ନୟାଗଡ଼: ପ୍ରଦେଶ ମହିଳା କଂଗ୍ରେସ କମିଟିର ପୂର୍ବତନ ବରିଷ୍ଠ ଉପସଭାନେତ୍ରୀ, ନୟାଗଡ଼ ଜିଲ୍ଲା ମହିଳା କଂଗ୍ରେସ କମିଟିର ପ୍ରଥମ ସଭାନେତ୍ରୀ ସନ୍ଧ୍ୟା ମହାପାତ୍ରଙ୍କ ବିୟୋଗ ଘଟିଛି। ଭୁବନେଶ୍ବରସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି। ସନ୍ଧ୍ୟାଙ୍କ ବିୟୋଗରେ ନୟାଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ଶୋକପ୍ରକାଶ କରାଯାଇଛି। ସ୍ବର୍ଗତ ମହାପାତ୍ର ୨୦୦୯ ବିଧାନସଭା ନିର୍ବାଚନରେ ନୟାଗଡ଼ରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ।
ତତ୍କାଳୀନ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାର ସମୟରେ ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷା ଦାୟିତ୍ୱ ନିର୍ବାହ କରି ନୟାଗଡ଼ରେ ନାରୀ ଶିକ୍ଷାର ପ୍ରଚାରପ୍ରସାରରେ କାର୍ଯ୍ୟ କରିଥିଲେ। ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶ, ବରିଷ୍ଠ କଂଗ୍ରେସ ନେତା ସରୋଜ ପରିଡ଼ା, ହୁସେନ ଖାଁ, ମନୋଜ କୁମାର ସାହୁ, କମଳ ଚରଣ ସାହୁ, ଫକୀର ଚରଣ ମଲ୍ଲ, ପୂର୍ଣ୍ଣଚନ୍ଦ୍ର ନାୟକ, ବିମଳ ଦାଶ, ବସନ୍ତ ମହାରଣା ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରତିମା ଜେନା, ବିନୋଦିନୀ ମହାନ୍ତି ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି। କଂଗ୍ରେସ ଭବନରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ବହୁ କଂଗ୍ରେସ ନେତା ଯୋଗଦେବା ସହିତ ସନ୍ଧ୍ୟା ଦେବୀଙ୍କ ସ୍ମୃତିଚାରଣ କରିଥିଲେ।
Follow Us