ଚିନ୍ତାରେ ବାଲି ମାଫିଆ: ଅଫିସ ସିଲ୍, କାଗଜ ପତ୍ର ଜବତ 

Advertisment
ଚିନ୍ତାରେ ବାଲି ମାଫିଆ: ଅଫିସ ସିଲ୍, କାଗଜ ପତ୍ର ଜବତ 

ଝାରସୁଗୁଡା: ବେଆଇନ ଭାବେ ଝାରସୁଗୁଡ଼ା ଲହଣ୍ଡାବୁଡ଼ ଘାଟରୁ ବାଲି ବୋଝେଇ କରି ହେମଗିରି ଯାଉଥିବା ଏକ ହାଇୱାକୁ ବେଲପାହାଡ଼ ପୁଲିସ ଜବତ କରିଛି। ଅଭିଯୋଗରେ ପୁଲିସ କୁଚିଣ୍ଡା ଥାନା ଅନ୍ତର୍ଗତ ଲସା ଗ୍ରାମର ବେଦରତ୍ନ କଛପ (୨୫)କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବେଲପାହାଡ଼ ପୁଲିସ ଗତ ରବିବାର ରାତିରେ ସୁଖା ବନ୍ଧ ନିକଟରେ ବାଲି ବୋଝାଇ ହାଇୱାକୁ ଜବତ କରିଥିଲା। ସେହି ବାଲି ଚାଲାଣ କୁ ପୁଲିସ ଆଧାର କରି ତଦନ୍ତ ଜାରି ରଖିଛି। ଆଜି ହଠାତ୍ ପୁଲିସ ବ୍ରଜରାଜନଗର ଗାନ୍ଧୀଛକ ନିକଟ କୁଅଁର କମ୍ପ୍ଲେକ୍ସରେ ଥିବା ଏକ ବ୍ୟବସାୟିକ ଅଫିସ ଉପରେ ଚଢ଼ାଉ କରିଥିବା ଦେଖିବାକୁ ମିଳିଥିଲା। ଏହି ଚଢ଼ାଉ ଅପରାହ୍ନ ୧ଟାରେ ହୋଇଥିଲା। ପୁଲିସ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ନନ୍ଦିତା କୁଜୁରଙ୍କ ଉପସ୍ଥିତିରେ ସମ୍ପୃକ୍ତ ଅଫିସର ତାଲାଭାଙ୍ଗି ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲେ। ଏସ୍ଡିପିଓ ଦିଲ୍ଲୀପ ଦାସ ଙ୍କ ନେତୃତ୍ୱରେ ବ୍ରଜରାଜନଗର ଆଇଆଇସି ନଳିତା ମୋଦୀ, ବେଲପାହାଡ଼ ଆଇଆଇସି ରଶ୍ମିତା ବେହେରା ଓ ଗାନ୍ଧୀଛକ ଫାଣ୍ଡି ଅଧିକାରୀ ଶଶୀଭୂଷଣ ପୋଢ଼ ଏହି ଚଢ଼ାଉ କରିଥିଲେ। ପୁଲିସର ଏହି ଚଢ଼ାଉ କୌଣସି ଏକ ବଡ଼ଧରଣ ଘଟଣାର ପର୍ଦ୍ଦାଫାସ୍ କରିବା ନେଇ କାର୍ଯ୍ୟ କରୁଥିବା ସାଧାରଣରେ ଆଲୋଚନା ହେଉଛି। ରବିବାର ଦିନ ରାତିରେ ବେଆଇନ ବାଲି ଚାଲାଣ ଅଭିଯୋଗ ସହିତ କିଛି ସମ୍ପର୍କ ଅଛିକି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଏନେଇ ଏସ୍ଡିପିଓ ଶ୍ରୀ ଦାସଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ କୌଣସି ତଥ୍ୟ ଦେବାକୁ ମନା କରିଥିଲେ।

publive-image

ରବିବାର ରାତି ଘଟଣା ପରେ ବାଲି ମାଫିଆଙ୍କ ଭିତରେ ଏକପ୍ରକାର କକୁଆ ଭୟ ସୃଷ୍ଟି ହୋଇଥିବା ଆଲୋଚନା ହେଉଛି। ବାଲି ମାଫିଆମାନେ ଏବେ ଚିନ୍ତାରେ ବୋଲି କୁହାଯାଉଛି। ହେଲେ ଆଜିର ଚଢ଼ାଉ ବାଲି ସହିତ ସମ୍ପୃକ୍ତ କି ନାହିଁ ତାହା ନେଇ କୌଣସି ଠୋସ୍ ସୁରାକ ମିଳୁ ନଥିଲେ ମଧ୍ୟ ପୁଲିସର ଅସମ୍ଭବ ନିରବତା ସନ୍ଦେହକୁ ଅଧିକ ଘନୀଭୂତ କରିବାରେ ଲାଗିଛି। ଝାରସୁଗୁଡ଼ାରେ ବାଲିଘାଟରୁ କୋଟି କୋଟି ଟଙ୍କା ଆୟ ହୋଇଥାଏ। ତହସିଲ ଅଫିସର କିଛି ଅସାଧୁ ଅଧିକାରୀ ଓ ବାଲି ମାଫିଆଙ୍କ ମଧ୍ୟରେ ଭିତିରି ବୁଝାମଣା ଥିବା ବେଳେ ମାଫିଆଙ୍କ ପଛରେ ଜିଲ୍ଲାର ରାଜନେତା ମାନଙ୍କ ଆଶୀର୍ବାଦ ରହିଥିବା କାରଣରୁ ଏହି ବେଆଇନ କାରବାରକୁ କେହି ଅଙ୍କୁଶ ଲଗାଇବାରେ ସଫଳ ହେଉନାହାନ୍ତି। ପ୍ରତିବର୍ଷ ଏହି ବାଲିଘାଟରୁ ରାଜ୍ୟ ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉଥିବା ବେଳେ ବିନା ଲିଜ୍ରେ ମେସିନ ବ୍ୟବହାର କରି ଅତ୍ୟାଧିକ ପରିମାଣରେ ବାଲି ଉତ୍ତୋଳନ କରାଯାଇ ଆସୁଛି। ମେସିନ ବ୍ୟବହାର ବେଆଇନ ହୋଇଥିବା ବେଳେ ଖୋଲାଖୋଲି ମେସିନ ବ୍ୟବହାର କରାଯାଇ ଆସୁଛି। ସୂର୍ଯ୍ୟାସ୍ତ ପରେ ମାଇନିଂ ନିଷିଦ୍ଧ ଥିବା ଆଇନରେ ଥିବା ଉଲ୍ଲେଖ ଥିବା ସତ୍ତ୍ବେ ବାଲି ମାଫିଆମାନେ ସାରା ରାତି ନଦୀରୁ ବାଲି ଉତ୍ତୋଳନ କରୁଥିବା ଓ ଶହ ଶହ ହାଇୱାରେ ତାହା ଚାଲାଣ ହେଉଥିବା ଦେଖା ଯାଉଛି। ଏହି ବେଆଇନ ବାଲି ଚାଲାଣ ପଛରେ ଏକ କ୍ଷମତାଶାଳୀ ଗୋଷ୍ଠୀ ଥିବା ବେଳେ ଏଥିରେ କୋଟି କୋଟି ଟଙ୍କାର କାରବାର ହେଉଛି। ଏହି ବ୍ୟବସାୟିକ ଅଫିସର ତାଲା ଭଙ୍ଗାଯିବା ଘଟଣାରେ ପୁଲିସ ନିରବ ରହିଥିବା ବେଳେ ଏହି ଅଫିସ ଆଗରେ ଦୀର୍ଘ ଦିନ ହେଲା ପୁଲିସ ଜଗି ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe