ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି

Advertisment
ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି

ଭୁବନେଶ୍ବର : ପ୍ରଫେସର ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ବବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି। ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟ କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍‌ ଆଜି ତିନି ଆଶାୟୀ ପ୍ରାର୍ଥୀଙ୍କ ସାକ୍ଷାତକାର ନେବା ପରେ ପ୍ରଫେସର ମିତ୍ତଲ୍‌ଙ୍କ ନାମ ଘୋଷଣା କରିଛନ୍ତି। ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧନ) ଅଧିନିୟମ-୨୦୨୦ ଅନୁଯାୟୀ ପ୍ରଫେସର ମିତ୍ତଲଙ୍କୁ କୁଳପତି ଭାବେ ନିଯୁକ୍ତି ଦିଆଯାଇଛି। ପ୍ରଫେସର ମିତ୍ତଲ ଆସନ୍ତା ୪ ବର୍ଷ ଲାଗି ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟ କରିବେ। ନ ହେଲେ କାର୍ଯ୍ୟଭାର ଗ୍ରହଣ କରିବା ଦିନରୁ ୪ ବର୍ଷ ପର୍ଯ୍ୟନ୍ତ କିମ୍ବା କାର୍ଯ୍ୟକାଳ ସରିବା ପୂର୍ବରୁ ଯେଉଁ ଆଦେଶ ଦିଆଯିବ ସେ ଅନୁସାରେ କୁଳପତି ଦାୟିତ୍ବ ତୁଲାଇବେ।

ପ୍ରଫେସର ମିତ୍ତଲ ଏବେ ଦିଲ୍ଲୀସ୍ଥିତ ଗୁରୁ ଗୋବିନ୍ଦ ସିଂ ଇନ୍ଦ୍ରପ୍ରସ୍ଥ ବିଶ୍ୱବିଦ୍ୟାଳୟର ୟୁନିଭର୍ସିଟି ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟ ଷ୍ଟଡିଜ୍‌ରେ ପ୍ରାଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କର ୨୯ ବର୍ଷର ଅଧ୍ୟାପନା ଅଭିଜ୍ଞତା ଥିବାବେଳେ ପ୍ରଫେସର ଭାବେ ୧୩ ବର୍ଷ ଧରି ଦାୟିତ୍ବ ନିର୍ବାହ କରୁଛନ୍ତି। ପ୍ରଫେସର ମିତ୍ତଲଙ୍କ ତତ୍ତ୍ବାବଧାନରେ ୧୧ ଜଣ ଛାତ୍ରଛାତ୍ରୀ ପିଏଚ୍‌ଡି ଲାଭ କରିଛନ୍ତି। ସେ ୧୧୧ଟି ପବ୍ଲିକେସନ, ୨୫ଟି ଜର୍ଣ୍ଣାଲ, ୧୪ଟି କ୍ୟୁମ୍ୟୁଲେଟିଭ୍‌ ସାଇଟେସନ୍‌ ଇଣ୍ଡେକ୍ସ, ୮ଟି ବୁକ୍‌ର ଅଥର, ଗୋଟିଏର ଏଡିଟର ଇନ୍‌ ଚିଫ୍‌, ୩ଟି ଜାତୀୟ ଓ ଅନ୍ତର୍ଜାତୀୟ ଏଜେନ୍ସିର ସଦସ୍ୟ ରହିସାରିଛନ୍ତି। ବିଭାଗୀୟ ମୁଖ୍ୟ, ନାକ୍‌ ଆକ୍ରିଡେସନ୍‌ ବୋର୍ଡ ସଦସ୍ୟ ଭଳି ବିଭିନ୍ନ ପ୍ରଶାସନିକ କାର୍ଯ୍ୟଭାର ମଧ୍ୟ ତୁଲାଇଛନ୍ତି।

ଅନ୍ୟପକ୍ଷରେ ଆସନ୍ତା ଦୁଇ ଦିନ ମଧ୍ୟରେ ଓଡ଼ିଶା ଷ୍ଟେଟ୍‌ ଓପନ ୟୁନିଭର୍ସିଟି ଓ ରେଭେନ୍ସା ବିଶ୍ବବିଦ୍ୟାଳୟର କୁଳପତି ଆଶାୟୀ ପ୍ରାର୍ଥୀଙ୍କ ସାକ୍ଷାତକାର ନିଆଯିବ। ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଲାଲ୍‌ ସାକ୍ଷାତକାର ନେବା ପରେ ନୂତନ କୁଳପତିଙ୍କ ନାମ ଘୋଷଣା କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe