକ୍ଷୀରେ ପାଣିପାଗ ବିଶାରଦମାନେ କହୁଛନ୍ତି ଯେ ଆସନ୍ତାକାଲି (ଶୁକ୍ରବାର) ସକାଳ ୮ଟାରୁ ୧୦ଟା ମଧ୍ୟରେ ପୁରୀ ଉପକୂଳ ଦେଇ ଅତିକ୍ରମ କରିବାକୁ ଥିବା ଚକ୍ରବାତ ‘ଫନି’ର ଭୀଷଣତା ଓ ପ୍ରଭାବ ‘ତିତ୍‌ଲି’ ଠାରୁ ଅଧିକ ଓ ‘ଫାଇଲିନ୍‌’ ଠାରୁ କମ୍‌ ରହିବ।

ଏହା ପୂର୍ବରୁ ରାଜ୍ୟବାସୀ ୧୯୯୯ରେ ‘ମହାବାତ୍ୟା’କୁ ମଧ୍ୟ ସାହସର ସହ ସାମନା କରିଛନ୍ତି। କୁହାଯାଏ ୧୯୯୯ର ମହାବାତ୍ୟା ଥିଲା ସମଗ୍ର ବିଶ୍ୱ ସାମନା କରିଥିବା ସମସ୍ତ ଚକ୍ରବାତ ବା ସାମୁଦ୍ରିକ ଘୂର୍ଣ୍ଣିଝଡ଼ ମଧ୍ୟରେ ସବୁଠାରୁ କରାଳ ଓ ଭୟଙ୍କର।

ତେବେ, ଗୁରୁତ୍ୱପୂର୍ଣ୍ଣ ହେଲା ଏଯାବତ୍‌ ଓଡ଼ିଶାକୁ ମାଡ଼ କରିଥିବା ସମସ୍ତ ଚକ୍ରବାତ ଓଡ଼ିଶା ଉପକୂଳର ଗୋପାଳପୁର, ପାରାଦୀପ, ଚାନ୍ଦବାଲି ଅଥବା ଧାମରା ଉପକୂଳ ଦେଇ ରାଜ୍ୟ ଉପକୂଳକୁ ଅତିକ୍ରମ କରିଥିଲା। କ୍ୱଚିତ୍‌ ଚକ୍ରବାତ ପୁରୀ ଓ ଚନ୍ଦ୍ରଭାଗା ଉପକୂଳ ଦେଇ ଅତିକ୍ରମ କରିଥାଏ। ତେବେ, ଚଳିତ ଚକ୍ରବାତ ‘ଫନି’ ଜଗନ୍ନାଥ ଧାମ ପୁରୀ ଉପକୂଳ ଦେଇ ଅତିକ୍ରମ କରିବାକୁ ଥିବାରୁ ସ୍ୱାଭାବିକ ଭାବେ ଓଡ଼ିଶା ବାସୀ ଟିକିଏ ଅଧିିକ ମାତ୍ରାରେ ଭୟଭୀତ ହୋଇ ପଡ଼ିଛନ୍ତି। ପୁଣି, ଏହି ଚକ୍ରବାତର ନାମକରଣ ‘ଫନି’ ବୋଲି କରିଛି ବାଂଲାଦେଶ। ଯାହାର ଅର୍ଥ ହେଉଛି ସାପର ଫଣା।


ଏହି ପରିପ୍ରେକ୍ଷୀରେ ପଦ୍ମ ପୁରସ୍କାର ପ୍ରାପ୍ତ ବିଶ୍ୱ ପ୍ରସିଦ୍ଧ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆଜି ପୁରୀ ବେଳାଭୂମିରେ ଚକ୍ରବାତ ‘ଫନି’କୁ ଆଧାର କରି ଏକ ସଦୃଶ୍ୟ ବାଲୁକାକଳା କରିଛନ୍ତି। ସେ ତାଙ୍କର ଏହି ବାଲୁକାକଳା ମାଧ୍ୟମରେ ରାଜ୍ୟବାସୀଙ୍କୁ ଭୟଭୀତ ନ ହୋଇ ସାହସର ସହ ‘ଫନି’ର ସାମନା କରିବାକୁ ପରାମର୍ଶ ଦେବା ସହ ରାଜ୍ୟବାସୀଙ୍କର ସୁରକ୍ଷା କାମନା କରିଛନ୍ତି। ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଏ ଶ୍ରମ ମଧ୍ୟ ବୃଥା ଯାଇନାହିଁ। ଏହି ବାଲୁକା କଳାକୁ ଦେଖିବା ପରେ ରାଜ୍ୟବାସୀ ଭୟଭୀତ ଥିଲେ ସୁଦ୍ଧା ସାହସ ନ ହରାଇ କହୁଛନ୍ତି, ‘ଡର କାହାକୁ, ଭୟ କାହାକୁ; କାଳିଆ ଅଛି ଚଉ ବାହାକୁ’।...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe