ବାଲି ଉଠାଣକୁ ବିରୋଧ କରିବାରୁ... ଗ୍ରାମବାସୀଙ୍କୁ ପିଟିଲେ ବାଲିମାଫିଆ

ବାଲେଶ୍ବର ଜିଲ୍ଲା ଜଳେଶ୍ୱର ସହର ଉପକଣ୍ଠ ସେକ୍‌ବାଡ଼ ସ୍ମାର୍ଟପାର୍କ ନିକଟ ସୁବର୍ଣ୍ଣରେଖା ନଦୀରୁ ବାଲି ଉତ୍ତୋଳନକୁ ବିରୋଧ କରିବାରୁ ବାଲି ମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଗ୍ରାମବାସୀ।

attack

ଜଳେଶ୍ୱର: ବାଲେଶ୍ବର ଜିଲ୍ଲା ଜଳେଶ୍ୱର ସହର ଉପକଣ୍ଠ ସେକ୍‌ବାଡ଼ ସ୍ମାର୍ଟପାର୍କ ନିକଟ ସୁବର୍ଣ୍ଣରେଖା ନଦୀରୁ ବାଲି ଉତ୍ତୋଳନକୁ ବିରୋଧ କରିବାରୁ ବାଲି ମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଗ୍ରାମବାସୀ। ତହସିଲଦାରଙ୍କ ସମ୍ମୁଖରେ ବାଲିମାଫିଆ ଲୋକଙ୍କୁ ନିସ୍ତୁକ ପିଟିଛନ୍ତି। ଆକ୍ରମଣରେ ଜଳେଶ୍ବର ପୌରପାଳିକାର ୨ନମ୍ବର ୱାର୍ଡ କାଉନସିଲର ସୂରଜ ଚୌରାସିଆଙ୍କ ସମେତ ରାଜେଶ ସାମନ୍ତ, ନରେନ୍ଦ୍ରକୃଷ୍ଣ କଟାଲ, ନନ୍ଦ କୁମାର କଟାଲ, କମଲ ପାଳ, ଗ୍ରାମ୍ୟ ମୁଖ୍ୟ ଭଗୀରଥ ନାୟକ, କାର୍ତ୍ତିକଲାଲ ମାଇତି ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ସ୍ଥାନୀୟ ଜିକେ ଭଟ୍ଟର ମେଡିକାଲରେ ଭର୍ତ୍ତି କରାଯାଇଛି। ଆଜି ଜେସିବି ସାହାଯ୍ୟରେ ସେକ୍‌ବାଡ ସ୍ମାର୍ଟପାର୍କ ସନ୍ନିକଟ ସୁବର୍ଣ୍ଣରେଖା ନଦୀଗର୍ଭରୁ ବାଲି ଉତ୍ତୋଳନ ହେଉଥିବା ଜାଣି କାଉନସିଲର ସୂରଜ ଚୌରାସିଆଙ୍କ ସମେତ କେତେକ ଗ୍ରାମବାସୀ ଜଳେଶ୍ୱର ତହସିଲଦାର ସତ୍ୟଜିତ ମହାନ୍ତିଙ୍କୁ ଫୋନ୍‌ରେ ଜଣାଇଥିଲେ। ଖବରପାଇ ତହସିଲଦାର ଶ୍ରୀ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି କାଉନସିଲର ଶ୍ରୀ ଚୌରାସିଆଙ୍କ ସମେତ ଅନ୍ୟ ଗ୍ରାମବାସୀଙ୍କୁ ଡାକିଥିଲେ।

କାଉନ୍‌ସିଲରଙ୍କ ସମେତ ୭ ଗୁରୁତର

ତହସିଲଦାରଙ୍କ ସମେତ ଗ୍ରାମବାସୀ ଘଟଣାସ୍ଥଳ ପରିଦର୍ଶନ କରି ଫେରୁଥିବା ବେଳେ ୧୫ଜଣରୁ ଅଧିକ ବାଲିମାଫିଆ ପହଞ୍ଚି କାଉନସିଲର ଶ୍ରୀ ମହାନ୍ତିଙ୍କ ସମେତ ଗ୍ରାମବାସୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ନିସ୍ତୁକ ପିଟିଥିଲେ। ଫଳରେ ଶ୍ରୀ ଚୌରାସିଆଙ୍କ ସମେତ ଗ୍ରାମର ୭ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ଗ୍ରାମବାସୀ ଜଳେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି। ତହସିଲଦାର ଶ୍ରୀ ମହାନ୍ତି ମଧ୍ୟ ପୁଲିସ ନିକଟରେ ଲିଖିତ ବୟାନ ରଖିଛନ୍ତି। ଏନେଇ ପୁଲିସ ତନାଘନା ଜାରି ରଖିଥିବା ବେଳେ ଖବର ଲେଖାହେବା ଯାଏଁ ମାମଲା ରୁଜୁ ହୋଇ ନଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, କ୍ରମାଗତ ବାଲି ଉତ୍ତୋଳନ ଯୋଗୁଁ ନଦୀବନ୍ଧ ଦୁର୍ବଳ ହେବା ସହିତ ନଈକୂଳିଆ ଲୋକଙ୍କ ପାଇଁ ବିପଦ ସୃଷ୍ଟି ‌ହେଉଛି। ଏହି କାରଣରୁ ବାଲି ଉତ୍ତୋଳନକୁ ଲୋକେ ବିରୋଧ କରୁଥିବା ବେଳେ ମାଫିଆଙ୍କ ଆକ୍ରୋଶର ଶିକାର ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe