ବାରିପଦା: ବାଲି ପାଇଁ ବୁଢ଼ାବଳଙ୍ଗ ନଦୀକୁ ମାଫିଆ ବିଦାରି ପକାଇଲେଣି। ବଡ଼ସାହି ବ୍ଲକ୍ର କୋଚିଲାଖୁଣ୍ଟା ପଞ୍ଚାୟତର ବାଗୁଲି, ପାଇକପଡ଼ା ଓ ବେଲପାଳ ସନ୍ନିକଟ ବୁଢ଼ାବଳଙ୍ଗ ନଦୀଗର୍ଭରୁ ବେଆଇନ ବାଲି ଉତ୍ତୋଳନ କରାଯାଉଛି। ସପ୍ତାହେ ହେଲା ନଦୀରେ ୩ କିମି ଲମ୍ବର ବିସ୍ତୀର୍ଣ୍ଣ ବାଲିବନ୍ଧ କରି ଜଳ ପ୍ରବାହକୁ ରୋକାଯାଇଛି। ନଦୀର ବିଭିନ୍ନ ସ୍ଥାନରେ ଗଦାଗଦା ବାଲି ଗଚ୍ଛିତ କରି ରଖାଯାଇଛି। ବ୍ୟାପକ ବାଲିଲୁଟ୍ ଚାଲିଥିବା ବେଳେ ଖଣି, ରାଜସ୍ବ ବିଭାଗ ଓ ସ୍ଥାନୀୟ ପୁଲିସ ଆଖି ବୁଜିଦେଇଛି। ସାତଦିନ ହେଲା ବାଲିବନ୍ଧ ପକାଯାଇଥିବାରୁ ନଦୀର ଜଳ ତଳମୁଣ୍ଡକୁ ଯାଉନି। ଫଳରେ, ନଦୀ ଉପରେ ନିର୍ଭର କରି ଚାଷବାସ କରୁଥିବା ହଜାର ହଜାର ଚାଷୀ ସମସ୍ୟାରେ ପଡ଼ିଛନ୍ତି।
ଆଇନଜୀବୀ ଶଙ୍କର ପ୍ରସାଦ ପାଣି କହିଛନ୍ତି, କୋର୍ଟଙ୍କ ନିର୍ଦ୍ଦେଶ ଓ ଲଘୁ ଖଣିଜ ବିଭାଗର ମାର୍ଗଦର୍ଶିକା ଅନୁଯାୟୀ ବେଆଇନ ବାଲି ଖନନ, ଚୋରି ଓ ପରିବହନ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ବ୍ୟବସ୍ଥା ରହିଛି। କେବଳ ଲିଜ୍ଧାରୀଙ୍କ କ୍ଷେତ୍ରରେ ଜରିମାନା କିମ୍ବା ମାମଲା ସମ୍ପର୍କରେ ବିଭାଗୀୟ ନିଷ୍ପତ୍ତି ନେବାର ବ୍ୟବସ୍ଥା ରହିଛି। ଖଣି ଅଧିକାରୀ ଆଇନ ସମ୍ପର୍କରେ ଜାଣିଥିଲେ ମଧ୍ୟ ମାଫିଆଙ୍କୁ ପ୍ରୋତ୍ସାହନ ଯୋଗାଉଛନ୍ତି ବୋଲି ଶ୍ରୀ ପାଣି ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି। କଂଗ୍ରେସ ନେତା ପ୍ରମୋଦ କୁମାର ହେମ୍ବ୍ରମଙ୍କ ସହ ଅଞ୍ଚଳବାସୀ ଜିଲ୍ଲାପାଳଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରିଥିବା କହିଛନ୍ତି। ଜିଲ୍ଲା ଲଘୁ ଖଣିଜ ଅଧିକାରୀ ଉଦୟଭାନୁ ସାହୁ କହିଛନ୍ତି, ୧୪ ତାରିଖରେ ବଡ଼ସାହି ଥାନାରେ ଏନେଇ କନିଷ୍ଠ ଖଣି ଅଧିକାରୀ ଭବାନୀ ଶଙ୍କର ପାତ୍ର ଏକ ଏତଲା ଦେଇଛନ୍ତି। ପୁଲିସ ଏକ ମାମଲା ରୁଜୁ କରିଛି।
Follow Us