ଡିଆଇଜିଙ୍କ ବାସଭବନରୁ ଚନ୍ଦନ ଗଛ କାଟିବା ଘଟଣା: ଲୋଭରେ ପଶିଥିଲେ ମଧ୍ୟପ୍ରଦେଶ ଚୋର

Advertisment
ଡିଆଇଜିଙ୍କ ବାସଭବନରୁ ଚନ୍ଦନ ଗଛ କାଟିବା ଘଟଣା: ଲୋଭରେ ପଶିଥିଲେ ମଧ୍ୟପ୍ରଦେଶ ଚୋର

ଅନୁଗୁଳ : ତାଳଚେର ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଡ. ସାର୍ଥକ ଷଡ଼ଙ୍ଗୀଙ୍କ ସରକାରୀ ବାସଭବନରୁ ଚନ୍ଦନ ଗଛ କାଟିବା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ଖବର ପ୍ରକାଶ ପାଇବାର ୨୪ଘଣ୍ଟା ଭିତରେ ଦୁଇ ଅଭିଯୁକ୍ତଙ୍କୁ ଅନୁଗୁଳ ଟାଉନ୍‌ ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ, ଭି‌ଡେ ପାର୍‌ଢ଼ି(୨୨) ଓ ଶେକର ପାର୍‌ଢ଼ି(୨୨)। ସେମାନଙ୍କଠାରୁ ୧୧ଖଣ୍ଡ ଚନ୍ଦନ କାଠ ଗଣ୍ଡି ଜବତ ହୋଇଥିବା ବେଳେ ଚୋରିରେ ବ୍ୟବହୃତ ଗୋଟିଏ ହୋଣ୍ଡା ସାଇନ୍‌ ଓ ଦୁଇଟି ଗ୍ଲାମର ମଟର ସାଇକଲ୍‌ ବି ଜବତ କରାଯାଇଛି। ଏ ଅଭିଯୁକ୍ତଙ୍କ ଘର ମଧ୍ୟପ୍ରଦେଶରେ ବୋଲି ଅନୁଗୁଳ ଟାଉନ୍‌ ଥାନା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି।

ପୁଲିସର କହିବା ମୁତାବକ, ଏମାନେ ଦଳବଦ୍ଧ ହୋଇ ଅନୁଗୁଳକୁ ବେପାର କରିବା ଉଦ୍ଦେଶ୍ୟରେ ଆସିଥିଲେ। ଅନୁଗୁଳ ସଦର ଥାନା ରନ୍ତଲେଇ ନିକଟରେ ଅସ୍ଥାୟୀ କ୍ୟାମ୍ପ୍‌ କରି ରହୁଛନ୍ତି। ଏମାନଙ୍କ କାମ ହେଲା, ସକାଳ ପାହିଲେ ଗାଁରୁ ଗାଁ ବୁଲି ଚୁଡ଼ି ବେପାର କରିବାକୁ ଯାନ୍ତି। କେଉଁଠି ଚନ୍ଦନ ଗଛ ଅଛି, ତାକୁ ନଜର କରନ୍ତି। ଗଲା ୧୮ତାରିଖ ରାତିରେ ବଅଁରପାଳ ଥାନା ମହୀଧରପୁର ଅଞ୍ଚଳକୁ ଯାଇ ଚନ୍ଦନ ଗଛ କାଟିଥିଲେ। ରାତାରାତି ତାକୁ ବୋହି ଆଣି ରନ୍ତଲେଇରେ ରଖିଥିଲେ। ଗତ ସୋମବାର ଦିନ ତାଳଚେର ଡିଆଇଜିଙ୍କ ସରକାରୀ ବାସଭବନରେ ପଶିଥିଲେ। କୌଶଳ କ୍ରମେ ଚନ୍ଦନ ଗଛ କାଟି ପକାଇଥିଲେ ସିନା, କିନ୍ତୁ ନେଇ ପାରି ନ ଥିଲେ। ଘଟଣାକୁ ଦୁଇ ଦିନ କାଳ ଚପାଇ ରଖାଯାଇଥିଲା। ଏ ସମ୍ପର୍କିତ ଖବର ‘ସମ୍ବାଦ’ରେ ପ୍ରକାଶ ପାଇଲା ପରେ ପୁଲିସର ହୁଗୁଳା ସୁରକ୍ଷା ବ୍ୟବସ୍ଥା କଥା ପଦାକୁ ଆସିଥିଲା। ଯଦି ଅନୁଗୁଳ ଏସ୍‌ପିଙ୍କ ସରକାରୀ ବାସଭବନ ନିକଟସ୍ଥ ତାଳଚେର ଡିଆଇଜିଙ୍କ କ୍ବାର୍ଟର୍ସ ଚୋରଙ୍କ ଦାଉରୁ ସୁରକ୍ଷିତ ନୁହେଁ, ତେବେ ପୂରା ଜିଲ୍ଲା କେମିତି ସୁରକ୍ଷିତ ବୋଲି ସ୍ବାଭାବିକ ପ୍ରଶ୍ନ ଉଠିଥିଲା।

ଖବର ପ୍ରକାଶ ପାଇବାର ୨୪ଘଣ୍ଟା ଭିତରେ ମାମଲା ରୁଜୁ କରିଥିଲା ପୁଲିସ। ଜୋର୍‌ ତନାଘନା ଆରମ୍ଭ କରିଥିଲା। ସନ୍ଦେହରେ ଏହି ରାସ୍ତା କଡ଼ରେ ରହୁଥିବା ବେପାରୀଙ୍କ ଉପରେ ପୁଲିସର ସନ୍ଦେହ ହୋଇଥିଲା। ପୁଲିସ ସେମାନଙ୍କ କ୍ୟାମ୍ପ୍‌ ଉପରେ ଚଢ଼ଉ କରିବା ପରେ ଚନ୍ଦନ କାଠ ଗଣ୍ଡିର ସନ୍ଧାନ ମିଳିଥିଲା। ପୁଲିସର କହିବା ମୁତାବକ, ଏମାନେ ଘର ଘର ବୁଲି ଚନ୍ଦନ ଗଛକୁ ଠାବ କରନ୍ତି। କୌଶଳ କ୍ରମେ ତାକୁ କାଟି କଲିକତାରେ ବିକ୍ରି କରିବାକୁ ନିଅନ୍ତି। ମହୀଧରପୁରରୁ ଏହି ଉଦ୍ଦେଶ୍ୟରେ ହିଁ ଗଛ କାଟିଥିଲେ। ମୋଟ୍ ଚାରି ଜଣ ଏହି ଗଛ କଟା କାମରେ ସମ୍ପୃକ୍ତ ଥିବାବେଳେ ଆଉ ଦୁଇ ଜଣ ଫେରାର୍‌ ଥିବା ଅନୁଗୁଳ ଟାଉନ୍‌ ଥାନା ଅଧିକାରୀ ପ୍ରଭାତ ତ୍ରିପାଠୀ ପ୍ରକାଶ କରିଛନ୍ତି। ମଧ୍ୟପ୍ରଦେଶରୁ ଆସିଥିବା ଚୋର ଅନୁଗୁଳ ଥାନା ପୁଲିସକୁ ଚ୍ୟାଲେଞ୍ଜ୍‌ ଦେଇ କିପରି ଡିଆଇଜିଙ୍କ ସରକାରୀ ବାସଭବନରେ ପଶିବାକୁ ସାହସ କରିବେ ଏବଂ ଚନ୍ଦନ ଗଛ କାଟିବେ, ସାଧାରଣରେ ତାହା ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe