ବିନା ଭକ୍ତରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ, ସରିଲା ଆଡ଼ପ ଦର୍ଶନ

ଆଜି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ

ପୁରୀ : ନବଦିନାତ୍ମକ ଯାତ୍ରା ଶେଷ ପୂର୍ବରୁ ସୋମବାର ଶେଷ ଥର ପାଇଁ ଆଡ଼ପମଣ୍ଡପରେ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଯେଉଁ ଦୁର୍ଲ୍ଲଭ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ଜମେ, ସେଠି କୋଭିଡ୍‌ କଟକଣା ପାଇଁ ବିନା ଭକ୍ତରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ନୀତି ଶେଷ ‌ହୋଇଛି। ଭକ୍ତ ନ ଥିବାରୁ ସଅଳ ନୀତିକାନ୍ତି ବି ଶେଷ ହୋଇଛି। ସନ୍ଧ୍ୟା ସାଢ଼େ ୬ଟା ପୂର୍ବରୁ ପହୁଡ଼ ହୋଇ ବାହୁଡ଼ାଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

ବାହୁଡ଼ାଯାତ୍ରା ପୂର୍ବରୁ ଆଡ଼ପମଣ୍ଡପରେ ଶେଷ ଦର୍ଶନକୁ ସନ୍ଧ୍ୟା ଦର୍ଶନ କୁହାଯାଏ। ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ କଲେ କୋଟି ପୂଣ୍ୟ ମିଳେ ବୋଲି ଭକ୍ତ ମହଲରେ ଅଗାଢ଼ ବିଶ୍ବାସ ରହିଛି। ଏହି ବିଶ୍ୱାସ ରଖି ଲକ୍ଷ ଲକ୍ଷ ଭକ୍ତ ପ୍ରତିବର୍ଷ ସନ୍ଧ୍ୟା ଦର୍ଶନ ପାଇଁ ଦୂରଦୂରାନ୍ତରରୁ ଦୌଡ଼ି ଆସନ୍ତି। କିନ୍ତୁ ଗତବର୍ଷ ଏହି ଦୁର୍ଲ୍ଲଭ ଦର୍ଶନରୁ ଭକ୍ତମାନେ ବଞ୍ଚିତ ଥିଲେ। ଚଳିତବର୍ଷ ବି କୋଭିଡ୍‌ ପାଇଁ ଏହି ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ।

ସେପଟେ ସୋମବାର ‌ଆଡ଼ପ ଅବଢ଼ା ବି ଶେଷ ହୋଇଛି। ସକାଳ ୮ଟା ୫ରେ ପ୍ରଥମ ଭୋଗମଣ୍ଡପ ଉଠିବା ସହ ସାଢ଼େ ୯ଟାରେ ପୂଜା ସମ୍ପନ୍ନ ହୋଇ ଭୋଗ ବାହାରିଥିଲା। ପରେ ମଧ୍ୟାହ୍ନ ୧୨ଟାରେ ଦ୍ବିତୀୟ ଭୋଗମଣ୍ଡପ ଉଠିବା ସହ ଅପରାହ୍ଣ ୧ଟା ୨୦ରେ ପୂଜା ଶେଷ ହୋଇ ଭୋଗ ବାହାରିଥିଲା। ଶେଷ ଭୋଗମଣ୍ଡପ ଅପରାହ୍ଣ ୩ଟା ୨୫ରେ ଉଠିଥିଲା। ସାଢ଼େ ୪ଟା ସୁଦ୍ଧା ‌ପୂଜା ଶେଷ ହୋଇ ଭୋଗ ବାହାରିଥିଲା। ଆଜି ଆଡ଼ପ ଅବଢ଼ାର ଶେଷ ଦିନ ଥିବାରୁ ମହାପ୍ରସାଦ ନେବାକୁ ପ୍ରବଳ ଭିଡ଼ ବି ଦେଖିବାକୁ ମିଳିଥିଲା। ମହାପ୍ରସାଦ ବାହାରିବା ପରେ ମହାପ୍ରଭୁଙ୍କ ମଇଲମ, ଚନ୍ଦନଲାଗି ନୀତି ସମ୍ପନ୍ନ ହୋଇଥିଲା। ୫ଟା ୩୫ରେ ବଡ଼ସିଂହାର ବେଶ, ୬ଟା ୧୦ରେ ବଡ଼ସିଂହାର ଭୋଗ ସମ୍ପନ୍ନ ହୋଇ ପହୁଡ଼ ଆଳତି ନୀତି ଅନୁଷ୍ଠିତ ହୋଇଥିଲା। ଏହା ପରେ ତିନିଦିନ ମହାପ୍ରସାଦ ବନ୍ଦ ରହିବ। ରଥ ଉପରେ ମହାପ୍ରଭୁଙ୍କୁ ଶୁଖିଲା ଭୋଗ ଲାଗି ହେବ। ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ ପରେ ପୁଣି ଶ୍ରୀମନ୍ଦିରରେ ମହାପ୍ରସାଦ ରନ୍ଧା ଆରମ୍ଭ ହେବ। ପୁଣି ଶ୍ରୀମନ୍ଦିରରେ ଷାଠିଏ ପଉଁଟି ଭୋଗ ମହାପ୍ରଭୁଙ୍କୁ ଲାଗି ହେବ। ସନ୍ଧ୍ୟା ଦର୍ଶନ ପାଇଁ ଆଜି ଶ୍ରୀଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ବରେ ୧୪୪ ଧାରା ଲଗାଯାଇଥିଲା। ଚତୁଃପାର୍ଶ୍ବରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe