ବିନା ଲିଜ୍‌ରେ ବାଲି ଚାଲାଣ; ସନ୍ଦେହ ଘେରରେ ତହସିଲ ସୁପରଭାଇଜର

Advertisment

ଟ୍ରାକ୍ଟର ପିଛା ନିଆଯାଉଛି ୫୦୦ ଟଙ୍କା ହାତଗୁଞ୍ଜା

ଟ୍ରାକ୍ଟର ପିଛା ନିଆଯାଉଛି ୫୦୦ ଟଙ୍କା ହାତଗୁଞ୍ଜା

ବିନା ଲିଜ୍‌ରେ ବାଲି ଚାଲାଣ; ସନ୍ଦେହ ଘେରରେ ତହସିଲ ସୁପରଭାଇଜର

ରାଉରକେଲା: ଏଣିକି ବାଲିଘାଟ, ପଥର ଖାଦାନଗୁଡ଼ିକ ପରିଚାଳନା କରିବ ଖଣି ବିଭାଗ। ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇବା ପରଠୁ ଗୋଟିଏ ପରେ ଗୋଟିଏ ପଥର ଖାଦାନ ଓ ବାଲିଘାଟଗୁଡ଼ିକୁ ଖଣି ବିଭାଗକୁ ହସ୍ତାନ୍ତର ହେଉଛି। ମାତ୍ର ପୂର୍ବରୁ ନିଲାମ ହୋଇଥିବା ଓ ନିଲାମ ହୋଇନଥିବା କିଛି ବାଲିଘାଟରେ ସ୍ଥାନୀୟ ତହସିଲ ସୁପରଭାଇଜର ଓ ଆର୍‌ଆଇ ଦ୍ବାରା ପରିଚାଳନା ହେଉଛି। ଯେଉଁଗୁଡ଼ିକ ନିଲାମ ହୋଇନି, ତା ଭିତିରି ସଲାସୁତୁରା ଚାଲିଛି। ଦୈନିକ ଶହ ଶହ ଟ୍ରାକ୍ଟର ବାଲି ଉଠାଣ ହେଉଛି। ଏସବୁ ବାଲିଘାଟରୁ ସରକାର ଟଙ୍କାଟିଏ ରାଜସ୍ବ ପାଉନାହାନ୍ତି। ବରଂ ରୟାଲିଟି ଆଳରେ ଟ୍ରାକ୍ଟର ପିଛା ନିଆଯାଉଥିବା ୫୦୦ ଟଙ୍କା। ଏହି ଟଙ୍କା ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ପକେଟକୁ ଯାଉଛି।

ଅଧିକାରୀଙ୍କ ଏଜେଣ୍ଟ ସାଜିଛନ୍ତି ସ୍ଥାନୀୟ ଅଞ୍ଚଳର କିଛି କରିତକର୍ମା ରାଜନୈତିକ ଦଳର ନେତା। ​ଯେଉଁମାନଙ୍କ ସହାୟତାରେ ତହସିଲ କାର୍ଯ୍ୟାଳୟର ଅଧିକାରୀ ପ୍ରତି ଟ୍ରାକ୍ଟରରୁ ୫୦୦ ଟଙ୍କା ନେଇ ପରୋକ୍ଷରେ ବାଲି ଉଠାଣକୁ ପ୍ରୋତ୍ସାହନ ଦେଉଛନ୍ତି। ଏମିତି ସାଂଘାତିକ ଅଭିଯୋଗ ଆସିଛନ୍ତି ନୂଆଗାଁ ବ୍ଲକ ଅନ୍ତର୍ଗତ ଝାରବେଡ଼ା ବାଲିଘାଟରେ। ଗତବର୍ଷଠୁ ଏହି ବାଲିଘାଟ ନିଲାମ ହୋଇନି କି ଏଯାଏଁ ଖଣି ବିଭାଗକୁ ଯାଇନି। ଯାହାର ଭରଫୁର ଫାଇଦା ଉଠାଉଛନ୍ତି ସ୍ଥାନୀୟ ଅଞ୍ଚଳର କିଛି ଠିକାଦାର ଓ ବୀରମିତ୍ରପୁର ତହସିଲ କାର୍ଯ୍ୟାଳୟ ତଦାରଖ ଦାୟିତ୍ବରେ ଥିବା ଅଧିକାରୀ। ତହସିଲଦାର କାର୍ଯ୍ୟାଳୟର ସୁପରଭାଇଜର ଏମିତି ବେଆଇନ କାର୍ଯ୍ୟକୁ ପ୍ରୋତ୍ସାହନ ଦେଉଥିବା ସ୍ଥାନୀୟ ଲୋକ ଅଭିଯୋଗ ଆଣିଛନ୍ତି। ରମେଶ ତିର୍କୀ କହିଛନ୍ତି, ତହସିଲ କାର୍ଯ୍ୟାଳୟର ସୁପରଭାଇଜର ତାଙ୍କର ଜଣେ ଏଜେଣ୍ଟଙ୍କ ଜରିଆରେ ଟ୍ରାକ୍ଟର ପିଛା ୫୦୦ ଟଙ୍କା ନେଉଛନ୍ତି।

ଏଜେଣ୍ଟଙ୍କୁ ଟ୍ରାକ୍ଟର ପିଛା ୫୦୦ ଟଙ୍କା ଦେଇ ଝାରବେଡ଼ା ଘାଟରୁ ଦୈନିକ ୧୦ରୁ ୧୨ ଟ୍ରିଫ୍‌ ବାଲି ଉଠାଇ ବାହାରେ ବିକ୍ରି କରୁଛୁ। ସେହି ସମାନ ଅଭିଯୋଗ ଆଣିଛନ୍ତି ଅନ୍ୟ ଜଣେ ଟ୍ରାକ୍ଟର ମାଲିକ ସୁରେଶ ଓରାମ। ସେ କହିଛନ୍ତି, ନିଲାମ ହୋଇଛି କି ନାହିଁ ଆ​ମେ ଜାଣିନୁ। ଆମଠୁ ଟ୍ରାକ୍ଟର ପିଛା ୫୦୦ ଟଙ୍କା ନିଆଯାଉଛି। ବଦଳରେ କୌଣସି ରସିଦ୍‌ ଦିଆଯାଉନି। ଘାଟ ଦାୟିତ୍ବରେ ଏଜେଣ୍ଟକୁ ରସିଦ୍‌ ମାଗିଲେ, ଦରକାର ନାହିଁ ବୋଲି କହୁଛନ୍ତି। ରମେଶ, ସୁରେଶ ନୁହେଁ ୧୦ରୁ ଅଧିକ ଟ୍ରାକ୍ଟର ମାଲିକ ସେହି ସମାନ ଅଭିଯୋଗ ଆଣିଛନ୍ତି। ବାଲିଘାଟରୁ ଦୈନିକ ଶହ ଶହ ବାଲି ଚୋରାରେ ଉଠାଯାଇ ବୀରମିତ୍ରପୁର, ପୁରୁଣାପାଣି, ହାତୀବାରି, କନ୍ଦରକେଲା, ନୂଆଗାଁ, ସୋରଡ଼ା, ଖୁଣ୍ଟଗାଁ, ବାଗଡେଗା ଆଦି ଅଞ୍ଚଳକୁ ଚାଲାଣ ହେଉଛି। ସ୍ଥାନୀୟ ଅଞ୍ଚଳରେ ସରକାରଙ୍କ ବିଭିନ୍ନ ପ୍ରକଳ୍ପ କାମରେ ଠିକାଦାରମାନେ ଏହି ବାଲିକୁ ବ୍ୟବହାର ଅଭିଯୋଗ ହେଉଛି। ମାସ ମାସ ଧରି ଏଭଳି ବେଆଇନ କାମ ଚାଲୁଥିଲେ ହେଁ ସ୍ଥାନୀୟ ତହସିଲଦାର ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦୂରର କଥା ଯାଞ୍ଚ ମଧ୍ୟ କରାଯାଉ ନାହିଁ। ଝାରବେଡ଼ା ବାଲିଘାଟ ବାଲି ଚୋରା ଚାଲାଣକୁ ନେଇ ବୀରମିତ୍ରପୁର ତହସିଲଦାର ଗୌରୀ ନାୟକଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି, ନୂଆ କରି ଯୋଗଦେଇଥିବାରୁ ବାଲିଘାଟ ସଂକ୍ରାନ୍ତରେ ଜାଣି ନାହାନ୍ତି। ତହସିଲ ଅଧୀନରେ ଥିବା ସମସ୍ତ ବାଲିଘାଟର ଫାଇଲ ମଗାଯାଇଛି। କିଛି ବାଲିଘାଟ ଖଣିବିଭାଗକୁ ହସ୍ତାନ୍ତର ସରିଲାଣି। ଯଦି ଏମିତି ବେଆଇନ କାର୍ଯ୍ୟ ହେଉଥିବ, ଯାଞ୍ଚ କରି ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe