ଅଦାଲତ, ଅଫିସ ଓ ଗୁରୁତ୍ବପୂର୍ଣ୍ଣ ସ୍ଥାନ ସାନିଟାଇଜେସନ୍ ପ୍ରସଂଗ : ପଦକ୍ଷେପ ସଂପର୍କରେ ତଥ୍ୟ ଦାଖଲ କରିବେ ସରକାର

ହାଇକୋର୍ଟରେ ମାଇକ୍ରୋ ଲେଭଲ ଇ-ଲୋକ ଅଦାଲତ : ୧୦୭ ମାମଲା ଫଇସଲା, ୬ କୋଟି ୯୧ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ନିର୍ଦ୍ଦେଶ

Odisha Sun Times

କଟକ : କଟକ ସହରର ଗୁରୁତ୍ବପୂର୍ଣ୍ଣ ସ୍ଥାନ ଓ ସରକାରୀ କାର୍ଯ୍ୟାଳୟଗୁଡିକ ସାନିଟାଇ‌ଜେସନ୍ ପ୍ରସଂଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ ପାଇଁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଆଜି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜ‌ଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ହାଇକୋର୍ଟ ବାର୍ ଆସୋସିଏସନର ପୂର୍ବତନ ସଂପାଦକ ସତ୍ୟବ୍ରତ ମହାନ୍ତି ଓ ପୂର୍ବତନ ଯୁଗ୍ମସଂପାଦକ ଦିଲ୍ଲୀପ କୁମାର ରାୟଙ୍କ ଏ ସଂପର୍କିତ ଜନସ୍ବାର୍ଥ ଆବେଦନର ଶୁଣାଣି ହୋଇଥିଲା। ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ସହରର ରାସ୍ତାଘାଟ ସାନିଟାଇଜେସନ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ସତୀଚଉରା ନିକଟରୁ ସାନିଟାଇଜେସନ୍ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ପରବର୍ତ୍ତୀ ଶୁଣାଣି ସମୟରେ ଏହି ପ୍ରସଂଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ନେଇ ଅବଗତ କରିବା ଲାଗି ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଆବେଦନରେ ଦର୍ଶାଯାଇଛି ଯେ, ଲକ୍‌ଡାଉନ ଶେଷ ହେବା ପୂର୍ବରୁ କଟକ ସହର ସହିତ ରାଜ୍ୟର ଅନ୍ୟ ଜିଲ୍ଲାଗୁଡିକରେ ଥିବା ଗୁରୁତ୍ବପୂର୍ଣ୍ଣ ସ୍ଥାନ ଓ ସରକାରୀ କାର୍ଯ୍ୟା‌ଳୟ ସବୁ ସାନିଟାଇଜ କରିବା ପାଇଁ ସରକାର ପଦକ୍ଷେପ ନେବା ଆବଶ୍ୟକ। କଟକର ହାଇକୋର୍ଟ ପରିସର, ବୋର୍ଡ ଅଫ୍ ରେଭିନ୍ୟୁ କୋଠା, ଆରଡିସି କାର୍ଯ୍ୟ‌ାଳୟ, ଜିଲ୍ଲା ଅଦାଲତ ପରିସର, ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଞ୍ଚଳ, ଆରଟିଓ, ସିଏମସି ପରିସର, ବାରବାଟୀ ଷ୍ଟାଡିୟମ, ସତ୍ୟବ୍ରତ ଷ୍ଟାଡିୟମ, ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ, ସିଟି ହସ୍ପିଟାଲ, ଡିସିପି କାର୍ଯ୍ୟାଳୟ ପରିସର ଓ ସହରର ଅନ୍ୟ ସରକାରୀ କାର୍ଯ୍ୟାଳୟଗୁଡିକ ସାନିଟାଇଜ ତୁରନ୍ତ କରାଯିବା ଉଚିତ। ନଚେତ ଲକ୍‌ଡାଉନ ପରେ ଏହି ସବୁ ସ୍ଥାନରେ ପ୍ରବଳ ଜନସମାଗମ ହେବ। ଲୋକମାନେ ସାମାଜିକ ଦୂରତ୍ବ ନିୟମ କଡ଼ାକଡ଼ି ପାଳନ କରିବେ ବୋଲି କହିହେବ ନାହିଁ। ଏହି ସବୁ ସ୍ଥାନରେ ଭିଡ଼ ଯୋଗୁଁ କରୋନା ଭୂତାଣୁ ସଂକ୍ରମଣର ଆଶଙ୍କା ରହିବ। ରାଜ୍ୟରେ ପ୍ରତିଦିନ କରୋନା ରୋଗୀ ଚିହ୍ନଟ ହେଉଥିବା ବେଳେ ଏହି ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଏ ପରିସ୍ଥିତିରେ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଲକ୍‌ଡାଉନ ଶେଷ ହେବା ପୂର୍ବରୁ ସବୁ ଗୁରୁତ୍ବପୂର୍ଣ୍ଣ ସ୍ଥାନ ସାନିଟାଇଜ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ରାଜ୍ୟ ଗୃହ ବିଭାଗ, ନଗର ଉନ୍ନୟନ ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ସିଏମ୍‌ସି, କଟକ ଜିଲ୍ଲାପାଳ ଓ କେନ୍ଦ୍ର ସରକାରଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe