ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ, ୨ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଶ୍ରୀଗୁଣ୍ଡିଚା ମନ୍ଦିରରେ ଦଳାଚକଟା, ଠେଲାପେଲା, ଭକ୍ତ ଅଣନିଃଶ୍ବାସୀ, ଅଳ୍ପକେ ବର୍ତିଲେ ମହିଳା

ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ, ୨ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ

ପୁରୀ : ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ କଲେ କୋଟି ପୁଣ୍ୟ ମିଳେ। ଏହି ବିଶ୍ୱାସ ରଖି ଆଜି ଭକ୍ତମାନେ ମହାପ୍ରଭୁଙ୍କୁ ଆଡ଼ପ ମଣ୍ଡପରେ ଶେଷ ଦର୍ଶନ ଭାବେ ବିବେଚିତ ସଂଧ୍ୟା ଦର୍ଶନ କରିଛନ୍ତି। ନବଦିନାତ୍ମକ ଯାତ୍ରାର ଶେଷ ଦିନରେ ୨ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ତେବେ ପୂର୍ବ ବର୍ଷ ତୁଳନାରେ ଏଥର ଢ଼େର ଅଧିକ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରି ଆତ୍ମତୃପ୍ତି ଲାଭ କରିଥିଲେ ହେଁ ବିଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ନେଇ ପ୍ରବଳ ଅସନ୍ତୋଷ ଝାଡ଼ିଛନ୍ତି। ପ୍ରଶାସନ ତରଫରୁ ଶ୍ରୀଗୁଣ୍ଡିଚା ମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ପାଇଁ କୌଣସି ବ୍ୟବସ୍ଥା କରାଯାଇନଥିବାରୁ ଦଳାଚକଟା ପରିସ୍ଥିତି ଉପୁଜିଛି। ବହୁ ବୟସାଧିକ ମହିଳା, ପୁରୁଷ ଭକ୍ତ ଓ ଛୋଟ ପିଲା ଭିଡ଼ ଭିତରେ ଦଳାଚକଟା ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଏପରିକି ପ୍ରବଳ ଭିଡ଼ ଭିତରେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତିଯାଇଛନ୍ତି ଏମାନେ।

ସଂଧ୍ୟା ଦର୍ଶନ ପାଇଁ ଆଜି ଶ୍ରୀଗୁଣ୍ଡିଚା ମନ୍ଦିର ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ମାଳ ମାଳ ପୁଲିସ ଜଗି ରହିଥିଲେ। କିନ୍ତୁ ଭିତର କଥା ସମସ୍ତେ ଭୁଲି ଯାଇଥିଲେ। ଆଜି ପରିମାଣିକ ଦର୍ଶନ ବନ୍ଦ ରହିଥିବାରୁ ଗର୍ଭଗୃହ ବଦଳରେ ସବୁ ଭକ୍ତ ଏକକାଳୀନ ବାହାରୁ ଦର୍ଶନ କରିଥିଲେ। ଏଥି ପାଇଁ ସିଂହଦ୍ବାରଠାରୁ ଆରମ୍ଭ କରି ସଂଗ୍ରାମ କ୍ଲବ ଗଳି ଆଗକୁ ଭକ୍ତଙ୍କର ପ୍ରବଳ ଭିଡ଼ ଲାଗିଥିଲା। ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାରିକେଡ୍‌ରୁ ଅଧା ଅଧା କରି ଭକ୍ତଙ୍କୁ ଦର୍ଶନ ପାଇଁ ଛାଡୁଥିଲା ପୁଲିସ। କିନ୍ତୁ ଶ୍ରୀଗୁଣ୍ଡିଚା ମନ୍ଦିର ଭିତରେ ସେଭଳି କୌଣସି ବ୍ୟବସ୍ଥା କରାଯାଇନଥିବାରୁ ଭକ୍ତମାନେ କଲବଲ ହୋଇଥିଲେ। ଦର୍ଶନ ବେଳେ ବେଢ଼ା ଭିତରେ ଠେଲାପେଲା ସାଙ୍ଗକୁ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ହଜାର ହଜାର ମହିଳା, ଛୋଟ ପିଲା ଅଣନିଃଶ୍ବାସୀ ହୋଇ ପଡ଼ିଥିଲେ। ଯେଉଁଥି ପାଇଁ ବହୁ ଭକ୍ତ ଆଜି ମହାପ୍ରଭୁଙ୍କ ଦର୍ଶନ ନ ପାଇ ଫେରିଥିଲେ। ଆଉ ଯେଉଁମାନେ ଦର୍ଶନ କରିଥିଲେ ସେମାନଙ୍କୁ ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡ଼ା ହେବାକୁ ପଡ଼ିଥିଲା। ପ୍ରବଳ ଭିଡ଼ ଭିତରେ ଅନେକ ଭକ୍ତ ଅସୁସ୍ଥ ହୋଇ ପଡିଥିଲେ।

ସଂଧ୍ୟା ଦର୍ଶନ ପାଇଁ ଆଜି ସକାଳୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଆଜିଠାରୁ ଆଡ଼ପ ଅବଢ଼ା ମିଳିବା ଶେଷ ହେଉଥିବାରୁ ଭକ୍ତମାନେ ଆଡ଼ପ ଅବଢ଼ା ପାଇଁ ଆନନ୍ଦ ବଜାରରେ ଲମ୍ବା ଲାଇନ୍ ଲଗାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଡ଼ପ ଅବଢ଼ା ଉପଲବ୍ଧ ହୋଇଥିଲା। ନିର୍ଘଣ୍ଟ ନୀତି ଅନୁଯାୟୀ, ଆଜି ଭୋର ୪ଟାରେ ଦ୍ୱାରଫିଟା, ସାଢ଼େ ୪ଟାରେ ମଙ୍ଗଳ ଆଳତି, ୫ଟାରେ ମଇଲମ ଓ ତଡ଼ପଲାଗି, ୬ଟାରେ ଅବକାଶ, ସକାଳ ୬ଟା ୧୫ରେ ରୋଷହୋମ, ସାଢ଼େ ୬ଟାରେ ସୂର୍ଯ୍ୟପୂଜା, ୬ଟା ୪୫ରେ ଦ୍ୱାରପାଳ ପୂଜା, ୭ଟାରେ ବେଶ ଶେଷ, ସାଢ଼େ ୭ଟାରେ ଗୋପାଳବଲ୍ଲଭ ନୀତି ସଂପନ୍ନ ହୋଇଥିଲା। ସକାଳ ୮ଟାରୁ ସାଢ଼େ ୯ଟା ସକାଳଧୂପ, ସାଢ଼େ ୮ରୁ ସାଢ଼େ ୧୦ଟା ଭୋଗମଣ୍ଡପ, ପୂର୍ବାହ୍ଣ ୧୦ଟା ୪୫ରେ ମଇଲମ, ସାଢ଼େ ୧୧ଟାରେ ଯାତ୍ରାଙ୍ଗୀ ମହାସ୍ନାନ, ମଧ୍ୟାହ୍ଣ ୧୨ଟାରେ ସର୍ବାଙ୍ଗ ଚନ୍ଦନ, ଅପରାହ୍ଣ ୧ଟାରେ ନୂଆଲୁଗା ଲାଗି ବେଶ, ସାଢ଼େ ୧ଟାରୁ ୩ଟା ମଧ୍ୟାହ୍ନଧୂପ, ଅପରାହ୍ଣ ୨ଟାରୁ ସାଢ଼େ ୩ଟା ଦ୍ୱିତୀୟ ଭୋଗମଣ୍ଡପ, ୩ଟା ୪୫ରୁ ୪ଟା ୪୦ ମଇଲମ ଓ ବେଶ, ସଂଧ୍ୟା ୫ଟା ସଂଧ୍ୟା ଆଳତି, ସଂଧ୍ୟା ସାଢ଼େ ୫ଟାରୁ ରାତି ୭ଟା ସଂଧ୍ୟାଧୂପ ନୀତି ସଂପନ୍ନ ହୋଇଥିଲା। ରାତି ୭ରୁ ଭକ୍ତଙ୍କ ଦର୍ଶନ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ଭିଡ଼କୁ ନଜରରେ ରଖି ରାତି ୮ଟା ପର୍ଯ୍ୟନ୍ତ ଦର୍ଶନ ବ୍ୟବସ୍ଥା କରାଯାଇଥିଲା। ପରେ ଦର୍ଶନ ବନ୍ଦ ହୋଇ ବାହୁଡ଼ା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe