ଆନ୍ଧ୍ରକୁ ବାଲି ଚୋରା ଚାଲାଣ ଘଟଣା: ତଦନ୍ତ ନିର୍ଦେଶ ଦେଲେ ରାଜସ୍ବ ସଚିବ

Advertisment

ଲିଜ୍ ଅଞ୍ଚଳରେ ସ୍ଥିତି ସମୀକ୍ଷା କଲେ ଉପଜିଲ୍ଲାପାଳ, ବେଆଇନ ଖନନ ନେଇ ଖୋଳତାଡ଼, ଲିଜ୍ ବାତିଲ୍ ଦାବି

ଲିଜ୍ ଅଞ୍ଚଳରେ ସ୍ଥିତି ସମୀକ୍ଷା କଲେ ଉପଜିଲ୍ଲାପାଳ, ବେଆଇନ ଖନନ ନେଇ ଖୋଳତାଡ଼, ଲିଜ୍ ବାତିଲ୍ ଦାବି

ଆନ୍ଧ୍ରକୁ ବାଲି ଚୋରା ଚାଲାଣ ଘଟଣା: ତଦନ୍ତ ନିର୍ଦେଶ ଦେଲେ ରାଜସ୍ବ ସଚିବ

ରାୟଗଡ଼ା: ଆନ୍ଧ୍ରକୁ ବେଆଇନ ବାଲି ଚାଲାଣ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ରାଜସ୍ବ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ। ୨୪ ଘଣ୍ଟା ମଧ୍ୟରେ ଉପଜିଲ୍ଲାପାଳ ଓ ତହସିଲଦାର ମିଳିତ ଭାବେ ଲିଜ୍ ଅଞ୍ଚଳ ପରିଦର୍ଶନ କରି ରିପୋର୍ଟ ଦେବାକୁ ସଚିବ କହିଛନ୍ତି। ଲିଜ୍ ଚୁକ୍ତିନାମା ପରଠୁ ଆଜି ପର୍ଯ୍ୟନ୍ତ କେତେ ବାଲି ଉଠିଛି, କେଉଁ ଅଞ୍ଚଳକୁ ଚାଲାଣ ହୋଇଛି ତାର ସବିଶେଷ ତଥ୍ୟ ପ୍ରଦାନ କରିବାକୁ ତଦନ୍ତ ନିର୍ଦେଶରେ ଉଲ୍ଲେଖ ରହିଛି।

ଆନ୍ଧ୍ରକୁ ବାଲି ‌ଚୋରା ଚାଲାଣ ସଂପର୍କିତ ଖବର ଗଣମାଧ୍ୟମରେ ପ୍ରକାଶ ପରେ ବିଭାଗୀୟ ସଚିବ ତତ୍ପରତା ପ୍ରକାଶ କରି ତଦନ୍ତ କରିବାକୁ ରାୟଗଡ଼ା ଉପଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି। ସଚିବଙ୍କ ନିର୍ଦେଶ ପରେ ଆଜି ଅପରାହଣ୍ ୪ଟାରେ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ତହସିଲଦାର ଉମାଶଙ୍କର ବେହେରା ଖିଲିମିସିଗୁଡା ବାଲିଘାଟ ପରିଦର୍ଶନ କରିଥିଲେ। ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ପହଞ୍ଚିବା ପୂର୍ବରୁ ଲିଜଧାରୀ ନଦୀଶର୍ଯ୍ୟାରେ ଉପସ୍ଥିତ ଥିଲେ।

ଲିଜ୍ ଅଞ୍ଚଳରେ ଉତ୍ତୋଳନ ପାଇଁ ବାଲି ନଥିବାରୁ ଲିଜ୍ ଅଞ୍ଚଳ ବାହାରେ ଲିଜଧାରୀ ବାଲି ଉତ୍ତୋଳନ କରୁଥିବା ତଦନ୍ତ ସମୟରେ ଜଣା ପଡିଥିଲା। ଏପରିକି ବର୍ତ୍ତମାନ ବାଲି ଉଠୁଥିବା ସ୍ଥାନରୁ ୩୦୦ ମିଟର ଦୂରରେ ପୋଲ ନିର୍ମାଣ ହୋଇଛି। ପୋଲର ସୁରକ୍ଷା ଦୃଷ୍ଟିକୋଣରୁ ପୋଲ ନିକଟରୁ ୫୦୦ ମିଟର ଦୂର ପର୍ଯ୍ୟନ୍ତ ବାଲି ନ ଉଠାଇବାର ନିୟମ ରହିଛି। କିନ୍ତୁ ଲିଜଧାରୀ ସମସ୍ତ ନୀତି ନିୟମକୁ ଉଲ୍ଲଂଘନ କରି ରାଜସ୍ବ ବିଭାଗ ଅଧିକାରୀଙ୍କ ମୋଟା ଅଙ୍କର ଉତ୍କୋଚ ଦେଇ ଉତ୍ତୋଳନ ଜାରି ରଖିଛନ୍ତି। ତାହା ପୁଣି ଜେସିବି ମାଧ୍ୟମରେ। ନଦୀଶର୍ଯ୍ୟାରେ ବାଲିନଥିବାରୁ ଲିଜଧାରୀ ଜେସିବି ସାହାର୍ଯ୍ୟରେ ନଦୀଗର୍ଭରୁ ବାଲି ଉତ୍ତୋଳନ କରି ଟ୍ରକ୍, ଟିପର ଜରିଆରେ ଆନ୍ଧ୍ରକୁ ଚାଲାଣ କରୁଛନ୍ତି। ଯାହାର ସମସ୍ତ ତଥ୍ୟ ଆଜି ତଦନ୍ତକାରୀ ଟିମ୍ ଅନୁଧ୍ୟାନ କରିଛନ୍ତି।

ତେବେ ତଦନ୍ତକାରୀ ଟିମ୍ ପହଞ୍ଚିବା ପୂର୍ବରୁ ଲିଜଧାରୀ ଚତୁରତାର ସହ ନଦୀଗର୍ଭରୁ ଜେସିବି ମେସିନକୁ ସ୍ଥାନାନ୍ତର କରିବା ସହ ଉତ୍ତୋଳନକୁ ବନ୍ଦ କରି ଦେଇଥିଲେ। ଫଳରେ ଜେସିବି ମେସିନ୍ ଓ ଟ୍ରକ୍, ଟିପରରେ ବାଲି ଚାଲାଣ ସଂପର୍କରେ ତଦନ୍ତକାରୀ ଟିମକୁ କୌଣସି ସୁରାକ୍ ମିଳିନଥିଲା। ଯାହା ବିଭାଗୀୟ ଅଧିକାରୀଙ୍କୁ ଖସାଇବାରେ ସହାୟକ ହେବ ବୋଲି ଚର୍ଚ୍ଚା ହେଉଛି। ସେହିପରି ଲିଜଧାରୀଙ୍କୁ ପ୍ରଦାନ କରାଯାଇଥିବା ୱାଇ ଫର୍ମକୁ ମଧ୍ୟ ଯାଞ୍ଚ କରିଥିଲେ ଉପଜିଲ୍ଲାପାଳ। ହେଲେ ଲିଜଧାରୀ ଚଞ୍ଚକତାର ସହ ବାଲି ଚୋରା ଚାଲାଣ ପାଇଁ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ୱାଇ ଫର୍ମ ବ୍ୟବହାର କରିଥିବାରୁ ରାୟଗଡ଼ା ତହସିଲ ପକ୍ଷରୁ ପ୍ରଦାନ କରାଯାଇଥିବା ୱାଇ ଫର୍ମର ଅନିୟମିତତା ସଂପର୍କରେ ତଦନ୍ତକାରୀ ଟିମକୁ ବିଶେଷ ସଫଳତା ମିଳିନପାରେ।

ସୂଚନାଯୋଗ୍ୟ,  ଏହା ପୂର୍ବରୁ ବେହେରାଗୁଡା, ଗୁଣପୁର ଉପଖଣ୍ଡର ଭାମିନି ନଦୀଶର୍ଯ୍ୟାରୁ ମଧ୍ୟ ବେଆଇନ ବାଲି ଉତ୍ତୋଳନର ତଦନ୍ତ ନିର୍ଦେଶ ହୋଇଥିଲା। କିନ୍ତୁ ଉଭୟ ତଦନ୍ତକୁ ବିଭାଗୀୟ ଅଧିକାରୀ ବାଟବଣା କରି ଲିଜଧାରୀଙ୍କୁ ସୁହାଇବା ଭଳି ରିପୋର୍ଟ ସଚିବଙ୍କୁ ଦେଇଥିଲେ। ଯାହା ଫଳରେ ଲିଜଧାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହୋଇପାରିନି। ଭାମିନି ନଦୀଶର୍ଯ୍ୟା ଲିଜଧାରୀଙ୍କ ଲିଜକୁ ରାଜସ୍ବ ବିଭାଗ ବାତିଲ୍ କରି ଦେଇଥିବା ବେଳେ ରାୟଗଡ଼ା ତହସିଲର ବେହେରାଗୁଡାରୁ ଏବେ ମଧ୍ୟ ବାଲି ଉ‌ତ୍ତୋଳନ ଜାରି ରହିଛି। ପ୍ରକାଶଥାଉକି, ରାୟଗଡ଼ା ତହସିଲ ଖିଲିମିସିଗୁଡା ବାଲିଘାଟ ୫ ବର୍ଷ ପାଇଁ ଲିଜ୍ ଦିଆଯାଇଛି। ୫ ବର୍ଷରେ ଲିଜଧାରୀ  ୪୨ ହଜାର ୮୭୩ କ୍ୟୁବିକ ମିଟର ବାଲି ଉଠାଇବାକୁ ଚୁକ୍ତି ହୋଇଥିବା ବେଳେ ସବୁ ନୀତି ନିୟମକୁ ଉଲ୍ଲଂଘନ କରି ଦୁଇ ବର୍ଷରେ ଲିଜଧାରୀ ୨୦ ହଜାର କ୍ୟୁବିକ ମିଟର ବାଲି ଉଠାଇ‌ ନେଇଥିବା ନେଇ ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe